ଆଉ ଶୁଭୁନି ସେଇ କଂସାରୀ ଘରର ଢାଇଁ ଢାଇଁ ଶବ୍ଦ, ଉଜୁଡ଼ିଗଲାଣି କୁଟୀରଶିଳ୍ପ

କଂସା ବାସନର ଏନ୍ତୁଡ଼ିଶାଳ ଭାବେ ଏସିଆ ମହାଦେଶର ଜନବହୁଳ ଗ୍ରାମ ଭୁବନ ପରିଚିତ ଥିବା ବେଳେ ଆଉ ଶୁଭୁନି କଂସାରୀ ଶାଳର ଢାଇଁ ଢାଇଁ ଶବ୍ଦ । ଭୁବନର ପ୍ରବେଶ ପଥରେ ଆଉ ଦେଖିବାକୁ ମିଳୁନି କଂସାରୀ ଶାଳ ସହ କାରିଗର ମାନଙ୍କର କଂସା ବାସନ ତିଆରିର ଚମତ୍କାରୀ କୌଶଳ । କଂସାବାସନ ପରି କୁଟୀରଶିଳ୍ପକୁ ନେଇ ରାଜ୍ୟରେ ଭୁବନର ସ୍ୱତନ୍ତ୍ର ସ୍ଥାନ ଥିବାବେଳେ ସମୟାନୁକ୍ରମେ ଏହା ଲୋପ ପାଇବାକୁ ବସିଲାଣି ।
ଢେଙ୍କାନାଳ ଜିଲ୍ଲାର ଭୁବନ ଗାଁ । ଦିନେ ଏଠି ଦୁଇଶହରୁ ଅଧିକ କଂସାରୀ ଶାଳ ଥିଲା । ପ୍ରତ୍ୟେକ ଶାଳରେ ୫ରୁ ଅଧିକ କାରିଗର ମେଳି ହୋଇ କଂସାବାସନ ତିଆରି କରୁଥିଲେ । ୧୯୫୩ ମସିହା ଅଗଷ୍ଟ ୧ ତାରିଖରେ କଂସାବାସନ ସମବାୟ ସମିତି ଓ ପରେ ୧୯୭୫ ମସିହାରେ ନୂଆଭୁବନ କଂସାପିତ୍ତଳ ସୋସାଇଟ ଗଠନ ହୋଇଥିଲା । ପରେ ପରେ କଂସା ବାସନ ବିକ୍ରି କରିବାରେ ସୁଧାର ଆସିଥିଲା । ସୁଦୂର କୋଲକାତା ଓଡ଼ିଶାର ବାଳକାଟି, କଣ୍ଟିଲୋ, ଭଟ୍ଟିମୁଣ୍ଡା ଓ କବାଟବନ୍ଧ ଆଦି ସ୍ଥାନରୁ କଞ୍ଚାମାଲ ଆସୁଥିବା ବେଳେ, ସମବାୟ ସମିତି ଓ ସୋସାଇଟିରୁ ମଧ୍ୟ କିଛିଟା ମାତ୍ରାରେ କଞ୍ଚାମାଲ ମିଳି ଯିବାରୁ ଏହି ଶିଳ୍ପରେ କୌଣସି ସମସ୍ୟା ନଥିଲା । ହେଲେ ଧିରେ ଧିରେ ଏମାନଙ୍କ ସ୍ଥିତି ବଦଳି ଗଲା । ଏବେ କାରିଗରଙ୍କ ଢାଇଁ ଢାଇଁ ଶବ୍ଦ ଶୁଣାଯାଉନି କି ଆଗ ଭଳି କଂସା ବାସନ ତିଆରି ହେଉନି ।
୧୯୮୭ ମସିହା ଘରପୋଡ଼ି ପରେ ପାଖାପାଖି ୮୦ଟି କଂସାରୀ ଶାଳ ବନ୍ଦ ହେବା ସହ ଧିରେ ଧିରେ ଚାଇନା ପ୍ଲେଟ, ଫାଇବର ଓ ଷ୍ଟିଲ ଏହି ଶିଳ୍ପ ପାଇଁ ପ୍ରତିବନ୍ଧକ ପାଲଟିଲା । ସମବାୟ ସମିତି ଓ ସୋସାଇଟି ମଧ୍ୟ ସମୟାନୁକ୍ରମେ ବନ୍ଦ ହୋଇଗଲା । ଫଳରେ ନିଆଁ ସହିତ ଖେଳକରି ଅତି ଯତ୍ନରେ ପ୍ରସ୍ତୁତ କରୁଥିବା କଂସାବାସନ ଗୁଡିକୁ ବିକ୍ରି କରିବାରେ ସେମାନଙ୍କ ପାଇଁ ସମସ୍ୟା ଉପୁଜିଲା ।
ଧିରେ ଧିରେ କଞ୍ଚାମାଲର ଅଭାବ ବୋଝ ଉପରେ ଲଳିତା ବିଡ଼ା ସଦୃଶ ପାଲଟିଲା । ଭୁବନ ଅଞ୍ଚଳରେ ଦୁଇଶହରୁ ଉର୍ଦ୍ଧ ଶାଳରେ କଂସାବାସନ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବର୍ତ୍ତମାନ ୫/୬ ଟି ଶାଳରେ ଦୁଃଖ କଷ୍ଟରେ କାରିଗର ମାନେ କାମ କରୁଛନ୍ତି । ଭୁବନରେ କଂସାବାସନ ନିର୍ମାଣ କାର୍ଯ୍ୟ ବନ୍ଦ ହେବାକୁ ଯାଉଥିବା ବେଳେ, ସରକାରୀ ପ୍ରୋତ୍ସାହନ ମିଳିଲେ ଏହାକୁ ବୃଦ୍ଧି କରିହେବ ବୋଲି କାରିଗରମାନେ କହିଛନ୍ତି ।