ଯୋଜନା ଏଠି କେବଳ ବିଜ୍ଞାପନରେ ସୀମିତ

ବ୍ରହ୍ମପୁର/କଳାହାଣ୍ଡି: ବୁଢ଼ାରସିଙ୍ଗି ପାହାଡ଼ ଉପରେ ମଇଁଷିଖତ । ଯେଉଁଠି ସ୍ଵାଧୀନତାର ଦୀର୍ଘ ଦଶନ୍ଧି ପରେ ମଧ୍ୟ ଗାଁର ଭାଗ୍ୟ ବଦଳି ପାରିଲା ନାହିଁ । ସଞ୍ଜନଇଁଲେ ଅନ୍ଧାରୀ ମୁଲକରେ ପସିଯାଏ ଗାଁ। ଦୀପ ଆଲୁଅରେ ରୋଷେଇ ହେଉଥିବା ବେଳେ ଘର ବାହାରେ ଟର୍ଚ୍ଚ ଭରସା। କିଛି ଲୋକଙ୍କ ପାଖରେ ଏତକବି ନଥିବାରୁ ଭାଗ୍ୟକୁ ଆଦରୀ ପଡି ରହିଛନ୍ତି ମଇଁଷି ଖତବାସୀ। ମାତ୍ର ଏଯାଏଁ ଗାଁକୁ ବିଦ୍ୟୁତ ସଂଯୋଗ ହୋଇପାରିଲାନି।
ଯୋଜନା ମାଳ ମାଳ ସରକାରଙ୍କ ସରକାରୀ ଯୋଜନା ଗାଁରେ ଅପହଞ୍ଚ । ପଞ୍ଚାୟତ ଠାରୁ 43 କିଲୋମିଟର ଦୂର ଗାଁରେ 24ରୁ ଅଧିକ ପରିବାର ବସବାସ କରନ୍ତି । ଗାଁକୁ ଯିବାକୁ ହେଲେ ସୋରଡ଼ା ଠାରୁ ପ୍ରାୟ 8 କିଲୋମିଟର ପଥୁରିଆ ଜଙ୍ଗଲ ପାଦଚଲା ରାସ୍ତାରେ ଯିବାକୁ ପଡ଼େ । ଯେଉଁଠି ସ୍ଥନେ ସ୍ଥାନେ ସଙ୍କିର୍ଣ୍ଣ ଜଙ୍ଗଲ ରାସ୍ତାରେ ଜଣେ ଚାଲିକି ଯିବା ମୁସ୍କିଲ। ରାସ୍ତା ଏମିତି ସକାଳେ ବାହାରିଲେ ଗାଆଁରେ ପହଞ୍ଚିଲା ବେଳକୁ ଦ୍ବିପହର ହୋଇଯିବ। ଗର୍ଭବତୀ କିମ୍ବା ରୋଗୀ ମାନଙ୍କୁ ନେବାକୁ ଖଟିଆ ଭରସା।
ଗାଆଁରେ ଶିକ୍ଷା ବ୍ୟବସ୍ଥା ନାହିଁ କହିଲେ ଚଳେ। ପ୍ରାଥମିକ ଶିକ୍ଷା ପାଇଁ ଗାଁରେ ଅଙ୍ଗନୱାଡ଼ି ନାହିଁ। ଛୋଟ ଛୋଟ ପିଲାମାନଙ୍କୁ ପାହାଡ ଜଙ୍ଗଲ ରାସ୍ତାରେ 7 କିଲୋମିଟର ଦୂର ଗଲେ ପଡେ ଅଙ୍ଗନୱାଡି । ଏଣୁ ଗାଁର କୁନିକୁନି ପିଲା ପାଠ ପଢାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।
ସେହିପରି ବିକାଶର ନାଁ କହି ବାହାବାହି ନେଉଥିବା ପୂର୍ବ ସରକାର ମଇଁଷିଖତକୁ କୌଣସି ଯୋଜନା ପହଞ୍ଚାଇ ପାରିଲେନି। ଏଠି ସବୁ ସରକାରୀ ଯୋଜନା ଆକାଶ କଇଁଆ ଚିଲିକା ମାଛ। କଳାହାଣ୍ଡି କୋକସରା ବ୍ଲକ ଆମ୍ବପାଣି ପଞ୍ଚାୟତର ବିରିମାଣ ପୁରଛକପଡା । ଗାଁରେ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୨ଶହ ରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ଆଜି ବି ମୌଳିକ ସୁବିଧାରୁ ବଂଚିତ। ଗାଁରେ ପାନୀୟ ଜଳ ଯୋଗାଣର ଚିତ୍ର ଦୁର୍ଭାଗ୍ୟଜନକ। ଜଳ ଯୋଗାଣ ପାଇଁ ଆଜିବି ପ୍ରକଳ୍ପ ନାହିଁ। ଗାଁ ପାଖରେ ବୋହି ଯାଉଥିବା ନାଳର ଗୋଳିଆ ପାଣି ଆଣି ବ୍ୟବହାର କରନ୍ତି ଅଞ୍ଚଳବାସୀ। ଏହି ପାଣି ସଂଗ୍ରହ ପାଇଁ ମଧ୍ୟ ମାଇଲମାଇଲ ବାଟ ଚାଲିବାକୁ ପଡେ।ବିରିମାଣଘାଟିରୁ ଠାରୁ ମାତ୍ର ୨.୫ କିମି ଦୁରରେ ଥିବା ଏହି ଗାଁକୁ ଯିବାକୁ ହେଲେ ଆଣ୍ଠୁଏ କାଦୁଅରେ ଯିବାକୁ ହୋଇଥାଏ। ଗାଁକୁ ପକ୍କା ରାସ୍ତା ନଥିବାରୁ ଛାତ୍ରଛାତ୍ରୀ ହେଉ ଓ ରୋଗୀ ବହୁ କଷ୍ଟର ସମ୍ମୁଖିନ ହେଉଛନ୍ତି। ଗାଁରେ ଆଜିବି ବିଦ୍ୟୁତ ଅପହଞ୍ଚ।
ପୁଷ୍ପେନ୍ଦ୍ର ସିଂଦେଓ ବିଧାୟକ ଥିବା ବେଳେ ଗ୍ରାମବାସୀ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି କରିଥିଲେ। ମାତ୍ର ପରେ ପୁଷ୍ପେନ୍ଦ୍ର ସିଂଦେଓ ୪ ଥର ବିଧାୟକ ତଥା ମନ୍ତ୍ରୀ ହୋଇଥିଲେ ସୁଦ୍ଧା ଗାଁ କୁ ପକ୍କା ରାସ୍ତା, ପାଣି, ବିଜୁଳି ଭଳି ସମସ୍ୟାର ସମାଧାନ କରିପାରିଲେନି। ଫଳରେ ଆଜିବି ଅଞ୍ଚଳବାସୀ ପ୍ରତିଦିନ ନାହିଁନାହିଁ ଭିତରେ କାଳତିପାତ କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତିା ବିରିମାଣ ଛକ ପଡା ଗ୍ରାମବାସୀ । ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ଦୀର୍ଘ ବର୍ଷ ଧରି ଶାସନରେ ଥିଲେ ବିଜେଡି ସରକାର। ମାତ୍ର ଅଞ୍ଚଳର ବିକାଶ ପାଇଁ କିଛି କଲେନି। ଆଜିବି ମୌଳିକ ସୁବିଧା ବିନା ନାହିଁନାହିଁର ଜୀବନ ବିତାଉଛନ୍ତି ଅଞ୍ଚଳବାସୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର: