ଦିନକୁ ଲୁଟ୍ ହେଉଛି କୋଟି କୋଟି ଟଙ୍କାର ବାଲି

ଜାତୀୟ ରାଜପଥରେ ଧାଡ଼ି ହୋଇ ଛିଡ଼ା ହୋଇଛି ହାଇୱା । ପୁଣି ପେଟ୍ରୋଲ୍ ପମ୍ପରେ ବି ମାଳ ମାଳ ଟ୍ରକ୍। ଗାଡ଼ି ଛିଡ଼ା ହୋଇଛି, ଡଲାରେ ସବୁଜ କପଡ଼ା ଘୋଡ଼ା ହୋଇଛି, କିନ୍ତୁ କୌଣସି ବି ଗାଡ଼ିରେ ନାହାନ୍ତି ଡ୍ରାଇଭର କି ହେଲପର । ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲଦାରଙ୍କ ନେତୃତ୍ବରେ 60ନଂ ଜାତୀୟ ରାଜପଥରେ ଚଢ଼ାଉ, ଉତ୍ତର ଓଡ଼ିଶାରୁ ବାଲି ଚୋରାଚାଲାଣ ଉପରୁ ପୁଣି ପରଦା ଉଠାଇଛି । ଜଳେଶ୍ବର ତହସିଲଦାରଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ୍ ପୋଲିସ ସହାୟତାରେ ୬୦ନଂ ଜାତୀୟ ରାଜପଥ ଏବଂ ଜଳେଶ୍ଵର ଚନ୍ଦନେଶ୍ଵର ୫୭ନଂ ରାଜ୍ୟ ରାଜପଥ ଆମ୍ବଳିଅଠା ନିକଟ ବିଭିନ୍ନ ସ୍ଥାନ ଓ ପେଟ୍ରୋଲ୍ ପମ୍ପରୁ 50ରୁ ଅଧିକ ହାଇୱା ଜବତ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଚଢ଼ାଉର ସୂଚନା ପାଇ ୬୦ନଂ ଜାତୀୟ ରାଜପଥର ବସ୍ତାଠାରୁ ଜଳେଶ୍ଵର ସୀମାନ୍ତ ପର୍ଯ୍ୟନ୍ତ ବିଭିନ୍ନ ତେଲ ଟାଙ୍କି ଓ ରାଜପଥ କଡ଼ରେ ୭ଶହରୁ ଅଧିକ ବାଲି ବୋଝେଇ ହାଇୱ ଛିଡ଼ା ହୋଇଥିଲା। ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ ଡ୍ରାଇଭର ଓ ହେଲପର ।
ପଶ୍ଚିମବଙ୍ଗକୁ ଏମିତି ପ୍ରତିଦିନ ଚୋରାଚାଲାଣ ହେଉଛି ଶହ ଶହ ଟ୍ରକ୍ ବାଲି। ଗୋଟିଏ ହାଇୱା ବାଲି ଲୋକାଲରେ ୩୫ରୁ ୪୦ହଜାର ଟଙ୍କା ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ଦୂରତା ଅନୁଯାଇ ୮୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ । ଉତ୍ତର ଓଡ଼ିଶାରେ ବିଭିନ୍ନ ନଦୀରେ ଶହ ଶହ ବେଆଇନ ବାଲିଖାଦାନ ଚାଲିଛି । ତହସିଲଦାରଙ୍କଠାରୁ ସୂଚନା ପାଇ ବାଲେଶ୍ଵର ଆରଟିଓ ପହଞ୍ଚି ଅନ୍ ଲାଇନ ଚାଲାଣ କାଟିଛନ୍ତି। କିନ୍ତୁ ଯେଉଁ ଖଣି ବିଭାଗ ଉପରେ ଚୋରାଚାଲାଣ ରୋକିବା ଦାୟିତ୍ବ ସେହି ବିଭାଗ ଅଚିନ୍ତା ନିଦରେ ଶୋଇଥିଲା । ବିଜେଡି ଶାସନରେ ସାରା ରାଜ୍ୟରେ ଲଘୁଖଣିଜ ମାଫିଆଙ୍କୁ ମିଳିଥିଲା ଖୋଲା ଛୁଟ୍। ମାଫିଆଙ୍କୁ ମିଳୁଥିଲା ରାଜନୈତିକ ପୃଷ୍ଠପୋଷକତା।
📱 Get Argus News App
✨ଫଳରେ ପ୍ରତିବାଦ କରୁଥିବା ସାଧାରଣ ଲୋକେ ଓ ଚଢ଼ାଉ କରୁଥିବା ସରକାରୀ ଅଧିକାରୀଙ୍କୁ କରୁଥିଲେ ମରଣାନ୍ତକ ଆକ୍ରମଣ। 2022 ମସିହା ମେ ମାସରେ ସୋନ ନଦୀରୁ ଚୋରା ବାଲି ଉଠାଣକୁ ବିରୋଧ କରିବାରୁ ନୀଳଗିରି ନରସିଂହପୁର ଗାଁର ଉମାକାନ୍ତ ନାୟକଙ୍କୁ ପଥରରେ ଛେଚିଦେଇଥିଲେ ବାଲି ମାଫିଆ। ସେହି 2022 ମେ' ମାସରେ ଋଷିକୁଲ୍ୟା ନଦୀରୁ ବେଆଇନ ବାଲି ଚୋରା ଚାଲାଣ ଉପରେ ଚଢ଼ାଉ ବେଳେ ଗଞ୍ଜାମ ଜିଲ୍ଲା ମାଳିଜଗନ୍ନାଥପୁରରେ ଅତିରିକ୍ତ ତହସିଲଦାର ଓ ୩ ଆରଆଇଙ୍କୁ ଲୁହା ରଡରେ ମରଣାନ୍ତକ ଆକ୍ରମଣ କରିଥିଲେ ବାଲିମାଫିଆ । ଏବେ ବଡ଼ ପ୍ରଶ୍ନ ମାଫିଆଙ୍କ ଉପରେ ବିଜେପି ସରକାର କଡ଼ା ଆକ୍ସନ୍ ନେବେ କି ?