ମହାପ୍ରଭୁଙ୍କ ପାଖକୁ ଫେରିବ ଜମି, ତୁଟିବ ସବୁ ବିବାଦ ! ଆସିବ ୟୁନିଫର୍ମ ପଲିସି

୨ ବର୍ଷରେ ହେବ ସବୁ ସମାଧାନ । ମହାପ୍ରଭୁଙ୍କ ଜମି ମହାପ୍ରଭୁଙ୍କ ପାଖକୁ ଫେରିବ । ଯିଏ ବି ଜବରଦଖଲ କରିଥିବ, ତାଙ୍କଠାରୁ ଉଚ୍ଛେଦ ହେବ । ଏନେଇ ସରକାର କରୁଛନ୍ତି ମାଷ୍ଟର ପ୍ଲାନ୍ । ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ । ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ୩ ମାସ ମଧ୍ୟରେ ରାଜ୍ୟ ସରକାର ନୂଆ ୟୁନିଫର୍ମ ଲ୍ୟାଣ୍ଡ ପିଲିସି ଆଣିବାକୁ ଯାଉଛନ୍ତି । କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ ଦିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ ବୋଲି ଗୃହରେ କହିଛନ୍ତି ।
ଯେଉଁମାନେ ଅଧିକ ବର୍ଷ ଧରି ଜଗନ୍ନାଥଙ୍କ ଜମି ଜବରଦଖଲ କରିଥିବେ ତାଙ୍କୁ ୧୦୦ ଡିସିମିଲ ଜାଗା ରିହାତି ଦରରେ ରାଜ୍ୟ ସରକାର ଯୋଗାଇ ଦେବେ । କୋରାପୁଟରେ ୨୭ ହାଜର ୪୧୦ ଏକର ଜଗନ୍ନାଥ ଜମି ଚିହ୍ନଟ ହୋଇଛି । କୋରାପୁଟ ଜିଲ୍ଲାରେ ଜଗନ୍ନାଥ ଜମି ଯେଉଁଠି ଜବର ଦଖଲ ହୋଇଥିଲା ତାକୁ ଜବର ଦଖଲ ମୁକ୍ତ କରାଯାଇଛି ବୋଲି ଗୃହରେ କହିଛନ୍ତି ଆଇନ ମନ୍ତ୍ରୀ ।
ତେବେ ୨୪ଟି ଜିଲ୍ଲାରେ ମୋଟ ୬୦ ହଜାର ୪୨୬.୯୪ ଏକର ଜଗନ୍ନାଥଙ୍କ ଜମି ରହିଛି । ୩୮ ହଜାର ୬୧ ଏକର ଜମିର ସଂଶ୍ୱଧିତ ଶେତ୍ୱଲିପି ରାଜ୍ୟ ସରକାରଙ୍କ ପାଖରେ ରହିଛି । ଯାହାର ଡିଜିଟାଇଜେସନ ପ୍ରକ୍ରିୟା ଜାରି ରହିଛି । ୨୨ ହଜାର ଏକର ଜମିର ଆରୋଆର ଯୋଗାଡ଼ ଚାଲିଛି । ରାଜ୍ୟ ବାହାରେ ୬ଟି ପ୍ରଦେଶରେ ୩୯୫.୨୫ ଏକର ଜଗନ୍ନାଥ ଜମି ରହିଛି । ଏନେଇ ବିଧାନସଭା ପ୍ରଶ୍ନକାଳରେ ତଥ୍ୟ ରଖିଲେ ଆଇନ ମନ୍ତ୍ରୀ ।
ଅନ୍ୟପଟେ ଶ୍ରୀମନ୍ଦିରର ପାଳିଆ ସେବାୟତଙ୍କ ପାଇଁ ଆସିଛି ବଡ଼ ଖବର । ଭକ୍ତଙ୍କୁ ଭଲ ବ୍ୟବହାର ସହ ନୀତିକାନ୍ତି ଉପରେ ପ୍ରଶିକ୍ଷଣ ନେବେ ଶ୍ରୀମନ୍ଦିର ପାଳିଆ ସେବକ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପ୍ରିଲ ୪ ତାରିଖରୁ ଆରମ୍ଭ ହେବ ଏହି ପ୍ରଶିକ୍ଷଣ । ଏପ୍ରିଲ ୪ ଓ ୫ ତାରିଖ ଦୁଇଦିନ ଧରି ଦିନ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ବରିଷ୍ଠ ଅଧିକାରୀଙ୍କ ସହ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ମହାପ୍ରଭୁଙ୍କ ନୀତିକାନ୍ତି ଉପରେ ଅଭିଜ୍ଞ ଓ ବରିଷ୍ଠ ସେବାୟତମାନେ ଏଥିରେ ଯୋଗଦେଇ ପ୍ରଶିକ୍ଷଣ ଦେବେ ।
ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ କିପରି ବ୍ୟବହାର କରିବେ, ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଓ କେଉଁ ପ୍ରକ୍ରିୟାରେ ହେବ, ସବୁର ଟିଖିନିଖି ପ୍ରଶିକ୍ଷଣ ଦିଆଯିବ । ମହାପ୍ରଭୁଙ୍କ ଦୈନନ୍ଦିନ ସେବାରେ ନିୟୋଜିତ ସେବାୟତମାନେ ଏହି ପ୍ରଶିକ୍ଷଣ ନେବେ । ଏହା ପୂର୍ବରୁ କେଉଁ କେଉଁମାନେ ଏହି ପ୍ରଶିକ୍ଷଣ ନେବେ, ତାର ତାଲିକା ପ୍ରସ୍ତୁତ ଚାଲିଛି। ସମସ୍ତ ନିଯୋଗକୁ ଏ ଉପରେ ତାଲିକା ମଗାଯାଇଛି । ଏପ୍ରିଲ ୨ ତାରିଖ ସୁଦ୍ଧା ସମସ୍ତ ନିଯୋଗ ପ୍ରଶିକ୍ଷଣ ନେବାକୁ ଥିବା ପାଳିଆ ସେବକଙ୍କ ନାମ, ଠିକଣା ଓ ଯୋଗାଯୋଗ ନମ୍ବର ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିବାକୁ କୁହାଯାଇଛି । ଏପ୍ରିଲ ୨ ତାରିଖ ଅପରାହ୍ନ ସୁଦ୍ଧା ସେବକ କଲ୍ୟାଣ ବିଭାଗରେ ଆବଶ୍ୟକ ପଞ୍ଜିକରଣ କରିବେ ।