ସବୁଠି ଦିଶୁଛି ହୀରା ରାଇଜର ବିଭା ଓ ବିଭବ

ଅର୍ଗସ ବ୍ୟୁରୋ: ଆସନ୍ତା ୨୩ ତାରିଖରେ ସାରା ଦେଶ ପାଳିବ ବୀର ସନ୍ତାନ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ। ୨୧୬ ତମ ଜନ୍ମଜୟନ୍ତୀ ପୂର୍ବରୁ ଏକ ଦୈନିକ ଖବର କାଗଜରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲେଖ୍ୟ `ହୀରା ରାଇଜର ହୀରା ପୁଅ'କୁ ନେଇ ଜୋର ଧରିଛି ଚର୍ଚ୍ଚା । ଏଥିରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିବାକୁ ଯାଇ ଲେଖିଛନ୍ତି ଅତୀତରେ ଅସରନ୍ତି ହୀରା ପଥର ସାଉଁଟିଛି ଆମ ରାଜ୍ୟ। ଏହାରି ଭିତରେ ସବୁଠାରୁ ଦାମୀ ହୀରା ଥିଲେ ବୀର ସୁରେନ୍ଦ୍ର ସାଏ। ଯାହାଙ୍କୁ ହରାଇ ହୀରାକୁଦ ଅଞ୍ଚଳ ଆଜି ବି ଝୁରି ହେଉଛି। ଦେଶ ଯେତେବେଳେ ଏହି ବୀର ସନ୍ତାନଙ୍କ ଜୟନ୍ତୀ ପାଳିବ ସେତେବେଳେ ହୀରାକୁଦ ବି ଗୁମୁରି ଗୁମୁରି କାନ୍ଦିବ
ଦିନ ଥିଲା ବଙ୍ଗ ଗଭର୍ଣ୍ଣରଙ୍କୁ ୧୬ କ୍ୟାରେଟ ହୀରା ଉପହାର ଦେଇଥିଲେ ସମ୍ବଲପୁର ରାଜା । ଆଫ୍ରିକାର ହୀରା ବିଶ୍ବବଜାରରେ ଆଦୃତ ହେବାର ବହୁ ପୂର୍ବରୁ ଓଡ଼ିଶାର ହୀରା ବି ବିଶ୍ବବଜାରରେ ପ୍ରସିଦ୍ଧି ଲାଭ କରିଥିଲା। ଅତୀତରେ ୟୁରୋପୀୟ ଦେଶ ଗୁଡିକରେ ହୀରାକୁଦ ହୀରାର ବିଶେଷ ଚାହିଦା ରହିଥିଲା। ଯାହା ବହୁ ପ୍ରାଚୀନ ଗ୍ରନ୍ଥରେ ଉଲ୍ଲେଖ ରହିଛି। ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀର ରୋମାନ ବିଦ୍ବାନ ଟଲେମିଙ୍କ 'ଜିଓଗ୍ରାଫିଆ' ପୁସ୍ତକରେ ହୀରାର ପେଣ୍ଠ ସମ୍ବଳକ ବୋଲି ଉଲ୍ଲେଖ ରହିଛି। ହୀରାକୁଦର ହୀର ଆଜି ଇରାନ, ଫ୍ରାନ୍ସ ଭଳି ବିଭିନ୍ନ ଦେଶରେ ରହିଛି। ୧୭୬୬ ମସିହାରେ ସମ୍ବଲପୁରର ରାଜା ଅଭୟ ସିଂ ବଙ୍ଗ ଗଭର୍ଣ୍ଣର ରବର୍ଟ କ୍ଲାଇଭଙ୍କୁ ୧୬ କ୍ୟାରେଟ ହୀରା ଉପହାର ଭାବେ ଦେଇଥିବା ରେକର୍ଡ କହୁଛି
📱 Get Argus News App
✨ଯେତେବେଳେ ବ୍ରିଟିଶରମାନେ ରାଜ୍ୟ ଦଖଲ କଲେ ସେମାନେ ରାଜଗାଦିରେ ବସି ଅତ୍ୟାଚାର ବଢାଇଲେ। ଯେଉଁ ଅତ୍ୟାଚାରରୁ ଆରମ୍ଭ ହୁଏ ସଂଘର୍ଷ। ଶେଷରେ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଠିକଣା ପାଲଟେ ହୀରାକୁଦ ସନ୍ନିକଟ ଅଞ୍ଚଳର ଅଗନା ଅଗନି ବନସ୍ତ ଦେବ୍ରୀଗଡ। ଦେବ୍ରୀଗଡର ବାରବଖରା ଥିଲା ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ସାମରିକ ଘାଟି। ବୀର ସୁରେନ୍ଦ୍ର ସାଏଙ୍କ ଭାଇ ମାନଙ୍କ ମହାସଂଗ୍ରାମ ୧୮୨୭ ରୁ ୧୮୬୪ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ସଂଘର୍ଷରେ ବହୁ ପ୍ରିୟଜନଙ୍କୁ ହରାଇ କାରାଦଣ୍ଡରେ ଥିବା ବେଳେ ଦେହାନ୍ତ ହୁଏ ବୀର ସୁରେନ୍ଦ୍ର ସାଏ ଏବଂ ତାଙ୍କ ଭାଇ ଉଦନ୍ତ ସାଏଙ୍କର । ଆଉ ଏହାର ଏକ ଶତାବ୍ଦୀ ପରେ ବଦଳେ ହୀରାକୁଦର ଭୂଗୋଳ। ପ୍ରତିଷ୍ଠା ହୁଏ ହୀରାକୁଦ ଡ୍ୟାମ
ଏବେ ପାଣିତଳୁ ହୀରା ମିଳୁ କି ନମିଳୁ ହୀରାକୁଦ ଏବେ ଓଡ଼ିଶାକୁ ବାଣ୍ଟୁଛି ହୀରା । ସେ ହୀରା ହେଉଛି ଜଳ ବିଦ୍ୟୁତର ହୀରା, ଜଳ ସେଚନର ହୀରା। ବନ୍ୟା ମରୁଡି ଭଳି ବିପର୍ଯ୍ୟୟ ବେଳେ ଓଡ଼ିଶାର କୃଷିକ୍ଷେତ୍ର ପାଇଁ ପାଲଟିଛି ବରଦାନ। ଓଡ଼ିଶାର ଆର୍ଥିକ ପ୍ରଗତିରେ ଦୀରାକୁଦର ଅବଦାନ ଅତୁଳନୀୟ
ଆଉ ଏବେ ଏହି ବିକାଶର ଧାରାରେ ଯୋଡି ହେଉଛି ଏକ ନୂଆନୂଆ ଫର୍ଦ୍ଦ। ହୀରାକୁଦ ପାଇଁ ଅବିଭକ୍ତ ସମ୍ବଲପୁର କୃଷି ସମୃଦ୍ଧି ଓଡ଼ିଶାର କର୍ଣ୍ଣଧାର ହେବାକୁ ଯାଉଛି। ଅତୀତରେ ବହୁ ହୀରା ପଥର ସାଉଁଟିଛି ଏ ଅଞ୍ଚଳ । ଓଡ଼ିଶାର ବର୍ତ୍ତମାନ ଓ ଭବିଷ୍ୟତ ଅର୍ଥନୈତିକ ଅଭିବୃଦ୍ଧିର ମୂଳଦୂଆ ବି ହୀରାକୁଦ । ଏହି ଭିତରେ ହୀରାକୁଦ ଡ୍ୟାମକୁ ୬୮ ବର୍ଷ ପୂରିଛି ଆଉ ହୀରାକୁଦର ହୀରା ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମକୁ ୨୧୬ ବର୍ଷ ପୂରିବାକୁ ଯାଉଛି । ବର୍ତ୍ତମାନ ଆମ ସମୟ ଏକ ସମ୍ଭାବନାର ଅବଧି। ଏଭଳି ଲେଖିବା ସହ ସମ୍ବଲପୁରକୁ ପୁନର୍ବାର ଶିକ୍ଷା ଓ ଜ୍ଞାନର ଏନ୍ତୁଡି ଶାଳରେ ପରିଣତ କରିବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।