11 ବର୍ଷୀୟ ନାବାଳକର ପ୍ରାଣର ବଇରି ସାଜିଲା ପିଶାଚ ପଡ଼ୋଶୀ ଦାଦା

Key Points
ପୁରୀ ଡେଲାଙ୍ଗ ଆଶୀର୍ବାଦ ହତ୍ୟା ମାମଲାରେ ବଡ଼ ଖୁଲାସା
11 ବର୍ଷୀୟ ନାବାଳକର ପ୍ରାଣର ବଇରି ସାଜିଲା ପିଶାଚ ପଡ଼ୋଶୀ ଦାଦା
ନିଖୋଜର ୬ ଦିନ ପରେ ମିଳିଲା ମୃତଦେହ, ଯେଉଁଦିନ ନିଖୋଜ ସେହିଦିନ ହତ୍ୟା
ପାଇଖାନା ଟାଙ୍କିରେ ଫିଙ୍ଗି ଦେଇଥିଲା ମୃତଦେହ
ନାବାଳାକର ପରିବାର ସହ ପୂର୍ବ ଶତ୍ରୁତା ନା ଅନ୍ୟ କିଛି କାରଣ ପୋଲିସ କରୁଛି ଛାନଭିନ୍
6 ଦିନ ଧରି ନିଖୋଜ ଥିଲା ଆଶୀର୍ବାଦ । ଆଶଙ୍କାରେ ଥିଲେ ପରିଜନ । କିନ୍ତୁ ଆଶା ଥିଲା 11 ବର୍ଷର ପୁଅକୁ ସକୁଶଳ ଫେରିପାଇବେ। କିନ୍ତୁ ମୃତଦେହ ପାଇଖାନା ଟାଙ୍କିରୁ ମିଳିଲା ପରେ ଅସମ୍ଭାଳ ହୋଇଗଲା ସ୍ଥିତି । ଏମିତି ତ ବାପା, ମା ପ୍ରାୟ ସପ୍ତାହେ ହେଲା ଭୋକ ଶୋଷ ଭୁଲି ଯାଇଥିଲେ, ଏବେ ସମସ୍ତେ ହତବାକ୍ । ପୁରା ରତନପୁର ଗାଁରେ ଶୋକାକୂଳ ସ୍ଥିତି। ଆଶୀର୍ବାଦ ହତ୍ୟା ମାମଲାରେ ଏ ଯାଏଁ ଯେଉଁ ଖୁଲାସା ହୋଇଛି ତାହା ଯେତିକି ସ୍ପର୍ଶକାତର ସେତିକି ଭୟାନକ। ସମ୍ପର୍କୀୟ ଦାଦା ହିଁ ଆଶୀର୍ବାଦର ହତ୍ୟାକାରୀ । ଯେଉଁଦିନ ନିଖୋଜ ହୋଇଥିଲା, ସେହିଦିନ ଅଭିଯୁକ୍ତ ସଇତାନ ପଡୋଶୀ ଦାଦା ତାକୁ ହତ୍ୟା କରି ପାଇଖାନା ଟାଙ୍କିରେ ଫିଙ୍ଗି ଦେଇଥିଲା । ଏସ୍ ପି କହିଛନ୍ତି ଡାକ୍ତରୀ ଟିମ୍ ଦ୍ୱାରା ଆଶୀର୍ବାଦର ବ୍ୟବଚ୍ଛେଦ ହେବା ପରେ ତାର ମୃତ୍ୟୁ କେମିତି ହେଲା ଓ ଗୁପ୍ତାଙ୍ଗରେ କିଛି କ୍ଷତ ରହିଛି କି ନାହିଁ ତାହା ସ୍ପଷ୍ଟ ହେବ । ମୃତଦେହର DNA ଟେଷ୍ଟ କରାଯିବ ।
ନାବାଳକ ନିଖୋଜ ପରେ ସନ୍ଧାନୀ କୁକୁର ସହାୟତାରେ ପୋଲିସ ତଦନ୍ତ ବେଳେ ଅଭିଯୁକ୍ତ ଉପରକୁ ଆସିଥିଲା। ସେଦିନ କିନ୍ତୁ ଗାଁରେ ନ ଥିଲା ପ୍ରଭାକର । ପୋଲିସ ତାକୁ ପ୍ରାଥମିକ ପଚରାଉଚୁରା କରି ଛାଡ଼ିଦେଇଥିବାବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ରବିବାର 6 ଘଣ୍ଟା ଧରି ରାସ୍ତା ରୋକୋ କରିଥିଲେ ଗ୍ରାମବାସୀ। ତାପରେ ଭୟରେ ପ୍ରଭାକର ନିଜ ଫୋନ୍ ସ୍ବିଚ୍ ଅଫ୍ କରିଦେବାରୁ ବଢ଼ିଥିଲା ପୋଲିସର ସନ୍ଦେହ। ତା ପରେ ମୋବାଇଲ୍ ଟ୍ରାକ୍ କରି ଟାଙ୍ଗିସ୍ଥିତ ଏକ ଢାବାରୁ ଗିରଫ କଲା। ତାରି ବୟାନ ଆଧାରରେ ହିଁ ପାଇଖାନା ଟାଙ୍କିରୁ ଆଶୀର୍ବାଦର ମୃତଦେହ ଉଦ୍ଧାର କରାଗଲା । ସେପଟେ ଅଭିଯୁକ୍ତ ପ୍ରଭାକରକୁ ଫାଶୀ ଦାବିରେ ତାର ଘର ଭାଙ୍ଗିଛନ୍ତି ଉତ୍ତ୍ୟକ୍ତ ଗ୍ରାମବାସୀ ।
ପୁରୀରୁ ଶବ ବ୍ୟବଚ୍ଛେଦ ହେବା ପରେ ଗାଁକୁ ଅଣାଯାଇ ସଂସ୍କାର କରାଯାଇଥିବାବେଳେ ପରିବାରକୁ କ୍ଷତିପୂରଣ ଦାବି କରିଥିଲେ ଗ୍ରାମବାସୀ । ସ୍ଥାନୀୟ ବିଧାୟକ ପହଞ୍ଚି ପରିଜନଙ୍କୁ ଆଶ୍ବାସନା ଦେବା ସହ ତୁରନ୍ତ ନ୍ୟାୟ ମିଳିବା ନେଇ ଦେଇଛନ୍ତି ପ୍ରତିଶ୍ରୁତି।