ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପାରଳାଖେମୁଣ୍ଡିର ୭ ସାଗର

Key Points
ପାରଳାଖେମୁଣ୍ଡିରେ ସାଗର ପୁନରୁଦ୍ଧାର ନାଁରେ ମହାଦୁର୍ନୀତି
ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ୭ଟି ସାଗର
ଅଧପନ୍ତରିଆ କାମ କରି ଟଙ୍କା ଚଳୁ କରିଛନ୍ତି ଠିକାଦାର ଓ ନେତା
ଶହ ଶହ ଚାଷ ଜମିକୁ ଜଳସେଚନ ସୁବିଧା ଲକ୍ଷ୍ୟ ବାଟବଣା
କୃଷି ଓ କୃଷକର ବିକାଶ ପାଇଁ ମହାରାଜା ଗୌରଚନ୍ଦ୍ର ଗଜପତି, ଜଗନ୍ନାଥ ଗଜପତିଙ୍କ ଦ୍ଵାରା ପାରଳାଖେମୁଣ୍ଡି ଜମିଦାରି ଅଞ୍ଚଳରେ ନିଆଯାଇଥିଲା ବଡ଼ ପଦକ୍ଷେପ । ସେଥିମଧ୍ୟରୁ ୭ଟି ସାଗର, ଗୋଟିଏ ନଦୀବନ୍ଧ ଯୋଜନା ଏବଂ ୧୫୩ଟି ପୋଖରୀ ଖନନ କରାଯାଇଥିଲା । ଉଦ୍ଦେଶ୍ୟ ଥିଲା କୃଷକମାନଙ୍କୁ ମରୁଡି ଦାଉରୁ ରକ୍ଷା କରିବା ।
କିନ୍ତୁ ଜିଲ୍ଲା ପ୍ରଶାସନ ଅବହେଳାରୁ ୭ଟି ସାଗର ଲୋକଙ୍କ କାମରେ ନଆସି ନିଜ ସ୍ତତ୍ତା ହରାଇଛି । ୭ଟି ସାଗର ହେଉଛି କୃଷ୍ଣ, ଗଜପତି, ରାଧା, ରାମ, ଲକ୍ଷ୍ମଣ, ସୀତା ଓ ଯଯାତି ସାଗର । ସେହିପରି ବାଟିଆ ସିରିପୁରୁ ନଦୀବନ୍ଧ ଯୋଜନା ଏବଂ ଛୋଟ ବଡ଼ ୧୫୩ଟି ବନ୍ଧ ସେଥିମଧ୍ୟରୁ ଭୁସକୁଡି ବଡ଼ ବନ୍ଧ, ଆରିବା ବଡ ବନ୍ଧ ରକ୍ଷଣା ବେକ୍ଷଣ ଅଭାବରୁ ନକରି ଜରାଜୀର୍ଣ୍ଣ ଅବସ୍ଥାରେ ।
ପାହାଡ଼ ଧସି ହୋଇ ଆସୁଥିବା ମାଟି ସାଗରରେ ଜମିବା ଯୋଗୁଁ ତାର ଜଳଧାରଣ କ୍ଷମତା କମି ଚାଲିଛି । ଅଧିକ ପାଣି ରହିବା କଥା ଦୂରରେ ଥାଉ ସାମାନ୍ୟ ଝଡି ଟିଏ ହେଲେ ମଧ୍ୟ ସାଗରକୁ ଆସୁଥିବା ପାଣି ହିଡ଼ ଭାଙ୍ଗି ଚାଲି ଯାଉଛି । ଏବେକାର ସ୍ଥିତି ଦେଖିଲେ କେଉଁ ସାଗରରେ ମଇଁଷି ଚରୁଥିବା ଦେଖାଯାଉଛି ତ ଅନ୍ୟ କେଉଁଠି ଦଳ ଏବଂ ପଙ୍କ ଭର୍ତ୍ତି ହୋଇ ରହିଛି । କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀ କହିଛନ୍ତି- ରାମ ସାଗର ପାଇଁ ୩ କୋଟି ୫୦ ଲକ୍ଷ, କୃଷ୍ଣସାଗର ୩ କୋଟି ୧୦ ଲକ୍ଷ, ଗଜପତି ସାଗର ପାଇଁ ୧ କୋଟି ୪୦ ଲକ୍ଷ ସହ ବର୍ତ୍ତମାନ ସୁଦ୍ଧା ୭୦ ପ୍ରତିଶକ ବିଲ୍ ହୋଇ ସାରିଛି ।
ମାତ୍ର ଅଧା କାମ ଛାଡ଼ି ଛୁ ମାରିଛି ଠିକାଦାର । ଏହି ସାଗର ଗୁଡ଼ିକୁ ପୁନରୁଦ୍ଧାର କରାଗଲେ ଚାଷୀମାନେ ୧୨ ମାସ ଚାଷ କରିପାରନ୍ତେ ଏବଂ ମତ୍ସ୍ୟଜୀବୀବି ନିଜ ଗୁଜୁରାଣ ମେଣ୍ଟାଇ ପାରନ୍ତେ ।