ଚୁଆ ମେଣ୍ଟାଉଛି ଶୋଷ

Key Points
ଅବହେଳିତ କାଳିଆଣି
ସମସ୍ୟା ଭିତରେ ଯୁଝି ହେଉଛନ୍ତି କାଳିଆଣିବାସୀ
ଶୁଦ୍ଧ ପାନୀୟ ଜଳ ପାଲଟିଛି ସାତ ସାପନ
ଚୁଆ ପାଣି ମେଣ୍ଟାଉଛି ଶୋଷ
ଖରା ପ୍ରକୋପ ବଢୁଥିବାରୁ ଜଳ କଷ୍ଟ ଚିନ୍ତା
ଆବାସ ଯୋଜନାରୁ ବଞ୍ଚିତ ଏକାଧିକ ପରିବାର
ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଯଶିପୁର ବ୍ଳକର ଉପାନ୍ତ ଅଞ୍ଚଳ କାଳିଆଣି । ଏଠାରେ ପ୍ରାୟ ୭୦ରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରନ୍ତି । କିନ୍ତୁ ବିଭିନ୍ନ ସମସ୍ୟା ଭିତରେ ଯୁଝି ହେଉଛନ୍ତି ଗ୍ରାମବାସୀ । ଘରକୁ ଘର ଷ୍ଟାଣ୍ଡ ପୋଷ୍ଟ ଲାଗିଛି, ପାଇପ ଲାଇନ୍ ବିଛା ସରିଛି, ହେଲେ ଶୁଦ୍ଧ ପାନୀୟ ଜଳ ଗ୍ରାମବାସୀଙ୍କ ପାଇଁ ପାଲଟିଛି ସାତ ସାପନ । ଯଦିଓ ଗାଁରେ ସୋଲାର ପାଣି ଟାଙ୍କି ବସିଛି, ତାହା ମଧ୍ୟ କିଛି ଦିନ ଚାଲିବା ପରେ ଅଚଳ ହୋଇ ପଡିଛି । ସେଥିରୁ ମଧ୍ୟ ପାଣି ବାହାରୁ ନାହିଁ । ଗାଁରେ ଦୁଇ ଦୁଇଟି ନଳକୂଅ ରହିଛି, ତାହା ବି ଅଚଳ । ତେଣୁ ନଦୀ ଓ ନାଳ କୂଳର ଚୁଆ ପାଣି ମେଣ୍ଟାଉଛି ଶୋଷ । ଏଠି ପାନୀୟ ଯୋଗାଣ ମିଶନ ଫେଲ୍ ମାରିଛି । ଆଗକୁ ପୁଣି ଖରା ଦିନ ଆସୁଛି,ଏହା ପୂର୍ବରୁ ପାନୀୟ ଜଳ ସମସ୍ୟାକୁ ଦୂର ନ କରାଗଲେ ସ୍ଥିତି ଜଟିଳ ହେବ ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ ।
ଏ ତ ଥିଲା ପାନୀୟ ଜଳର ସମସ୍ୟା । ହେଲେ ଗାଁରେ ଅନେକ ସମସ୍ୟା ରହିଛି । ଏକାଧିକ ପରିବାର ଆଜି ବି ଆବାସ ଯୋଜନାରୁ ବଞ୍ଚିତ । କାହା ଘର ଉପରେ ପଲିଥିନ ଟଣା ହୋଇଛି ତ ପୁଣି କାହା ଘରର କାନ୍ଥରେ କାଠର ବାଡ ଦିଆଯାଇଛି । ଖାଲି ଏତିକି ନୁହେଁ, ଗାଁରେ ଅନେକ ବୟସ୍କ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି । ବହୁବାର ଅଭିଯୋଗ ପରେ ବି ସମସ୍ୟାର ସମାଧାନ ପରିବର୍ତ୍ତେ କେବଳ ମିଳିଛି ପ୍ରତିଶ୍ରୁତି ।
୨୪ ବର୍ଷର ସ୍ଥିର ବିଜେଡି ସରକାରର ଶାସନ କାଳରେ ଗାଁକୁ ପହଞ୍ଚି ପାରିଲା ନାହିଁ ମୌଳିକ ସୁବିଧା । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମସ୍ୟା ବିଷୟରେ ଆମେ ଯଶିପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରିଥିଲୁ, ସେ କହିଛନ୍ତି ଯଥାଶୀଘ୍ର ଏ ସବୁ ସମସ୍ୟା ଉପରେ ଧ୍ୟାନ ଦେଇ ସମାଧାନ କରିବୁ । ତେବେ ଯଶିପୁରର ଉପାନ୍ତ କାଳିଆଣି ଗାଁର ସମସ୍ୟା କେବେ ଦୂର ହେଉଛି ଓ ପ୍ରଶାସନର ଶୁଭ ଦୃଷ୍ଟି କେବେ ପଡୁଛି ତାହା ଦେଖିବାକୁ ବାକି ରହିଲା ।