Dhana Mandi / ଯେତିକି ସ୍ଥିର ହୋଇଛି ସେତିକି ଧାନ କିଣିବେ ସରକାର, ବଳକା ଧାନ...

Key Points
ଚଳିତବର୍ଷ ବଢିବନି ଧାନକିଣା ଲିମିଟ୍ । କୃଷି ବିଭାଗ ଜାରି କରିଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଧାନ କିଣାଯାଉଛି । ଜଳସେଚିତ ଜମିରେ ଏକର ପିଛା ୧୯ କୁଇଣ୍ଟାଲ ଏବଂ ଅଣ ଜଳସେଚିତ ଜମିରେ ୧୩ କୁଇଣ୍ଟାଲ ଧାନ ସରକାର କିଣୁଛନ୍ତି। ବଳକା ଧାନ ଯାହାର ରହିବ, ସେମାନେ ଘର ପାଇଁ ଖାଇବାକୁ ରଖିବେ କିମ୍ବା ମାର୍କେଟରେ ବିକ୍ରି କରିବେ । ଅଧିକ ଧାନ ଉତ୍ପାଦନ ହେଉଥିବ । କିନ୍ତୁ ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ଧାନ କିଣାଯିବ ।
ଧାନ କିଣା ଲିମିଟ ବଢିବ ନାହିଁ । କେଉଁ ତାରିଖରେ ଧାନ କିଣା ଯିବା ତାହା DLPC ଜିଲ୍ଲା ବୈଠକରେ ନିଷ୍ପତି ହେଉଛି । ଜିଲ୍ଲାପାଳ, ଜିଲ୍ଲା ପ୍ରଶାସନ, ଚାଷୀଙ୍କ ପ୍ରତିନିଧି ଆଲୋଚନା କରି ନିଷ୍ପତି ନେଉଛନ୍ତି । ସେପଟେ 6 ଜିଲ୍ଲାର ରିପୋର୍ଟ ଦେଲେ ଯୋଗାଣ ମନ୍ତ୍ରୀ । ବରଗଡ଼ ଜିଲ୍ଲାରେ 53 ହଜାର 838 ମେଟ୍ରିକ୍ ଟନ, ବଲାଙ୍ଗୀର 96 ମେଟ୍ରିକ୍ ଟନ୍, କଳାହାଣ୍ଡି 7 ହଜାର 387 ମେଟ୍ରିକ୍ ଟନ୍, ନୂଆପଡ଼ା 3 ହଜାର 847 ମେଟ୍ରିକ୍ ଟନ୍, ସମ୍ବଲପୁର, 60 ହଜାର 256 ମେଟ୍ରିକ୍ ଟନ୍, ସୁବର୍ଣ୍ଣପୁର 15 ମେଟ୍ରିକ୍ ଟନ୍ ଧାନ କିଣା ହେଲାଣି । ଏହିଭଳି ଭାବେ 1 ଲକ୍ଷ 25 ହଜାର 439 ମେଟ୍ରିକ୍ ଟନ୍ ଧାନ କିଣା ସରିଲାଣି ।
ଅନ୍ୟପଟେ ଆସନ୍ତା ୨୬ ଡିସେମ୍ବରରୁ ମୟୂରଭଞ୍ଜ ଜିଲ୍ଲାରେ ଧାନ ମଣ୍ଡି ଖୋଲାଯିବ ବୋଲି ସୂଚନା ମିଳିଥିବାବେଳେ ବାମନଘାଟି ଉପଖଣ୍ଡରେ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ମିଲରମାନଙ୍କ ଦଲାଲମାନେ ଉପଦ୍ରବ ଆରମ୍ଭ କରିଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଚାଷୀଙ୍କୁ ଟୋକନ ପ୍ରଦାନ କରିବା ପରେ ମଣ୍ଡିରେ ଚାଷୀମାନେ ନିଜର ଖରିଫ ଧାନ ବିକ୍ରୟ କରିବେ। ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ନିଷ୍ପତ୍ତିକ୍ରମେ ପଞ୍ଜିକୃତ ଚାଷୀମାନଙ୍କଠାରୁ ମଣ୍ଡି ଓ ଲାମ୍ପସ ମାଧ୍ଯମରେ ଧାନ ସଂଗ୍ରହ କରାଯିବ।
ସେଥିରେ ୧୮ ଜଣ ମିଲର ଅଂଶଗ୍ରହଣ କରିବେ। କିନ୍ତୁ ଧାନ ସଂଗ୍ରହ ପୂର୍ବରୁ ବାମନଘାଟି ଉପଖଣ୍ଡର ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତବର୍ତି ଅଞ୍ଚଳର ଚାଷୀଙ୍କ ଧାନ ଉପରେ ଝାଡ଼ଖଣ୍ଡ ରାଜ୍ୟର ମିଲରଙ୍କ ନଜର ପଡ଼ିଛି। ଯାହାକୁ ନେଇ ରାଇରଙ୍ଗପୁର, ତିରିଂ, ଜାମଦା, ବହଳଦା, କୁସୁମୀ ପ୍ରଭୃତି ବ୍ଲକର ବିଭିନ୍ନ ଗ୍ରାମରେ ଦଲାଲମାନଙ୍କ ଉପଦ୍ରବ ଜାରି ରହିଛି।
ବାମନଘାଟି ଉପଖଣ୍ଡରେ ୧୬ ହଜାର ୯୮୫ ଜଣ ଚାଷୀ ଧାନ ବିକ୍ରୟ କରିବେ। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ବାମନଘାଟି ଉପଖଣ୍ଡରେ ଭଲ ଅମଳ ମଧ୍ୟ ହୋଇଛି। ଯାହାକୁ ଦଲାଲ ନଜର କରି ଚାଷୀଙ୍କୁ ବୁଝେଇବା ଆରମ୍ଭ କରିଛନ୍ତି। ପଞ୍ଜିକୃତ ଚାଷୀଙ୍କୁ ଧାନ ବିକ୍ରି ନେଇ ଟୋକନ୍ ମିଳିବା ପୂର୍ବରୁ ଝାଡ଼ଖଣ୍ଡ ମିଲରମାନେ ବିଶୃଙ୍ଖଳା ସୃଷ୍ଟି କରିବାକୁ ପ୍ରୟାସ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି।
📱 Get Argus News App
✨Related Topics
Explore more stories