ଡ. ଚନ୍ଦ୍ରଭାନୁ ଶତପଥୀଙ୍କ କରକମଳରେ ଉଦଘାଟିତ ହେଲା ନବନିର୍ମିତ ଲାଇବ୍ରେରୀ

ଶିରିଡିଠାରେ ଶ୍ରୀସାଇବାବା ସଂସ୍ଥାନ ଟ୍ରଷ୍ଟ ଦ୍ବାରା ନବନିର୍ମିତ ଲାଇବ୍ରେରୀକୁ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଆଜି ଉଦଘାଟନ କରିଛନ୍ତି। ଏହାସହିତ ସଂସ୍ଥାନର ଅନୁରୋଧକ୍ରମେ ଗୁରୁଜୀ ଦୀର୍ଘବର୍ଷରୁ ଯତ୍ନ ସହକାରେସାଇତି ରଖିଥିବା ଶହେବର୍ଷ ତଳର ପୁରୁଣା ଦୁର୍ଲଭ ସାଇ ସାହିତ୍ୟ ସଂକ୍ରାନ୍ତ ପତ୍ରପତ୍ରିକାକୁ ସଂସ୍ଥାନକୁ ଦାନ କରିଛନ୍ତି। ଏହି ଉପଲକ୍ଷେ ସଂସ୍ଥାନ ପରିସର ସଭାକକ୍ଷରେ ଆଜି ପୂର୍ବାହ୍ନରେ ଏକ ସଂକ୍ଷିପ୍ତ ସଭାର ଆୟୋଜନ କରାଯାଇଥିଲା। ଶ୍ରୀ ସାଇବାବା ସଂସ୍ଥାନ ପକ୍ଷରୁ ପ୍ରକାଶିତ ମାସିକ ପତ୍ରିକା `ସାଇଲୀଳା'ର ଯେଉଁ ୧୫ବର୍ଷର ପୁରୁଣା ସଂଖ୍ୟା ଗୁଡ଼ିକ ସଂସ୍ଥାନ ନିକଟରେ ଉପଲବ୍ଧ ନ ଥିଲା। ସେହି ସଂଖ୍ୟା ଗୁଡ଼ିକର ଉଭୟ ମୁଦ୍ରଣ ଓ ଡିଜିଟାଲ ସଂସ୍କରଣ ଗୁରୁଜୀ ଡ.ଶତପଥୀ ସଂସ୍ଥାନକୁ ପ୍ରଦାନ କରିଥିଲେ।
ଏହା ସହିତ ଶ୍ରୀ ସାଇବାବାଙ୍କ ଜୀବନ କାଳରେ ପ୍ରକାଶ ପାଉଥିବା `ଶ୍ରୀ ସାଇନାଥ ପ୍ରଭା'ର ୧୯୧୯ ମସିହାର ସଂସ୍କରଣକୁ ସଂସ୍ଥାନକୁ ପ୍ରଦାନ କରିଥିଲେ। ପୂର୍ବରୁ ଶ୍ରୀ ସାଇବାବାଙ୍କ ମହାପ୍ରୟାଣର ଶହେବର୍ଷ ପୂର୍ତ୍ତି ଅବସରରେ ୨୦୧୭ ମସିହାରେ ଗୁରୁଜୀ ଶ୍ରୀ ସାଇନାଥ ପ୍ରଭାର ୧୯୧୬ ବର୍ଷର ସଂସ୍କରଣକୁ ସଂସ୍ଥାନକୁ ପ୍ରଦାନ କରିଥିଲେ। ସଂସ୍ଥାନର ସିଇଓ ଗୋରକ୍ଷ ଗାଡିଲକର, ଆଇଏଏସ ବିଶ୍ବବ୍ୟାପୀ ସାଇଲୀଳାର ପ୍ରଚାର ଓ ପ୍ରସାରରେ ଗୁରୁଜୀଙ୍କ ମହତ୍ବପୂର୍ଣ୍ଣ ଅବଦାନର ଭୂୟସୀ ପ୍ରଶଂସା କରି ସଂସ୍ଥାନ ପକ୍ଷରୁ ତାଙ୍କୁ ଉପଢୌକନ, ମାନପତ୍ର ଓ ବାବାଙ୍କର ପ୍ରତିମା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହିସବୁ ବିରଳ ଓ ଦୁଷ୍ପ୍ରାପ୍ୟ ପୁସ୍ତକ ଗୁରୁଜୀ ସଂସ୍ଥାନକୁ ପ୍ରଦାନ କରିଥିବାରୁ ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ। ଏହାଦ୍ବାରା ଅଗଣିତ ସାଇଭକ୍ତ ଉପକୃତ ହେବେ ବୋଲି ସେ କହିଥିଲେ। ଏହି ଉତ୍ସବରେ ବରିଷ୍ଠ ଆଇଏଏସ ବିଚାର ବିଭାଗୀୟ ଅଧିକାରୀଙ୍କ ସମେତ ସଂସ୍ଥାନର ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।