Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେନ୍ଦୁପତ୍ର ତୋଳାଳିଙ୍କୁ ମିଳୁନି ଉପଯୁକ୍ତ ପ୍ରୋତ୍ସାହନ

Ritu Das
Browse all articles by Ritu Das
·1 year ago·2 min read
କେନ୍ଦୁପତ୍ର ତୋଳାଳିଙ୍କୁ ମିଳୁନି ଉପଯୁକ୍ତ ପ୍ରୋତ୍ସାହନ

Key Points

କେନ୍ଦୁପତ୍ର ତୋଳାଳୀଙ୍କୁ ସଠିକ ମୂଲ୍ୟ ମିଳୁ ନ ଥିବାରୁ ସେମାନଙ୍କ ଉନ୍ନତି ହୋଇପାରୁ ନ ଥିବା ଜଣାଇଛନ୍ତି

ଆଦିବାସୀ ମହିଳାମାନେ ଗୁଜୁରାଣ ମେଣ୍ଟାଇବା ପାଇଁ କେନ୍ଦୁପତ୍ର ଏକ ରୋଜଗାରର ମାଧ୍ୟମ ପାଲଟିଛି । ବର୍ଷ ବର୍ଷ ଧରି ଏହି କାର୍ଯ୍ୟକାରୀ ସେମାନେ ସ୍ୱାବଲମ୍ବୀ ହେବାକୁ ଚେଷ୍ଟା କରୁଛନ୍ତି । ହେଲେ କେନ୍ଦୁପତ୍ର ତୋଳାଳୀଙ୍କୁ ସଠିକ ମୂଲ୍ୟ ମିଳୁ ନ ଥିବାରୁ ସେମାନଙ୍କ ଉନ୍ନତି ହୋଇପାରୁ ନ ଥିବା ଜଣାଇଛନ୍ତି । ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକରେ ଏଭଳି କେନ୍ଦୁପତ୍ର ତୋଳାଳିମାନଙ୍କୁ କୌଣସି ପ୍ରକାର ପ୍ରୋତ୍ସାହନ ମିଳୁନି ବୋଲି ଅଭିଯୋଗ ହେଉଛି। ଖରା ସମୟରେ ମହିଳା ମାନେ କେନ୍ଦୁପତ୍ର ବିଡାକୁ ଶୁଖାଉଛନ୍ତି ଆଉ ଶୁଖିବା ପାଇଁ ଓଲଟାଉଛନ୍ତି। ଜଗନ୍ନାଥପ୍ରସାଦ ବ୍ଲକ ତାରାସିଂ, କୋକଲବା, ଗାୟଗଣ୍ଡା ଭଳି ପଞ୍ଚାୟତ ଅଞ୍ଚଳର ଏହି ଅଞ୍ଚଳର ଜଙ୍ଗଲରେ ଭରପୁର କେନ୍ଦୁଗଛ ରହିଛି। ଏହାର ପତ୍ରକୁ ତୋଳି ଅନେକ ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି । ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, କେନ୍ଦୁପତ୍ର ସଂସ୍ଥା ପକ୍ଷରୁ ମହିଳା ଦଳ ଗଠନ କରି ଏମାନଙ୍କ ଦ୍ୱାରା କେନ୍ଦୁପତ୍ର ତୋଳି ଏହାକୁ ବିଡା ବନ୍ଧାଇ ସଂଗ୍ରହ କରି ନେଇଥାନ୍ତି । ଅଞ୍ଚଳର ଆଦିବାସୀ ମହିଳା ମାନେ ଜଙ୍ଗଲରେ ବୁଲିବୁଲି ଏହି ପତ୍ରକୁ ତୋଳିବା ସହିତ ବିଡା ବାନ୍ଧି ଖରାରେ ଶିଖାଇ ଥାଆନ୍ତି। ୨୨ଟି ପତ୍ରକୁ ନେଇ ବିଡା କରାଯାଇଥାଏ ।


ଏଗୁଡ଼ିକୁ ଖରାରେ ବାହାରେ ଶୁଖାଇବା ପରେ ବିଡା ଗୁଡିକୁ କେନ୍ଦୁପତ୍ର ପଡିରେ ଥାକମାରି ସଜାଇ ରଖିଥାନ୍ତି। ଅଞ୍ଚଳର କୋକଲବା, ତିନିଛକିଆ, ସୁରମୁଣୀ, ଜାଡଧାର , ଗାୟଗଣ୍ଡା, ରୁଢାପଦର ଭଳି ବିଭିନ୍ନ ପଞ୍ଚାୟତରେ ବର୍ଷର ମାତ୍ର ଦୁଇ ତିନିମାସ ଏହି କାର୍ଯ୍ୟ କରାଯାଇଥାଏ । ପତ୍ର ବିଡା ଗୁଡିକୁ ୧.୬୦ ପଇସା ଦରରେ ବିଭାଗ ପକ୍ଷରୁ ଅର୍ଥ ପ୍ରଦାନ କରାଯାଇଥାଏ । ଦିନକୁ ୧୦୦ ଟଙ୍କା ହିସାବରେ ଟଙ୍କା ମିଳୁଥିବାରୁ ମହିଳା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଭାଗ ପକ୍ଷରୁ ଏଥିରେ ପଞ୍ଜୀକୃତ ହୋଇଥିବା ସଦସ୍ୟ, ସଦସ୍ୟାମାନଙ୍କୁ ଅନେକ ସୁବିଧା ଦେବାର ବ୍ୟବସ୍ଥା ରହିଥିଲେ ମଧ୍ୟ କୌଣସି ସୁବିଧା ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହୋଇଛି । ୨୦୨୨ ମସିହା ପୂର୍ବରୁ ସମସ୍ତ ସଦସ୍ୟଙ୍କୁ ଚପଲ, ଲୁଗା, ପାଣିବୋତଲ ଭଳି ବିଭିନ୍ନ ସାମଗ୍ରୀ ପାଇଁ ଅର୍ଥ ପ୍ରଦାନ କରାଯାଉଥିଲା । ଝିଅ ବିବାହ ପାଇଁ ୨୫ ହଜାର ଟଙ୍କା, ସାଇକଲ, ପିଲାଙ୍କ ପାଠ ପଢା ପାଇଁ ଅର୍ଥରାଶି ପ୍ରଦାନ କରିବା ଲିଖିତ ଫଳକ ଅଛି ହେଲେ ସେଭଳି କୌଣସି ସହାୟତା ମିଳୁ ନ ଥିବା ମହିଳା ମାନେ ଜଣାଉଛନ୍ତି । ସରକାର ଏଥି ପ୍ରତି ନଜର ଦେଇ ସୁବିଧା ପ୍ରଦାନ କରିବା ସହ ଅଧିକା ଟଙ୍କା ଦେଲେ ଏଥିରେ ଚଳୁଥିବା ଆଦିବାସୀ ପରିବାର ଗୁଡିକ ଲାଭାନ୍ବିତ ହୋଇପାରିବେ ବୋଲି ଆଶା ପୋଷଣ କରିଛନ୍ତି। ତେବେ ଅନ୍ୟପକ୍ଷରେ ଏନେଇ ବିଭାଗୀୟ ଡେପୁଟି ରେଞ୍ଜର ସୁମିତ୍ରା ପ୍ରଧାନଙ୍କୁ ବୁଝିବାରୁ ସମସ୍ତ କେନ୍ଦୁପତ୍ର ଗୋଟାଳିଙ୍କୁ ଆବଶ୍ୟକୀୟ ସୁବିଧା ପ୍ରଦାନ କରାଯାଉଥିବା କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-kendu-leaf-womens-are-not-getting-proper-incentives | Argus News