ଗଙ୍ଗାଜଳ ଚଢେଇଙ୍କ ଶୋଷ ମେଣ୍ଟାଇବା ସହିତ ସେମାନଙ୍କୁ ପକ୍ଷୀ ଜନ୍ମରୁ ମୁକ୍ତି ଦେବ

ପ୍ରବଳ ଖରାରେ ପାଣି ମୁନ୍ଦିଏ ଖୋଜୁଥିବା ପଶୁ ପକ୍ଷୀଙ୍କ କଥା ବୁଝୁଛନ୍ତି କେନ୍ଦ୍ରାପଡ଼ାର ଯୁବକ ରଶ୍ମି ରଞ୍ଜନ ବାରିକ। ରଶ୍ମି ରଞ୍ଜନ ଜଣେ ସରକାରୀ କର୍ମଚାରୀ ହେଲେ କଥା କହିପାରୁନଥିବା ଜୀବଜନ୍ତୁଙ୍କ କଥା ସେ ବେଶ ଭଲ ଭାବେ ଜାଣିଛନ୍ତି। ଖରା ଦିନର ତାତି ପକ୍ଷୀଙ୍କ ପାଇଁ କେତେ ଅସହ୍ୟ ଭଲ ଭାବେ ବୁଝିଛନ୍ତି । ଗତ ବର୍ଷ ନିଜ ପକେଟରୁ ଖର୍ଚ୍ଚ କରି ଗଛ ଡାଳରେ ଝୁଲାଇ ଥିଲେ ୫୦୦ ମାଟି ପାତ୍ର। ଚଳିତ ବର୍ଷ ଖରା ଆରମ୍ଭରୁ ପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା କରିଛନ୍ତି ରଶ୍ମି ରଞ୍ଜନ। ମାର୍ଚ୍ଚ ଆରମ୍ଭରୁ ଖରାତାତି ଅଧିକ ହେଲାଣି । ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଇବାକୁ କହୁଛନ୍ତି ଡାକ୍ତର । ହେଲେ ମଣିଷ ସିନା ଖୋଜି ଲୋଡି - କିଣି ,ଛାଣି ନିଜ ପାଇଁ ପାଣି ଯୋଗାଡ଼ କରିନେବ । କିନ୍ତୁ ପଶୁ ପକ୍ଷୀ କରିବେ କଣ ? କଥା କହିପାରୁନଥିବା ଏସବୁ ଜୀବଜନ୍ତୁଙ୍କ କଥା ବୁଝିବ କିଏ ? ଏଭଳି କିଛି ଚିନ୍ତାକରି ଆଗକୁ ଆସିଛନ୍ତି କେନ୍ଦ୍ରାପଡ଼ାର ଜଣେ ଯୁବକ ରଶ୍ମି ରଞ୍ଜନ ବାରିକ ।
ରଶ୍ମି ରଞ୍ଜନ ବୃତ୍ତିରେ ଜଣେ ସରକାରୀ କର୍ମଚାରୀ । କିନ୍ତୁ ତାଙ୍କର ପ୍ରବୃତ୍ତି ଜୀବଜନ୍ତୁଙ୍କ ପ୍ରତି ଦୟା । ଆଳି ମେଡିକାଲରେ କାମ କରୁଥିବା ରଶ୍ମି ଦୈନିକ ୩୫ କିଲୋମିଟର ଯିବା ଆସିବା କରି ନିଜ ଦାୟିତ୍ୱ ତୁଲାନ୍ତି । ଯିବା ଆସିବା ଭିତରେ ସେ ଖରା ଦିନର ତାତି ପକ୍ଷୀଙ୍କ ପାଇଁ କେତେ ଅସହ୍ୟ ଭଲ ଭାବେ ବୁଝିଛନ୍ତି । ପାଣି ମୁନ୍ଦାଏ ପାଇଁ ପକ୍ଷୀଙ୍କ କଷ୍ଟ ଦେଖି ସେ ଗତ ବର୍ଷ ନିଜ ପକେଟରୁ ଖର୍ଚ୍ଚ କରି ଗଛ ଡାଳରେ ଝୁଲାଇ ଥିଲେ ୫୦୦ ମାଟି ପାତ୍ର । ଚଳିତ ବର୍ଷ ଖରା ଆରମ୍ଭରୁ ପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା କରିଛନ୍ତି ରଶ୍ମି ରଞ୍ଜନ । କଟକ ଚାନ୍ଦବାଲି ରାସ୍ତାକଡ ଗଛକୁ ଚିହ୍ନଟ କରି ବନ୍ଧା ଯାଉଛି ଶିକା । ଶିକା ଗୁଡିକରେ ମାଟି ପାତ୍ର ବାନ୍ଧିବା ସହିତ ପାଣି ଭରୁଛନ୍ତି ରଶ୍ମି ରଞ୍ଜନ । ଗତ ବର୍ଷ ସେ ୫୦୦ ଜଳପାତ୍ର ବାନ୍ଧିଥିବା ବେଳେ ଚଳିତ ବର୍ଷ ହଜାରେ ବାନ୍ଧିଲେଣି । ପାଣି ସହିତ ଚଢେଇଙ୍କ ପାଇଁ ସେ ଦେଉଛନ୍ତି ଦାନା । ଏଥିପାଇଁ ସେ ଅନ୍ୟ କାହାର ସହଯୋଗ ଲୋଡି ନାହାନ୍ତି । ନିଜ ଦରମାରୁ ଖର୍ଚ୍ଚ କରି କରୁଛନ୍ତି ପକ୍ଷୀ ସେବା । ଏ ବର୍ଷ ପକ୍ଷୀଙ୍କ ପାଇଁ ରଶ୍ମିରଂଜନ ପ୍ରୟାଗରାଜରୁ ଆଣିଛନ୍ତି ଗଙ୍ଗାଜଳ । ଗଙ୍ଗାଜଳ ଚଢେଇଙ୍କ ଶୋଷ ମେଣ୍ଟାଇବା ସହିତ ସେମାନଙ୍କୁ ପକ୍ଷୀ ଜନ୍ମରୁ ମୁକ୍ତି ଦେବ ବୋଲି ରହିଛି ତାଙ୍କର ବିଶ୍ୱାସ।