ଖଡ଼ିଆ ସମ୍ପ୍ରଦାୟଙ୍କୁ ବିକାଶ ଧୋକା, ଯୋଜନା ବିନା ବିତୁଛି ଅଭିଶପ୍ତ ଜୀବନ

ଆଦିବାସୀ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଳକ ଯୁଆଳିଭଙ୍ଗା ପଂଚାୟତ ତଥା ମୋରଡ଼ା ନିର୍ବାଚନ ମଣ୍ଡଳୀର ଶେଷ ଗାଁ ପୁରୁଷୋତ୍ତମପୁର। ଯେଉଁଠି ଆଜିଯାଏଁ ବିକାଶ ପହଞ୍ଚି ପାରିନାହିଁ। ଗାଁରେ ଶତପ୍ରତିଶତ ଆଦିମ ଜନଜାତି ଖଡିଆ ସମ୍ପ୍ରଦାୟର। ଯେଉଁ ମାନଙ୍କ ପାଇଁ ସମସ୍ୟା ମାଳମାଳ। ସ୍ବାଧୀନତାର ୭୬ ବର୍ଷପରେ ଗାଁରେ ବିଜୁଳି ଅପହଞ୍ଚ। ଖୁଣ୍ଟ ପୋତା ହେଇଛି, ଘରକୁ ଘର ତାର ଖଞ୍ଜା ଯାଇଛି ହେଲେ ଆଲୁଅ ଜଳୁନି। କେବଳ ଲୋକ ଦେଖାଣିଆ ଖୁଣ୍ଟ ସାଙ୍ଗକୁ ଘରକୁ ଘର ତାର ଖଞ୍ଜା ହେଇଛି। ଗାଁଟି ମୋରଡ଼ା ଓ ବେତନଟୀ ବ୍ଲକ ସୀମାରେ ଥିବାରୁ ବେତନଟୀ ବ୍ଲକର ବିଦ୍ୟୁତ୍ ଅଧିକାରୀ ମାନେ ଇଲେକ୍ଟ୍ରି ଖୁଣ୍ଟ ପୋତି ଘରକୁ ଘର ତାର ଖଞ୍ଜି ଦେଲେ , ଯେତେବେଳେ ଜାଣିବା ପାଇଁ ପାଇଲେ ଏହା ମୋରଡ଼ା ବ୍ଲକରେ ଯାଉଛି ବିଦ୍ୟୁତ୍ ସଂଯୋଗ ନକରି ଏମିତି ଛାଡ଼ିଦେଲେ। ଫଳରେ ଏମାନେ ଅନ୍ଧାରରେ ଜୀବନ ଯାପନ କରୁଛନ୍ତି।
ଗାଁରେ ଆଉ ଏକ ବଡ଼ ସମସ୍ୟା ପାନୀୟ ଜଳ। ଗାଁରେ ଗୋଟିଏ ସରକାରୀ ପକ୍କା କୂଅ ଥିଲା ଯାହା ଦୀର୍ଘ ବର୍ଷ ହେବ ପରିତ୍ୟକ୍ତ ଅବସ୍ଥାର ପଡ଼ିରହିଛି। ଜଳ ଯୋଗାଣ ପାଇଁ ଗୋଟିଏ ନଳକୂପ ଅଛି ମାତ୍ର ତାହାର ପାଣି କଥା ନକହିଲେ ଭଲ। ଦେଖନ୍ତୁ କିଭଳି ପାଣି ବାହାରୁଛି,ଲାଲି ରଙ୍ଗର ଆଇରନ ଯୁକ୍ତପାଣି । ଯେଉଁ ପାଣି ପିଇ ଗ୍ରାମବାସୀଙ୍କ ଦେହ ଅସୁସ୍ଥ ହେଉଛି। ଦୀର୍ଘ ବର୍ଷ ହେବ ବସୁଧା ଯୋଜନାରେ ପାଇପ ବିଛା ହୋଇଛି, ଟେପ ଖୁଣ୍ଟ ପୋତା ହୋଇଛି ହେଲେ ପାଣିଆସୁନି। ସମ୍ପୂର୍ଣ୍ଣ ବସୁଧା ଯୋଜନା ଫେଲ ମାରିଛି ଏଠି । ଏ ସବୁ ଜରିପାଲ, ଭଙ୍ଗା ଦଦରା ଚାଲ ଛପର ଘର ।
ଗାଁର ବହୁ ଯୋଗ୍ୟ ହିତାଧୀକାରୀ ଭତ୍ତା ପାଇବାରୁ ବଞ୍ଚିତ। ଆବାସ, ଭତ୍ତା ଏମାନଙ୍କ ପାଇଁ ଦିବାସ୍ଵପ୍ନ । ଏପରିକି ବହୁ ଯୋଗ୍ୟ ହିତାଧିକାରୀ ରାସନ କାର୍ଡରୁ ବଞ୍ଚିତ। ସକାଳ ହେଲେ ଜଙ୍ଗଲରୁ ଶାଳ ପତ୍ର ଓ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରୀ କରି ଜୀବନ ଜାପନ କରନ୍ତି ଏହି ଗାଁରେ ବସବାସ କରୁଥିବା ଖଡ଼ିଆ ସମ୍ପ୍ରଦାୟର ଜନଜାତି। ମାତ୍ର ସହାୟତା ନାଁରେ ପୂର୍ବ ସରକାର ଏମାନଙ୍କୁ ବାରାମ୍ବାର ପ୍ରତାରଣା ଦେଉଥିବା ଅଭିଯୋଗ ହୋଇଛି। ବଣ ଜଙ୍ଗଲ ଘେରା ଅସହାୟ ଗାଁ। ପ୍ରାସାସନିକ ଅବହେଳା ଯୋଗୁଁ ଅନ୍ଧାରରେ ଜୀବନ ଅତିବାହିତ କରୁଛନ୍ତି ଏଠି ବସବାସ କରୁଥିବା ଜନଜାତି। ଖାଡିଆ,ମାଙ୍କଡିଆଙ୍କ ପାଇଁ ଉନ୍ନୟନ ସଂସ୍ଥା କାର୍ଯ୍ୟ କରୁଥିବା ବେଳେ କିଭଳି ଏମାନେ ସରକାରୀ ଯୋଜନାରୁ କୋଷ ଦୂରରେ,ତାହା ବଡ଼ ପ୍ରଶ୍ନ ହୋଇ ଛଡା ହେଇଛି।