ଆଖି ଆଗରେ ଶୁଖିଯାଉଛି କଷ୍ଟ ଉତ୍ପାଜିତ ଧାନକେଣ୍ଡା

ଡହ ଡହ ଖରାରେ ଝାଳବୁହା ପରିଶ୍ରମ । ସୁନାର ଫସଲ ଖେଳାଇ ଖୁସି ଥିଲା ଚାଷୀ ।ଚଳିତ ରବିରେ ଫସଲ ବମ୍ଫର୍ କ୍ରପ୍ ହେବା ନେଇ ବାନ୍ଧିଥିଲା ଆଶା l ହେଲେ ସବୁ ଆଶାକୁ ପାଣିଚିଆ କରିଦେଇଛି ଅଜଣା ରୋଗ l ଆଉ ଦିନ କେଇଟା ପରେ ଫସଲ ଅମଳ ହୋଇଥାନ୍ତା । ହେଲେ ଏବେ ଧାନର ସ୍ଥିତି ଦେଖି ଚିନ୍ତାରେ ଚଷା ପୁଅ l ଧାନରେ ଅଜଣା ରୋଗ ପୋକ ଲାଗି ଶୁଖିବାକୁ ବସିଲାଣି ଧାନକେଣ୍ଡା l ସବୁ ପ୍ରକାରର ଔଷଧ ଛିଞ୍ଚନ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ l ବରଗଡ଼ ଜିଲ୍ଲାର ଅନେକ ସ୍ଥାନରେ ଧାନ ଫସଲର ଏଭଳି ଅବସ୍ଥା l
ଧାନ ଫସଲର ଏଭଳି ଅବସ୍ଥା ନେଇ ଅତିରିକ୍ତ ଜିଲ୍ଲାପାଳ ଓ ସହକାରୀ କୃଷି ଅଧିକାରୀଙ୍କ ସହ ଆଲୋଚନା ସହ ସ୍ଥିତି ଅନୁଧ୍ୟାନ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଚାଷୀ l ଅନ୍ୟପକ୍ଷରେ ଏହି ଅଜଣା ରୋଗ କାହିଁକି ହେଉଛି ସେନେଇ କ୍ଷେତ୍ର ପରିଦର୍ଶନ କରାଯିବା ପରେ ପଦକ୍ଷେପ ନିଆଯିବ କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ l
ଚାଷୀଙ୍କ ପିଛା ଛାଡୁନି ସମସ୍ୟା । କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ତ କେତେବେଳେ ରୋଗ ପୋକ । କୃଷି ବିଭାଗ ତୁରନ୍ତ ପଦକ୍ଷେପ ନେବା ପାଇଁ ଚାଷୀମାନେ ଦାବି କରିଛନ୍ତି ।