Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏବେଠୁ ସ୍ଥିତି ଭୟଙ୍କର ହେଲାଣି, ଆଗକୁ ଆହୁରି ବିଗିଡ଼ିବ ପରିସ୍ଥିତି !

Odisha

ଏବେଠୁ ସ୍ଥିତି ଭୟଙ୍କର ହେଲାଣି, ଆଗକୁ ଆହୁରି ବିଗିଡ଼ିବ ପରିସ୍ଥିତି !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଏବେଠୁ ସ୍ଥିତି ଭୟଙ୍କର ହେଲାଣି, ଆଗକୁ ଆହୁରି ବିଗିଡ଼ିବ ପରିସ୍ଥିତି !

ଉପକୂଳରୁ ଉପାନ୍ତ ସବୁଠି ଜଳକଷ୍ଟ । ଖରା, ଗରମ ସାଙ୍ଗକୁ ଜଳ ଯନ୍ତ୍ରଣାରେ କଲବଲ ରାଜ୍ୟବାସୀ । ରାଜ୍ୟରେ ଅସମ୍ଭାଳ ତାତି ସାଙ୍ଗକୁ ଦେଖାଦେଲାଣି ଜଳକଷ୍ଟ। ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନା ଫେଲ୍ ମାରିଥିବାରୁ ଏହାର କଷ୍ଟ ଭୋଗୁଛନ୍ତି ସାଧାରଣ ଜନତା। ଲୋକଙ୍କ ଶୋଷ ମେଣ୍ଟାଉଛି ନଦୀ, ପୋଖରୀ ଓ ଚୁଆ ପାଣି। ମନ୍ତ୍ରୀ କହିଲେ, ପାନୀୟ ଜଳ ସଙ୍କଟକୁ ଗୁରୁତର ସହ ନେଇଛନ୍ତି ସରକାର । ରାଜ୍ୟରେ ଏବେଠୁ ଅସମ୍ଭାଳ ତାତି । ଘରୁ ବାହାରିବା ମୁସ୍କିଲ । ଆଉ ଏ ପରିସ୍ଥିତିରେ କଷ୍ଟକୁ ଦ୍ବିଗୁଣିତ କରିଛି ଜଳକଷ୍ଟ । ସେ ଦେବଗଡ଼ କୁହନ୍ତୁ କି ଗଞ୍ଜାମ କି କେନ୍ଦ୍ରାପଡ଼ା । ସବୁଠି ଜଳ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଉପକୂଳରୁ ଉପାନ୍ତବାସୀ ।

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପଳସମା ପଞ୍ଚାୟତରେ ରହିଛି ଏମିତି ଏକ ଗାଁ, ଯେଉଁଠି ଚାରିପଟେ ପାହାଡ଼ ଆଉ ମଝିରେ ବସବାସ କରୁଛନ୍ତି ଗାଁ ଲୋକ । ଭଳିକି ଭଳି ଷ୍ଟାଣ୍ଡ ପୋଷ୍ଟ ଲାଗିଛି ସେଠାରେ, ପାଇପ୍ ବିଛା ହୋଇଛି କିନ୍ତୁ ପାଣି ଟୋପାଏ ଆସୁନାହିଁ । ଗାଁରେ ଥିବା ଗୋଟେ ଦୁଇଟି ନଳକୂପ ଉପରେ ଭରସା କରି ଚଲୁଛନ୍ତି ଗ୍ରାମବାସୀ । ସେହି ନଳକୂପରୁ ପାଣି ସହ ଲୁହାଗୁଣ୍ଡ ବି ବାହାରୁଛି । ପାଣିକୁ କିଛି ସମୟ ରଖିଦେଲେ ତାର ରଙ୍ଗ ବି ବଦଳି ଯାଉଛି । ସେହି ଦୂଷିତ ପାଣି ଦ୍ୱାରା ଲୋକେ ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ ବି ହୋଇଛି ।

ଏ ତ ଥିଲା ଉପାନ୍ତ ଦେବଗଡ଼ର କଥା, ସେଇ ସମାନ ସ୍ଥିତି ଗଞ୍ଜାମ ଜିଲ୍ଲାରେ ବି ଦେଖିବାକୁ ମିଳିଛି । ଏଠି ବି ଲାଗି ରହିଛି ଜଳ କଷ୍ଟ । ଜିଲ୍ଲାର ଗାଲେରି ଗାଁରେ ପ୍ରସିଦ୍ଧ ଦଣ୍ଡଯାତ୍ରାର ଅନ୍ତିମ ଦିନରେ ମେରୁଯାତ୍ରା ଅନୁଷ୍ଠିତ ହେବ । ମେରୁଯାତ୍ରା ପାଇଁ ଗାଲେରି ଗାଁ ହେବ ଉତ୍ସବ ମୁଖର । ଲକ୍ଷାଧିକ ଲୋକଙ୍କର ହେବ ସମାଗମ । ହେଲେ ଗାଁରେ ଜଳ ଯୋଗାଣ ଅଚଳ ହୋଇପଡିଛି । କାହା ଘରେ ବି ପାଣି ମୁନ୍ଦେ ନାହିଁ। ଗରା ମାଠିଆ ଧରି ଗାଁ ଦାଣ୍ଡରେ ମହିଳାଙ୍କ ଧାଡ଼ି ଲାଗିଛି । ଚୁଆ ଖୋଳି ପାଣି ଆଣିବାକୁ ପଡୁଛି । ଦିନେ କି ଦୁଇଦିନ ନୁହଁ ୧୫ ଦିନ ହେବ ଏଭଳି ସମସ୍ୟା ଦେଖାଦେଇଛି ଏହି ଗାଁରେ । ପୂର୍ବରୁ ଗାଁକୁ ଜଳ ଯୋଗାଣ ବ୍ୟବସ୍ଥା କରିବା ସହ ଗାଁରେ ଠିଆ ହୋଇଛି ଅନେକ ଷ୍ଟାଣ୍ଡପୋଷ୍ଟ । ହେଲେ ଏଥିରେ ପାଣି ଆସୁନାହିଁ । ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ପରିବାର ଏବେ ପ୍ରଭାବିତ ହୋଇଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରେ ମଧ୍ୟ ବିଭିନ୍ନ ଗାଁରେ ଦେଖିବାକୁ ମିଳିଛି ସମାନ ଚିତ୍ର । ମଧୁବନ, ବାଳକାଟି, ରାଧା ନଗର ଗାଁରେ ଉତ୍କଟ ପାନୀୟ ଜଳ ସମସ୍ୟା ରହିଛି । ଏଠି ବସୁଧା ଯୋଜନାରେ ପ୍ରକଳ୍ପ କରାଯାଇଥିଲା । ହେଲେ ୧୫ ଦିନ ହେବ ଏହା ଅଚଳ ହୋଇପଡ଼ିଛି । ଗାଁର ଅଧିକାଂଶ ନଳକୂପ ଅଚଳ ହୋଇପଡ଼ିଛି । କାଁ ଭାଁ ନଳକୂପରୁ ପାଣି ଆସୁଥିଲେ ବି ତାହା ବ୍ୟବହାର ଅନୁପଯୋଗୀ ।

ରାଜ୍ୟରେ ପାନୀୟ ଜଳ ସମସ୍ୟା ପାଇଁ ନିଆଯାଉଛି ପଦକ୍ଷେପ । ଚଳିତବର୍ଷ ୨୧ ହଜାର ୩୦୦ ନଳକୂପ ବିଭିନ୍ନ ଜ଼ିଲ୍ଲାକୁ ଅନୁମୋଦନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୪ ହଜାର ନଳକୂପ ବସିସାରିଛି । ଯନ୍ତ୍ରାଂଶ କମ୍‌ ଥିବାରୁ କିଛି ବ୍ୟତିକ୍ରମ ଦେଖାଦେଇଛି । ଯେଉଁଠି ପାନୀୟ ଜଳ ସମସ୍ୟା ଅଛି ସେହି ଅଂଚଳରେ ଲୋକେ ବ୍ଲକ ଅଫିସ ଯାଇ ସମସ୍ୟା କହିଲେ ତୁରନ୍ତ ସମାଧାନ କରାଯିବ ବୋଲି କହିଛିନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାଏକ ।

ଆଗକୁ ବଢିବ ତାତି, ଅସମ୍ଭାଳ ହେବ ଖରା । ଏପରି ସ୍ଥିତିରେ ପାନୀୟ ଜଳ ସମସ୍ୟାର ଖୁବ୍‌ଶୀଘ୍ର ସମାଧାନ କରିବାକୁ ଦାବି ଜୋର ଧରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The situation is already dire, and it will only get worse! | Argus News