ବଢ଼ିବ ମହିଳା କମିଶନଙ୍କ କ୍ଷମତା: ପ୍ରଭାତୀ ପରିଡ଼ା

ମହିଳା କମିଶନ । ଏହି ନାଁରେ ଯେତିକି ଓଜନ ରହିଛି ବାସ୍ତବରେ କିନ୍ତୁ ସେତିକି କ୍ଷମତା ନାହିଁ କହିଲେ ଚଳେ । କାରଣ ଗତ ୨୪ ବର୍ଷର ବିଜେଡି ଶାସନ କାଳରେ ମହିଳା କମିଶନ ମାନେ କେବଳ ଚିଠି ଲେଖୁଥିବା ରାଜ୍ୟବାସୀ ଦେଖିଛନ୍ତି । ସେମାନେ ସେହି କାମ କରନ୍ତି ଯାହା ସରକାରଙ୍କୁ ସୁହାଇଥାଏ । ତେବେ ନୂଆ ମୋହନ ସରକାର ଆସିଲା ପରେ ଏବେ ଏହି ପଦବୀର ମର୍ଯ୍ୟାଦା ବଢ଼ିବାକୁ ଯାଉଛି । ମହିଳା କମିଶନଙ୍କ ଅଧିକାର ଏବଂ ପାଓ୍ୱାର ବଢ଼ିବାକୁ ଯାଉଛି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ନିଜେ ଘୋଷଣା କରିଛନ୍ତି ।
ସେ ସିଧା ସଳଖ କହିଛନ୍ତି, ମହିଳା କମିଶନ ସବୁବେଳେ କ୍ଷମତାହୀନ ହୋଇ ରହିଆସିଛନ୍ତି । କିନ୍ତୁ ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବା କଥା । ସେ ଅନେକ ପ୍ରସଙ୍ଗରେ ନିଜେ ବିଚାର କରି ଦଣ୍ଡ ଦେବା କଥା । ସେ ନିଜ ଅଧିକାର ବଳରେ ସମନ୍ କରିବା, ଡାକିବା ଏବଂ ଦଣ୍ଡିତ ମଧ୍ୟ କରିପାରିବା କଥା । ହେଲେ ମହିଳା କମିଶନ କେବେ ବି କାହାକୁ ଦଣ୍ଡିତ କରିନାହାନ୍ତି। ତାଙ୍କୁ ସେ ଅଧିକାର ଦିଆଯାଇ ନାହିଁ ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆହୁରି କହିଛନ୍ତି, ଗତ ୩୨ ବର୍ଷ ହେଲାଣି ମହିଳା କମିଶନ କେବଳ ସୁପାରିସ୍ କରୁଛନ୍ତି । କମିଶନଙ୍କର ପୋଲିସ ପାୱାର ବିନା କିଛି ମାନେ ନାହିଁ । କମିଶନ ନିଜେ ଆକ୍ସନ ନେବା ଦରକାର, ନହେଲେ ସେହି ପଦବୀର ମାନେ କିଛି ନାହିଁ । ମହିଳା କମିଶନଙ୍କୁ କ୍ଷମତା ଦେବା ପାଇଁ ଏବେ ସମୟ ଆସିଛି । ତାଙ୍କୁ ସେ ଅଧିକାର ସରକାର ଦେବେ, ମହିଳା କମିଶନ କ୍ଷମତା ସମ୍ପନ୍ନ ହେବ । ଏହା ଦ୍ୱାରା ଅନେକ ମହିଳା ତୁରନ୍ତ ନ୍ୟାୟ ପାଇପାରିବେ । ଅନେକ ସମସ୍ୟାର ତୁରନ୍ତ ସମାଧାନ ବାହାରିପାରିବ । ନିଜ କ୍ଷମତା ବଳରେ କମିଶନ ଦୋଷୀଙ୍କୁ ଦଣ୍ଡ ବି ଦେଇପାରିବେ ।