ଟଙ୍କା ଆସିଲା କାମ ଆରମ୍ଭ ହେଲା, ହେଲେ ସରିଲାନି ! ପାଣି ପାଇ ଜନତା ହନ୍ତସନ୍ତ

କେବେ ଶେଷ ହେବ ୫ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ସମ୍ଵଲପୁରର ୫ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କେବେ ଶେଷ ହେବ । ପୂର୍ବ ବିଜେଡି ସରକାର ପ୍ରକଳ୍ପ ଘୋଷଣା କରି ଧାର୍ଯ୍ୟ ସମୟରେ ସାରିଲେନି କାମ । ଏବେ ବଡ଼ ପ୍ରଶ୍ନ, କୋଟି କୋଟି ଟଙ୍କାର ପ୍ରକଳ୍ପ ସମ୍ବଲପୁରବାସୀଙ୍କ କାମରେ ଆସିବ ତ । ସେପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ପ୍ରକଳ୍ପ ବିଲମ୍ବ କରୁଥିବା ସଂସ୍ଥା ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ସହ ଥାନାରେ ମାମଲା ହେବ ।
ସମ୍ବଲପୁର ଜିଲ୍ଲାରେ ସମସ୍ତ ବ୍ଳକରେ ପାନୀୟ ଜଳ ଯୋଗାଣ ପାଇଁ ୫ଟି ବୃହତ ପ୍ରକଳ୍ପ ବିଜେଡି ସରକାର ୨୦୧୯ ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ । ଯାହାକି ପାଖାପାଖି ୯୯୦ କୋଟିର ପ୍ରକଳ୍ପ ଥିଲା । ଏବେ ସୁଦ୍ଧା ୬୦ ପ୍ରତିଶତ ମଧ୍ୟ କାମ ସରିନାହିଁ ।
ପ୍ରକଳ୍ପ-୧
ସମ୍ବଲପୁର ସହର ଉପଖଣ୍ତ ସମେତ ମାନେଶ୍ବର, ଜୁଜୁମୁରା, ଜମନକିରା ଓ ରେଙ୍ଗାଲି ବ୍ଲକକୁ ଜଳ ଯୋଗାଣ ପାଇଁ ୧୮୮.୩୮ କୋଟି ଟଙ୍କାର ପ୍ରକଳ୍ପ ମେଘା ଇଞ୍ଜିନିୟରିଂ କମ୍ପାନୀ ପ୍ରଧାନପାଲିରେ ସ୍ଥାପନ ପାଇଁ ନିର୍ଦ୍ଦେଶ ଥିଲା । ଧାର୍ଯ୍ୟ ସମୟ ଥିଲା ୨୦୨୩ ମାର୍ଚ୍ଚ । ଏବେ ୨୦ ପ୍ରତିଶତ କାମ ବାକି ରହିଛି ।
ପ୍ରକଳ୍ପ-୨
ସେହିପରି ରେଢ଼ାଖୋଲ, ନାକଟିଦେଉଳ, ମାନେଶ୍ଵର ଓ ଜୁଜୁମୁରା ବ୍ଲକକୁ ଜଳ ଯୋଗାଣ ପାଇଁ ୩୯୪.୭୬ କୋଟିର ପ୍ରକଳ୍ପ କେଇସି-କାବେରୀ ଜଏଣ୍ଟ ଭେଞ୍ଜର କମ୍ପାନୀକୁ ଦେଓଗାଁ ମହାନଦୀରେ ନିର୍ମାଣ ପାଇଁ ନିର୍ଦ୍ଦେଶ ଥିଲା । ଧାର୍ଯ୍ୟ ସମୟ ଥିଲା ୨୦୨୪ ମାର୍ଚ୍ଚ । ହେଲେ କାମ ସାରିବାକୁ ଆହୁରି ୨ ବର୍ଷ ସମୟ ଲାଗିବ ।
ପ୍ରକଳ୍ପ-୩
ଜମନକିରା, କୁଚିଣ୍ତା ଓ ରେଙ୍ଗାଲି ବ୍ଲକ ଜଳ ଯୋଗାଣ ପାଇଁ ୧୨୭.୨ କୋଟିର ପ୍ରକଳ୍ପ କ୍ରିଷ୍ଣା କର୍ପୋରେସନ ସଂସ୍ଥା ରେଙ୍ଗାଲି ଡ୍ୟାମର ବ୍ରାହ୍ମଣୀ ନଦୀରେ ସ୍ଥାପନ ପାଇଁ ନିର୍ଦ୍ଦେଶ ଥିଲା । ଧାର୍ଯ୍ୟ ସମୟ ଥିଲା ୨୦୨୪ ଜୁନ । ଏବେ ୫୦ ପ୍ରତିଶତ କାମ ସରିଛି ।
ପ୍ରକଳ୍ପ-୪
ବାମରା ଓ କୁଚିଣ୍ତା ବ୍ଲକକୁ ଜଳ ଯୋଗାଣ ପାଇଁ ୧୮୩.୨ କୋଟିର ପ୍ରକଳ୍ପ ଲେଜର ପାଓ୍ବାର ଆଣ୍ତ ଇନଫ୍ରା କମ୍ପାନୀକୁ ମଧ୍ୟ ରେଙ୍ଗାଲି ଡ୍ୟାମ ବ୍ରାହ୍ମଣୀ ନଦୀରେ ସ୍ଥାପନ ନେଇ ନିର୍ଦ୍ଦେଶ ଥିଲା । ଧାର୍ଯ୍ୟ ସମୟ ଥିଲା ୨୦୨୪ ଜୁନ। ଏବେ ଯାଏ ୭୦ ପ୍ରତିଶତ କାମ ସରିଛି ।
ପ୍ରକଳ୍ପ-୫
ରେଢାଖୋଲ ବ୍ଲକର ୯ଟି ପଂଚାୟତର ଜଳ ଯୋଗାଣ ପାଇଁ ୯୬.୬ କୋଟିର ପ୍ରକଳ୍ପ ୟୁନିଭର୍ସାଲ ଏମଇପି ପ୍ରୋଜେକ୍ଟସ ଆଣ୍ତ ଇଞ୍ଜିନିୟରିଂ ସଂସ୍ଥା କଦଳୀଗଡ଼କୁ ଦିଆଯାଇଥିଲା । ଯାହା କି ଏବେ ବି ମହାନଦୀରେ କାମ କରୁଛି। ଧାର୍ଯ୍ୟ ସମୟ ଥିଲା ୨୦୨୧ ଜୁଲାଇ । ଏବେ ସୁଦ୍ଦା ୯୦ ପ୍ରତିଶତ କାମ ସରିଛି।
ରାଜ୍ୟରେ ମୋଟ ୭୫ଟି କମ୍ପାନୀ ଏଭଳି ଦ୍ବାୟିତ୍ବ ନେଇଛନ୍ତି । ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି, ତୁରନ୍ତ କାମ ଶେଷ ନହେଲେ କମ୍ପାନୀ ଗୁଡିକ ବ୍ଲାକ ଲିଷ୍ଟ କରାଯିବା ସହ ସଂସ୍ଥା ନାଁରେ ଆଇନ ଅନୁୟାୟୀ କାର୍ଯ୍ୟନୁଷ୍ଠାନ ହେବ । ଆବଶ୍ୟକ ହେଲେ କମ୍ପାନୀ ବିରୋଧରେ ଥାନାରେ ମାମଲା ମଧ୍ୟ ହେବ ।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ ସରକାର ଭୋଟ ବ୍ୟାଙ୍କ ପାଇଁ ପ୍ରକଳ୍ପ ଘୋଷଣା କରିଥିଲେ । ହେଲେ ତାହା ଆଜି ଯାଏଁ କାର୍ଯ୍ୟକ୍ଷମ ହୋଇପାରିଲାନି। ରାଜ୍ୟରେ ସରକାର ବଦଳିଥିବା ବେଳେ ଏହା ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି ।