Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସରିଯାଇଛି ରଙ୍ଗର ପର୍ବ ହୋଲି, ହେଲେ ଛାଡି ଯାଇଛି କିଛି ଅଲିଭା ଦାଗ

Odisha

ସରିଯାଇଛି ରଙ୍ଗର ପର୍ବ ହୋଲି, ହେଲେ ଛାଡି ଯାଇଛି କିଛି ଅଲିଭା ଦାଗ

Rashmita Mishra
Browse all articles by Rashmita Mishra
·1 year ago·2 min read
ସରିଯାଇଛି ରଙ୍ଗର ପର୍ବ ହୋଲି, ହେଲେ ଛାଡି ଯାଇଛି କିଛି ଅଲିଭା ଦାଗ

ସରିଯାଇଛି ରଙ୍ଗର ପର୍ବ ହୋଲି। ହେଲେ ଛାଡି ଯାଇଛି କିଛି ଅଲିଭା ଦାଗ। ଆନନ୍ଦ ଉଲ୍ଲାସର ଏହି ପର୍ବ ଏସନ କେବଳ ସାତ ରଙ୍ଗରେ ରଙ୍ଗୀନ ହୋଇନି ବରଂ ଲୁହ ଲହୁରେ ଭିଜେଇଛି ଅନେକଙ୍କୁ। ଆମେ ପର୍ବ ପାଳିଥାଉ ହସ, ଖୁସି, ମଜା, ଭାଇଚାରା ପାଇଁ । କିନ୍ତୁ ଏଥର ହୋଲି କେମିତି ଘୃଣା, ଆତଙ୍କ, ଲୁହ, କୋହ ଦେଇ ଯାଇଛି ତାହା ଆଶ୍ଚର୍ଯ୍ୟ କରିଛି ସମସ୍ତଙ୍କୁ। ଦେଖିଲେ ଲାଗୁଛି ଯେମିତି ଫଗୁଣ ଫଗୁ ନେଇ ଆସିନଥିଲା ଆସିଥିଲା ଜୀବନ ନେବାକୁ। କିଛି ଅପରାଧୀ ପର୍ବକୁ ପିଠି କରି ପିଚିକାରୀ ନୁହେଁ ବନ୍ଧୁକ, ଛୁରୀ ଓ ଖଣ୍ଡାରେ ଖେଳିଛନ୍ତି ହୋଲି।

ରାଜ୍ୟର ସବୁଠାରୁ ହାଇ ସିକ୍ୟୁରିଟି ଜୋନ କୁହାଯାଉଥିବା ରାଜଧାନୀ ବି ରକ୍ତ ରଂଜିତ ହୋଇଛି ହୋଲିରେ। ରାଜଧାନୀ ଛାତି ଉପରେ ଦୁଇଟି ମୁଣ୍ଡ ଗଡ଼ାଇଛନ୍ତି ନରହନ୍ତା। କେବଳ ଭୁବେନଶ୍ବର ନୁହେଁ କଟକ, ସମ୍ବଲପୁର, ବ୍ରହ୍ମପୁର ଓ ଅନୁଗୁଳରେ ପଡ଼ିଛି ରକ୍ତର ଛିଟା। କଟକରେ ଜଣଙ୍କର ହତ୍ୟା ହୋଇଥିବା ବେଳେ ସମ୍ବଲପୁରରେ ଜଣେ ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା କରାଯାଇଛି। ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବ୍ରାହ୍ମଣ ସାହିରେ ଜଣେ ବ୍ୟବସାୟୀଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଅନୁଗୁଳରେ ବି ସମାନ ତରିକାରେ ହତ୍ୟାକାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ।

ସେପଟେ ମୟୂରଭଞ୍ଜ ବାରିପଦା ସହରରେ ଜଣେ ଠିକାଦାରଙ୍କ ଗଳାକାଟି ନିର୍ମମ ଭାବେ ମାରି ଦିଆଯାଇଛି। ଏଠି ପ୍ରତିଶୋଧର ଦିନ ଭାବେ ହୋଲିକୁ ବାଛିଛି ହତ୍ୟାକାରୀ। ବାପାଙ୍କ ଅପମାନର ପ୍ରତିଶୋଧ ନେବାକୁ ମୁଣ୍ଡରୁ ଗଣ୍ଡିକି ଅଲଗା କରି ଦେଇଥିବା ପୋଲିସ ଆଗର ସ୍ବୀକାର କରିଛି। ସେଇ ମୟୁରଭଞ୍ଜ ଜିଲାର ଚାନ୍ଦୁଆ ଥାନା ଟଙ୍ଗାଶୋଳ ଗ୍ରାମରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ସ୍ତ୍ରୀକୁ କାଠ ଫାଳିଆରେ ପିଟି ପଠାଇ ଦେଇଛି ଆରପାରିକୁ। ମୋରଡା ଥାନା ଅଞ୍ଚଳରେ ଜଗନ୍ନାଥ ମନ୍ଦିର ବଣ ଭିତରୁ ଜଣେ ମହିଳାଙ୍କ ମୃତ ଦେହ ଜବତ ହୋଇଛି। ତାଙ୍କୁ ଦୁଷ୍କର୍ମ ପରେ ମାରି ଦିଆଯାଇଥିବା ଜଣା ପଡ଼ିଛି।

ହୋଲିରେ କେବଳ ଅପରାଧୀ ମଣିଷ ମୁଣ୍ଡ ନେଇଛି ତା ନୁହେଁ ଦଇବ ବି ସାଧିଛି ଦାଉ। ଶନିବାର ହୋଲି ଦିନ ସଡ଼କ ଦୁର୍ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ରେ ୨ ଜଣ, ମୟୁରଭଞ୍ଜରେ ୬ ଜଣ, ଭଦ୍ରକରେ ଜଣେ ଶିଶୁ କନ୍ୟା ଓ କେନ୍ଦୁଝରରେ ଦୁଇଟି ପୃଥକ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଝାସୁଗୁଡାରେ ୨ ଜଣ, ଦେବଗଡ଼ରେ ଜଣେ, ଅନୁଗୁଳରେ ଜଣେ, ବଲଙ୍ଗୀରରେ ଜଣେ, ଛିତିଶଗଡ଼ର ଖଟି ଗ୍ରାମରେ ଜଣେ ନୂଆପଡା ଯବୁକଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି।

କେବଳ ଏତିକି ଜୀବନ ଯାଇନି, ଉତ୍ସବ ପାଳନର ଅସାବଧାନତା ପାଇଁ ବି ଯାଇଛି ଏକାଧିକ ଜୀବନ। ପାଣିରେ ବୁଡ଼ି ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଢେଙ୍କାନାଳରେ ଜଣେ, ଅନୁଗୁଳରେ ଜଣେ, ଗୋପାଳପୁର ବେଳାଭୂମିରେ ଜଣେ, ଗଞ୍ଜାମ ରମ୍ଭା ଅଞ୍ଚଳରେ ଜଣେ ନାବାଳକ,ରାଉରକେଲାରେ ଜଣେ, କୋରାପୁଟରେ ଦୁଇଜଣ ଗୁଲମୀ ଜଳପ୍ରପାତରେ ବୁଡି ଯାଇଥିଲେ। ସେଠାରୁ ଜଣଙ୍କର ମୃତେଦହ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି। ସେପଟେ ଯାଜପୁରରେ ମଧ୍ୟ ବୁଡ଼ିଯାଇ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି। କଳାହାଣ୍ଡିରେ ବି ୨ ଜଣଙ୍କର ମୃତ୍ୟୁ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-festival-of-colors-holi-is-over-but-some-olive-stains-remain | Argus News