Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିମାପଡ଼ା ବଳଙ୍ଗାରେ ବର୍ବରତାର ସୀମା ଟପିଲେ ଦୁର୍ବୃତ୍ତ

Rashmita Mishra
Browse all articles by Rashmita Mishra
·12 months ago·2 min read
ନିମାପଡ଼ା ବଳଙ୍ଗାରେ ବର୍ବରତାର ସୀମା ଟପିଲେ ଦୁର୍ବୃତ୍ତ

Key Points

ନିମାପଡ଼ା ବଳଙ୍ଗାରେ ବର୍ବରତାର ସୀମା ଟପିଲେ ଦୁର୍ବୃତ୍ତ
୧୫ ବର୍ଷର ଝିଅ ଦେହରେ କିରାସିନି ଢାଳି ଜାଳି ଦେଲେ ଜହ୍ଲାଦ
ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମସର ବର୍ଣ୍ଣ ୱାର୍ଡରେ ଚିକିତ୍ସାଧୀନ ପୀଡ଼ିତା
ଡଗ୍ ସ୍କ୍ବାଡ୍ ଓ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପୁରୀ SPଙ୍କ ତଦନ୍ତ


ଜଣେ ଝିଅର ପୋଡ଼ିଯିବା ଘଟଣା ସାରା ରାଜ୍ୟକୁ ଦୋହଲାଇ ରଖିଥିବାବେଳେ ଆଜି ପୁଣି ଚାଞ୍ଚଲ୍ୟ ଖେଳାଇ ଦେଇଛି ଆଉ ଏକ ଘଟଣା । ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗାର ଏ ବର୍ବରୋଚିତ ଘଟଣା ସାରା ରାଜ୍ୟରେ ସୃଷ୍ଟି କରିଛି କମ୍ପନ । ଜଣେ ୧୫ ବର୍ଷର ନାବାଳିକା ଦେହରେ କିରାସିନି ଢାଳି ଜାଳି ଦେଇଛନ୍ତି ଜହ୍ଲାଦ । ଏ ଲୋମହର୍ଷକ ଘଟଣାର ବୟାନ କରିଛନ୍ତି ଏ ପ୍ରତ୍ୟକ୍ଷଦର୍ଶୀ ଦୁଃଖିଶ୍ୟାମ ସେନାପତି, ଇଏ ସେହି ବ୍ୟକ୍ତି, ଘଟଣା ପରେ ପ୍ରଥମେ ଯାହାଙ୍କ ସାହାଯ୍ୟ ଲୋଡ଼ିଥିଲେ ପୀଡ଼ିତା।

ଶନିବାର ସକାଳ ପ୍ରାୟ ୮.୩୦, ନିଜ ଘରଠାରୁ ପ୍ରାୟ ଅଧା କିଲୋମିଟର ଦୂର ସାଙ୍ଗ ଘରକୁ ଚାଲି ଚାଲି ଯାଉଥିଲା ନାବାଳିକା । ହଠାତ୍ ମୋଟର ସାଇକେଲରେ ଆସି ତାକୁ ରାସ୍ତାରେ ଅଟକାଇଲେ ୩ ଜଣ ଯୁବକ । ସମସ୍ତଙ୍କ ମୁହଁରେ ବନ୍ଧା ହୋଇଥିଲା କପଡ଼ା। ନାବାଳିକା କିଛି ବୁଝିବା ପୂର୍ବରୁ ତା ମୁହଁରେ ରୁମାଲ ଦେଇ ଟେକି ନେଇଥିଲେ ଭାର୍ଗବୀ ନଦୀ ନିକଟସ୍ଥ ଶୁଖିଲା କେନାଲ ମଝିରେ ଥିବା ବେଣା ବୁଦା ନିକଟକୁ । କିରାସିନି ଢାଳି ଲଗାଇ ଦେଇଥିଲେ ନିଆଁ। ଜଳୁଥିବା ଅବସ୍ଥାରେ ନିକଟସ୍ଥ ଘର ନିକଟକୁ ଦୌଡ଼ିଥିଲେ ପୀଡ଼ିତା। ଚିତ୍କାର କରି ବଞ୍ଚାଇବାକୁ କରିଥିଲେ ଆକୁଳ ନିବେଦନ।

ଗୁରୁତର ଅବସ୍ଥାରେ ପ୍ରଥମେ ବଳଙ୍ଗା ଡାକ୍ତରଖାନା, ପରେ ଭୁବନେଶ୍ବର ଏମ୍ସ ହସ୍ପିଟାଲକୁ ନାବାଳିକାକୁ କରାଗଲା ସ୍ଥାନାନ୍ତର । ସେଠାରେ ବର୍ଣ୍ଣ କେୟାର ୟୁନିଟରେ ଚାଲିଛି ଚିକିତ୍ସା। ପୀଡ଼ିତାଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଥିବା ସୂଚନା ମିଳିଛି । ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏମ୍‌ସରେ ନାବାଳିକାଙ୍କ ଉନ୍ନତ ଚିକିତ୍ସା ପାଇଁ ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ ନେଇ ୧୪ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଛି ।

ସେପଟେ ଖବର ଆସିବା କ୍ଷଣି ତୁରନ୍ତ ଆକ୍ସନ୍ ମୋଡକୁ ଆସିଲେ ରାଜ୍ୟ ସରକାର । ସେତେବେଳେ ଘଟଣା ସ୍ଥଳରେ ପହଞ୍ଚିଲେ ପୁରୀ ଏସପି । ଡଗ୍ ସ୍କ୍ବାର୍ଡ ଓ ସାଇଣ୍ଟିଫିକ୍ ଟିମ୍ ମାଧ୍ୟମରେ କରାଗଲା ଛାନଭିନ୍। ଘଟଣାସ୍ଥଳରୁ ଅଧା ଭର୍ତ୍ତି ଥିବା ଦୁଇଟି କିରାସିନି ବୋତଲ, ପୋଡ଼ି ଯାଇଥିବା ନାବାଳିକାଙ୍କ ପୋଷାକର ଅଂଶ, ଚୁଡ଼ି, ଜୋତା, ଗୋଟିଏ ବ୍ୟାଗ୍ ଜବତ କରାଯାଇଛି।

ବଳଙ୍ଗା ଥାନାରେ ପ୍ରାୟ ୧୦ ଜଣଙ୍କୁ ଘଟଣା ସମ୍ପର୍କରେ ଜେରା କରୁଛି ପୋଲିସ। ସୁରକ୍ଷା ଦୃଷ୍ଟିରୁ ନିମାପଡ଼ା ଡିଏସପି, ୫ ଜଣ ଆଇଆଇସିଙ୍କ ସମେତ ଅଞ୍ଚଳରେ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୁରୀ ଏସପିଙ୍କ ନେତୃତ୍ବରେ ଚାଲିଛି ତଦନ୍ତ। କେନ୍ଦ୍ରାଞ୍ଚଳ ଆଇଜି ମଧ୍ୟ ବଳଙ୍ଗାରେ ପହଞ୍ଚିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-miscreants-crossed-the-line-of-barbarity-in-nimpara-balanga | Argus News