ଅତୀତ ଐତିହ୍ୟ ସହ ଓଡ଼ିଆ ସାଧବ ପୁଅର ହୃତ ଗୌରବକୁ ମନେ ପକାଇଲେ ରାଜ୍ୟବାସୀ

ଅର୍ଗସ ବ୍ୟୁରୋ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣର ଶୁଭ ଅବସର । ରାଜ୍ୟସାରା ଓଡ଼ିଆ ସାଧବ ପୁଅର ହୃତ୍ ଗୌରବକୁ ମନେ ପକାଇଲେ । ଆକାମାବୈ ପାନଗୁଆ ଥୋଇ ମାସକ ଧରମ ମୋର ବାକି ସବୁ ତୋର ଉଚ୍ଚାରଣ କରି ଡଙ୍ଗା ଭସାଇଲେ ଓଡ଼ିଆ ।... ଏହି କ୍ରମରେ ପାରାଦୀପରେ ବୋଇତ ବନ୍ଦାଣ ଉତ୍ସବରେ ସାମିଲ ହୋଇ ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।... ଏଇ ଅବସରରେ ସିଏମ୍ କହିଛନ୍ତି, ପାରାଦୀପ ହେବ ଅର୍ଥନୈତିକ ମୁଖଶାଳା । ସାଧବ ପୁଅଙ୍କ ନୌବାଣିଜ୍ୟ କଥା ଆମର ଗର୍ବ ଓ ଗୌରବ । ଯେଉଁଠି ଦିନେ ହେନ୍ତାଳ ବଣ ଥିଲା, ସେଠି ଆଜି ପରିପୂର୍ଣ୍ଣ ଆଧୁନିକ ପାରାଦୀପ ବନ୍ଦର ଛିଡ଼ା ହୋଇଛି । ଭାରତରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି ପାରାଦୀପ ବନ୍ଦର। ଆଗକୁ ଅସ୍ତରଙ୍ଗ ସମେତ ଓଡ଼ିଶାର ଅନେକ ସ୍ଥାନରେ ନୂଆ ବନ୍ଦର ପ୍ରତିଷ୍ଠା କରାଯିବ। ପାରାଦୀପରେ ନିବେଶ ହେବ ୨ ଲକ୍ଷ କୋଟି ଟଙ୍କା । ଡବଲ ଇଞ୍ଜିନ୍ ସରକାର ଓଡ଼ିଶାର ବିକାଶକୁ 2ଗୁଣା କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହୋଦଧିରେ ବୁଡ଼ ପକାଇବା ପାଇଁ ବଡ଼ି ଭୋରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଥିଲା ପୁରୀକୁ । ମହୋଦଧିରେ ଲକ୍ଷାଧିକ ଭକ୍ତ ସ୍ନାନ କରିବା ସହ କଦଳୀ ପଟୁକା ବା ସୋଲ ଡଙ୍ଗା ଭସାଇଛନ୍ତି । ଏଥିସହ ମାସେ ଧରି ହବିଷ୍ୟ ବ୍ରତ ପାଳନ କରୁଥିବା ବ୍ରତଧାରିଣୀମାନେ ନିଜ ବ୍ରତକୁ ଉଦଯାପନୀ କରିଛନ୍ତି । ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉମାନେ ରାଜରାଜେଶ୍ଵର ବା ସୁନାବେଶରେ ଦର୍ଶନ ଦେଉଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।
କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ପାଇଁ ରାଜ୍ୟର ବିଭିନ୍ନ ନଦୀ, ନାଳ ଓ ପୁଷ୍କରିଣୀରେ ବଡ଼ି ଭୋରୁ ଲାଗିଥିଲା ପ୍ରବଳ ଗହଳି । ଭୁବନେଶ୍ବରର ବିନ୍ଦୁ ସାଗର, ଦୟାନଦୀ ସମେତ ବିଭିନ୍ନ ଜଳାଶୟରେ ଭାସିଲା ଶ୍ରଦ୍ଧା ଓ ବିଶ୍ବାସର ଡଙ୍ଗା । ସେହିପରି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେଡଙ୍ଗା ଭସା କାର୍ଯ୍ୟକ୍ରମ ସାମିଲ ହୋଇଥିଲେ ମନ୍ତ୍ରୀ ରବିନାରାୟଣ ନାଏକ । କେନ୍ଦୁଝରରେ ବୈତରଣୀ ନଦୀରେ ସ୍ନାନ କରି ଡ଼ଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ଭଦ୍ରକ ବନ୍ତ ବ୍ଲକ ବସନ୍ତିଆଠାରେ ଆଜିଠୁ ୭ଦିନ ଧରି ଧୁମଧାମରେ ପାଳିତ ହେବ କାର୍ତ୍ତିକ ପୂର୍ଣ୍ଣିମା । ସେହିପରି ଯାଜପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ବଡମ୍ବା ଇତ୍ୟାଦି ବିଭିନ୍ନ ସ୍ଥାନରେ ମହାନ୍ ପର୍ବରେ ନିଜକୁ ସାମିଲ୍ କରି ବୋଇତ ବନ୍ଦାଣ କରିଛନ୍ତି ଲକ୍ଷ ଲକ୍ଷ ଲୋକ ।
📱 Get Argus News App
✨ଇଏତ ଗଲା ଡଙ୍ଗାଭସା ଓ ବୋଇତ ବନ୍ଦାଣ କଥା।ଏବେ ସାରା ରାଜ୍ୟରେ ଆୟୋଜିତ ହେଉଛି ବାଲିଯାତ୍ରା ଉତ୍ସବ। ଶତାବ୍ଦି ଶତାବ୍ଦି ଧରି ବେପାର ବଣିଜ କରୁଥିଲେ ଆମ ସାଧବ ପୁଅ । କେବଳ ଦକ୍ଷିଣ ପୂର୍ବ ଏସିଆ ନୁହେଁ ବ୍ୟବସାୟ ପାଇଁ ଆଫ୍ରିକା ପର୍ଯ୍ୟନ୍ତ ବି ଯାଉଥିଲା ଓଡିଆ ପୁଅ । ଏହାର ସଙ୍କେତ ଦେଉଛି କୋଣାର୍କ ମନ୍ଦିରରେ ଜିରାଫର ଚିତ୍ର। ସାଧବ ପୁଅଙ୍କର ପୁରୁଷାର୍ଥରେ ଓଡିଶା ହୋଇଥିଲା ଧନଧାନ୍ୟରେ ପୂର୍ଣ୍ଣ। କାହିଁ କେବେ ଠାରୁ ବନ୍ଦ ହେଲାଣି ସାଧବ ପୁଅଙ୍କ ନୌଯାତ୍ରା। କିନ୍ତୁ ଏ ଯାଏଁ ଇତିହାସକୁ ଭୁଲିନାହିଁ ଏ ଜାତି। ଶ୍ରଦ୍ଧା ଓ ସମ୍ମାନର ସହ ପ୍ରତିବର୍ଷ କାର୍ତ୍ତିକ ପୁର୍ଣ୍ଣିମାରେ ଗୌରବମୟ ଇତିହାସର ସ୍ମୃତି ଚାରଣ କରାଯାଉଛି । ଓଡ଼ିଶା ଐତିହ୍ୟ, ପରମ୍ପରା, ଅସ୍ମିତାକୁ ମନେ ପକାଇବା- ଇଏ ଏକ ବିରଳ ପରମ୍ପରା । ଇତିହାସକୁ ମନେ ପକାଇ ସାଧବ ପୁଅମାନେ ଯେଉଁ ପ୍ରକାର ଓଡ଼ିଶାକୁ ଧନଧାନ୍ୟ କରିଥିଲେ, ଏ ଦିଗରେ ପ୍ରଗତି ହେବ କି ? । ଅପାର ସମ୍ଭାବନାର ଗନ୍ତାଘର ଓଡ଼ିଶା । ଓଡିଶାର ସୁଦୀର୍ଘ ବେଳାଭୂମି, ଅମାପ ଖଣିଜ ସମ୍ପଦ, ହସ୍ତତନ୍ତ, କଳା ଓ ଓଡିଆଙ୍କ ଉର୍ବର ବୁଦ୍ଧି । ଇଏ ସବୁ ପୁଣି ଉପାଦନ ହେବେ କି ଓଡିଶାର ହୃତ ଗୌରବକୁ ଫେରାଇ ଆଣଇବା ପାଇଁ ।