ସବୁଜିମା ଭରା ପାହାଡ ମଝିରେ ହସୁଛି ଅଳସୀ ଫୁଲ

ଅର୍ଗସ ବ୍ୟୁରୋ: ଶୀତୁଆ ସକାଳ । କୁହୁଡିର ପତଳା ଚାଦର । ଆଉ ସବୁଜିମା ଭରା ପାହାଡ ମଝିରେ ହସୁଛି ଅଳସୀ ଫୁଲ । କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ କରୁଛି ଅଧିକ ମନଲୋଭା । ଅଳସୀ ଫୁଲରେ ସୂର୍ଯ୍ୟଙ୍କ ପହିଲି କିରଣ ପରିବେଶକୁ ମତୁଆଲା କରୁଛି । ଲାଗୁଛି ସତେ ଯେମିତି ଏକର ଏକର ଏହି ଅଳସୀ ଫୁଲ ରୂପରେ ପ୍ରକୃତି ରାଣୀ ସୁନାର ଓଢଣୀ ମେଲି ବସିଛି । ଆଉ ପବନର ଟିକିଏ ସ୍ପର୍ଶ ଏହି ଫୁଲର ମହକକୁ ଚାରିଆଡେ ମହକିତ କରୁଛି । ପ୍ରକୃତିର ଏହି ଅପୂର୍ବ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆତ୍ମବିଭୋର କରୁଛି । ବର୍ଷା ଛାଡି ଶୀତ ଆସିବା ପରେ ଏହା ହେଉଛି କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟର ଦୃଶ୍ୟ। ଅଳସୀ ଫୁଲର ସୌନ୍ଦର୍ଯ୍ୟରେ ବିଭୋର ହେବା ପାଇଁ ଜିଲ୍ଲାରେ ଧୀରେ ଧୀରେ ବଢିବାରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼ । କିଏ ଅଳସୀ ଫୁଲର କ୍ଷେତରେ ସେଲ୍ଫି ନେଇ ସ୍ମୃତି ସାଇତି ରଖୁଛି ତ ଆଉ କିଏ ଏହାର ମହକକୁ ଉପଭୋଗ କରୁଛି ।
ଶୀତ ଦିନେ ଖାଲି ପର୍ଯ୍ୟଟନସ୍ଥଳୀ ବୁଲି ଲୋକେ ମନକୁ ସତେଜ ରଖୁଛନ୍ତି ତା ନୁହେଁ ଶରୀରକୁ ସତେଜ ରଖିବା ପାଇଁ ପ୍ରାତଃ ଭ୍ରମଣ ବି କରିବାକୁ ପସନ୍ଦ କରୁଛନ୍ତି । ଏଥିପାଇଁ ରାସ୍ତାଘାଟ ଦେଖ ତ ବ୍ୟାୟାମ ଶାଳା ଦେଖ ସବୁଠି ଭିଡ । ଜିଲ୍ଲାରେ ଶୀତ ଦାଉରୁ ନିଜକୁ ରକ୍ଷା ପାଇଁ ନିଆଁ ଜାଳି ବସୁଛନ୍ତି ଆଉ କିଏ ଥଣ୍ଡା ପାଗରେ ଗରମ୍ ଗରମ୍ ଚାହାର ମଜ୍ଜା ନେଉଛନ୍ତି । ଶୀତଦିନ ଆସିବା କ୍ଷଣି କୋରପୁଟର ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ପାଇଁ ଛୁଟି ଆସନ୍ତି ପର୍ଯ୍ୟଟକ । କିଏ ଅଳସୀ ଫୁଲ କ୍ଷେତରେ ତ ଆଉ କିଏ ବଣ ପାହାଡ଼ ସବୁଜିମାରେ ନିଜକୁ ହଜାଇ ଦିଅନ୍ତି ।