ବାଂଲାଦେଶୀଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ହେଲା ଜୋରଦାର

Key Points
ବିଦେଶୀ ଅନୁପ୍ରବେଶକାରୀଙ୍କୁ ବିଦା କରିବାକୁ ଆକ୍ସନ ମୋଡରେ ରାଜ୍ୟ ସରକାର
ବାଂଲାଦେଶୀଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ହେଲା ଜୋରଦାର
ସରକାରଙ୍କ ନିର୍ଦ୍ଦେଶ ପରେ ଭଦ୍ରକରେ ତତ୍ପରତା
ବାସୁଦେବପୁର ଓ ଚାନ୍ଦବାଲି ବ୍ଲକରେ ଶହ ଶହ ସଂଖ୍ୟାରେ ବାଂଲାଦେଶୀ
ବିଜେଡି ନେତାଙ୍କ ଛତ୍ରଛାୟାରେ କରିଛନ୍ତି ଏକର ଏକର ଜମି ଜବରଦଖଲ
ଆଲର୍ଟ ରହିବାକୁ ମେରାଇନ ଥାନା ଗୁଡ଼ିକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ
ବଙ୍ଗୋପସାଗର ଉପକୂଳରେ ଥିବା ଭଦ୍ରକ ଜିଲ୍ଲାର ଦୁଇଟି ବ୍ଲକ୍ ବାସୁଦେପୁର ଓ ଚାନ୍ଦବାଲିରେ ସବୁଠାରୁ ଅଧିକ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା। ରାଜ୍ୟ ସରକାର ଙ୍କ ତଥ୍ୟ ଅନୁସାରେ 1971ରୁ ଜିଲ୍ଲାରେ 200 ଜଣ ବାଂଲା ଅନୁପ୍ରବେଶକାରୀ ଅଛନ୍ତି । ଏବେ ଏହି ସଂଖ୍ୟା କେତେ ସେ ନେଇ ନାହିଁ ସଠିକ୍ ପରିସଂଖ୍ୟାନ। ଦଶନ୍ଧି ଦଶନ୍ଧି ଧରି ଭଦ୍ରକ ଜିଲ୍ଲାରେ ବଢ଼ିଚାଲିଛି ଏମାନଙ୍କ ସଂଖ୍ୟା। ଧାମରାରୁ ବାଲେଶ୍ୱର ପର୍ଯ୍ୟନ୍ତ ସମୁଦ୍ର ପଥ ଦେଇ ବାଂଲାଦେଶୀ ଅବାଧରେ ପ୍ରବେଶ କରି ଆସିଛନ୍ତି। ଆଉ ବିଜେଡି ଶାସନର 24 ବର୍ଷ ଭିତରେ ଏମାନଙ୍କୁ ମିଳିଆସୁଥିଲା ରାଜନୈତିକ ସମର୍ଥନ ଓ ସହଯୋଗ। ଭୋଟ୍ ବ୍ୟାଙ୍କ ବଢ଼ାଇବାକୁ ଆଞ୍ଚଳିକ ବିଜେଡି ନେତାମାନେ ବାଂଲାଦେଶୀଙ୍କର ପରିଚୟ ପତ୍ର କରାଇବାଠାରୁ ଆରମ୍ଭ କରି ସେମାନଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇବାକୁ କରିଆସିଥିଲେ ବ୍ୟବସ୍ଥା। ଅନେକ ସ୍ଥାନରେ ବାଂଲାଦେଶୀ ସରକାରୀ ଜମି ଜବରଦଖଲ କରି ବସ୍ତି କରି ରହିଛନ୍ତି। ଧାମରା ଠାରୁ ସମୁଦ୍ର କୂଳ ଦେଇ ଗଲେ ବାସୁଦେବପୁର ବ୍ଲକର ବାଲିମୁଣ୍ଡା, ବିନୋବାଭାବେ ନଗର, ବିଦେଇପୁର, ପଢ଼ୁଆଁ, ଆଦି ପଂଚାୟତ ଗୁଡିକରେ ଏକର ଏକର ସରକାରୀ ଜମି ମାଡ଼ି ବସିଛନ୍ତି ବାଂଲାଦେଶୀ।
ଧାମରାରୁ ବାଲେଶ୍ଵର ପର୍ଯ୍ୟନ୍ତ ଦୋସିଙ୍ଗା. କଇଥଖୋଲା, କରଞ୍ଜମାଳ, ଚୁଡାମଣି, କସିଆ, ଜମ୍ବୁ, ବଳାରାମଗଡି, ବାହାବଳପୁର, ବରାଜନଗର, ତାଳଚୁଆ, ବାସୁଦେବପୁରର ବାଲିମୁଣ୍ଡା, ଗୋପବନ୍ଧୁନଗର ଗରକେକେପୁର, ପଡ଼ୁଆଁ ଆଦି ସ୍ଥାନରେ ଆଶାତୀତ ଭାବରେ ବଢ଼ି ଚାଲିଛି ବାଂଲାଦେଶୀଙ୍କ ସଂଖ୍ୟା। ଭଦ୍ରକ ଜିଲ୍ଲାର ଏ ଅଞ୍ଚଳରେ ବାଂଲାଦେଶୀ ଅବାଧରେ କାୟା ମେଲାଇ ଚାଲିଥିବାବେଳେ ସେମାନଙ୍କୁ ଚିହ୍ନଟ କରିବାକୁ ଏବେ ତତ୍ପର ହୋଇଛି ପ୍ରଶାସନ । ଅତିରିକ୍ତ ଏସପି କହିଛନ୍ତି ସାମୁଦ୍ରିକ ଥାନା ଓ ମେରାଇନ ଥାନାକୁ ଆଲର୍ଟ କରାଯାଇଛି । ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ମିଳିତ ଭାବେ ଏହି ଚିହ୍ନଟ ପ୍ରକ୍ରିୟା କରାଯିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଗୋଟିଏ ପଟେ ସରକାରୀ ତତ୍ପରତା ଅନ୍ୟପଟେ ଦଶନ୍ଧି ଦଶନ୍ଧି ଧରି ରହୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରିବା ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପାଇଁ ହୋଇପାରେ ଚ୍ୟାଲେଞ୍ଜ।