ନେତୃତ୍ବ ବଦଳିଲା,କଂଗ୍ରେସର ଭାଗ୍ୟ ବଦଳିବ କେବେ?

ଅର୍ଗସ ବ୍ୟୁରୋ: ନେତୃତ୍ବ ବଦଳିଲା କେବେ ବଦଳିବ କଂଗ୍ରେସର ଭାଗ୍ୟ।ହାତ ପିଛା ଛାଡୁନି ଗୋଷ୍ଠୀ କନ୍ଦଳ। ଏଆଇସିସି ଓଡ଼ିଶା ପ୍ରଦେଶ କମିଟି ଭାଙ୍ଗିବା ପରେ କିଏ ହେବେ ନୂଆ ପିସିସି ସଭାପତି? ଶରତ ପଟ୍ଟନାୟକଙ୍କ ସ୍ଥାନ ନେବେ କିଏ? ସଭାପତି ବଦଳିଲେ ବଦଳିବ ତ କଂଗ୍ରେସର ଭାଗ୍ୟ। ଏନେଇ ଏବେଠୁ ଉଠିଲାଣି ଅନେକ ପ୍ରଶ୍ନ, ପୁଣି ହାତକୁ ଘାରିଲାଣି ଗୋଷ୍ଠୀ କନ୍ଦଳ ଡର।
କଂଗ୍ରେସର ଜାତୀୟ ସଭାପତିଙ୍କ ଅନୁମୋଦନ କ୍ରମେ ଭଙ୍ଗାଯାଇଛି ସବୁ କମିଟି । ପିସିସି ସଭାପତିଙ୍କ ସମେତ ସମସ୍ତ ପଦାଧିକାରୀ ହଟିଛନ୍ତି ପଦବୀରୁ।ନୂଆକମିଟି ଗଠନ ହେବା ଯାଏ ବର୍ତ୍ତମାନର ଜିଲ୍ଲା ସଭାପତି କାମଚଳା ସଭାପତି ଭାବେ ଦାୟିତ୍ୱରେ ରହିବେ। ଲୋକସଭା ଓ ବିଧାନସଭାରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏଭଳି ନିଷ୍ପର୍ତ୍ତି ନେଇଛି ଏଆଇସିସି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ଭକ୍ତ ଚରଣ ଦାସ ନୂଆ ପିସିସି ସଭାପତି ରେସରେ ବେଶ ଆଗରେ ରହିଛନ୍ତି । ଅନ୍ୟପଟେ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ପାଇଁ ମଧ୍ୟ କିଛି ଗୋଷ୍ଠୀ ଲବି କରିବା ଆରମ୍ଭ କଲେଣି। ଅନ୍ୟପଟେ ଏ ରେସରେ ବେଶ ଆଗରେ ରହିଛନ୍ତି କୋରାପୁଟରୁ ୨ଥର ସାଂସଦ ଭାବେ ଜିତିଥିବା ସପ୍ତଗିରି ଉଲ୍ଲାକା। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା,ଜୟପୁର ବିଧାଯକ ତାରାପ୍ରସାଦ ବାହିନୀପତିଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ହାତ ରାଜନୀତି କଂଗ୍ରେସ ଭବନରୁ ଯାଇ ଦିଲ୍ଲୀରେ ଦରବାରରେ ପହଞ୍ଜିଛି।
ଶରତଙ୍କ ନେତୃତ୍ବରେ କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନ ଲଢିଥିଲା,୧୪ ବିଧାୟକ,ମାତ୍ର ଗୋଟିଏ ଏମପି ସିଟ୍ ଜିତିବାରେ ସଫଳ ହୋଇଥିଲା ହାତ,କିନ୍ତୁ ନିଜେ ଶରତ ଜିତିପାରିନଥିଲେ ନିର୍ବାଚନ। ଯଦିଓ ୨୦୧୯ରେ ନିରଂଜନ ପଟ୍ଟନାୟକଙ୍କ ନେତୃତ୍ବରେ ହାତକୁ ମାତ୍ର ୯ଟି ବିଧାୟକ ସିଟ୍ ,୧ ଗୋଟିଏ ଲୋକସଭା ସିଟ୍ ଜିତିଥିଲା ଦଳ। ଏପଟେ ୯ରୁ ୧୪ରେ ପହଞ୍ଜିଛି କଂଗ୍ରେସର ସଂଖ୍ୟା। ପୂର୍ବ ବିଧାନସଭା ଅପେକ୍ଷା ସଂଖ୍ୟା ବି ବଢିଛି,ମାତ୍ର ଏକାଠି ହୋଇପାରୁନାହାନ୍ତି ହାତ ନେତାଏ
📱 Get Argus News App
✨କଂଗ୍ରେସ ସଭାପତି ରେସରେ ରହିଛନ୍ତି ଅନେକ ନେତା।ରାଜ୍ୟ ବଜେଟ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ବିଧାୟକ ଦଳ ନେତା ବାଛିଚି ହାତ ଦଳ ,କଂଗ୍ରେସ ବିଧାୟକ ଦଳ ନେତା ଭାବେ ବିଧାୟକ ରାମଚନ୍ଦ୍ର କାଡ଼ାମ୍ ଙ୍କ ନାଁରେ ମୋହର ମାରିଛି ଏଆଇସିସି ।ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକରେ କଂଗ୍ରେସରୁ କେହି ନେତା ସାମିଲ ହୋଇ ନଥିଲେ।ଆଉ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଖୋଦ୍ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି,ସେ ପ୍ରତିକ୍ରିୟାରେ କହିଛନ୍ତି କଂଗ୍ରେସ ଭଳି ଏକ ପୁରୁଣା ଦଳ ସର୍ବଦଳୀୟ ବୈଠକରେ ଯୋଗ ନଦେଇପାରିବା ଦୁର୍ଭାଗ୍ୟଜନକ ।
ପ୍ରଶ୍ନ ଉଠୁଛି ଯେଉଁଠି କଂଗ୍ରେସ ନେତାଏ ଏକାଠି ହୋଇପାରୁ ନାହାନ୍ତି ସେଠି ସରକାରଙ୍କୁ ଘେରିବା କଣ। କେମିତି ହାତ ନେତାଙ୍କୁ ଏକାଠି କରିବେ ଦଳର ସୁପ୍ରିମୋ। ଦୂର ହେବ ତ ଦଳ ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ,କଂଗ୍ରେସକୁ ଶକ୍ତିଶାଳୀ କରିବା ଲାଗି କେଉଁ ଫର୍ମୁଲାରେ ଆଧାରରେ ଏଆଇସିସି ବାଛିବ ପିସିସି ସଭାପତି, ନେତୃତ୍ବ ବଦଳିଲେ ବଦଳିବତ ହାତର ଭାଗ୍ୟ