ବଳଭଦ୍ରଙ୍କ ପରେ ବିଜେଡିକୁ ଝଟକା ଦେଲେ ପ୍ରେମାନନ୍ଦ ନାୟକ

ଭୁବନେଶ୍ୱର:: ପ୍ରେମାନନ୍ଦଙ୍କ ଇସ୍ତଫାକୁ ନେଇ ପାୱାର କରିଡରରେ କମ୍ପନ। ନିର୍ବାଚନ ପୂର୍ବରୁ ଦଳର ଜଣେ ଷ୍ଟାଣ୍ଡିଂ ବିଧାୟକଙ୍କ ଇସ୍ତଫା ବିଜେଡିର ଦଳୀୟ ବିଶୃଙ୍ଖଳାକୁ ପୁଣି ଥରେ ପଦାରେ ପକାଇ ଦେଇଛି । ଇସ୍ତଫା ପତ୍ର ଅକ୍ଟୋବର ମାସରୁ ଦଳର ସଭାପତି ଓ ସାଙ୍ଗଠନିକ ସମ୍ପାଦକଙ୍କୁ ଇ-ମେଲରେ ପଠାଇଥିଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ। ହେଲେ ତଙ୍କୁ ମନାଇବାରେ ବିଫଳ ହୋଇଛନ୍ତି ବିଜେଡି ମଙ୍ଗୁଆଳ । ଚାରି ମାସ ପରେ ବାହାରକୁ ଆସିଛି ପ୍ରେମାନନ୍ଦଙ୍କ ଇସ୍ତଫା ପତ୍ର। ପ୍ରେମାନନ୍ଦଙ୍କ ଅଭିଯୋଗ ତାଙ୍କୁ ଅଣଦେଖା କରାଯାଉଥିଲା। ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ବି ଭେଟିବାକୁ ଦିଆଯାଉନଥିଲା ।
ସେପଟେ ନିର୍ବାଚନ ପୂର୍ବରୁ ଜଣେ ପରେ ଜଣେ ନେତା ଦଳ ଛାଡିବାକୁ ନେଇ ଚିନ୍ତାରେ ବିଜେଡି ସୁପ୍ରିମୋ। ତେଣୁ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ନବୀନ ନିବାସରେ ବସିଥିଲା ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ। ସଂଗଠନ ସଜାଡ଼ି ଅସନ୍ତୋଷକୁ ପ୍ରଶମିତ କରିବା ଲାଗି ମଙ୍ଗୁଆଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ। ପ୍ରେମାନନ୍ଦ ଅସୁସ୍ଥ ଥିବାରୁ ଇସ୍ତଫା ଦେଇଥିବା କହି ଦଳରେ ଅସନ୍ତୋଷ ପ୍ରସଙ୍ଗ ଏଡାଇବାକୁ ଚେଷ୍ଟା କରିଛନ୍ତି ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର। ସାରା ରାଜ୍ୟରେ ବିଜେଡିରେ ମୁଣ୍ଡ ଟେକିବା ଲାଗିଛି ରାଜୁ ସୁଣ୍ଡ୍ରୋମ। ପୂର୍ବୁରୁ ଦଳରେ ଅସନ୍ତୋଷକୁ ଦମନ କରିବାରେ ଯେଉଁଭଳି ସଫଳ ହେଉଥିଲେ ସୁପ୍ରିମୋ ଏବେ ସେଥିରେ ବ୍ୟତିକ୍ରମ ଦେଖାବାକୁ ମିଳୁଛି। ଜଣେ ରାଜୁ ଧାମନଗରରେ ବିଜେଡି ପରାଜୟର କାରଣ ସାଜିଲେ। ଏବେ ସାରା ରାଜ୍ୟରେ ଏଭଳି ସ୍ଥିତି। କେମିତି ମ୍ୟାନେଜ କରିବେ ସୁପ୍ରିମୋ ? କିଛି ଦିନ ତଳେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦିଆଯାଇନଥିବା ନେଇ ସେ ବି ଅଭିଯୋଗ କରିଥିଲେ। ଆହରି ଅନେକ ବିଜେଡି ବିଧାୟକ ଦଳୀୟ ବିଶୃଙ୍ଖଳା ଓ ଦଳରେ ଅଣଦେଖାକୁ ନେଇ ଇସ୍ତଫା ଦେବା ପାଇଁ ଲାଇନ ରେ ଥିବା ଚର୍ଚ୍ଚା ହେଉଛି ।
ଅଧିକ ପଢନ୍ତୁ ଭାରତ ଖବର
