Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଉ ଶୁଭୁନି ସେଇ କଂସାରୀ ଘରର ଢାଇଁ ଢାଇଁ ଶବ୍ଦ, ଉଜୁଡ଼ିଗଲାଣି କୁଟୀରଶିଳ୍ପ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଆଉ ଶୁଭୁନି ସେଇ କଂସାରୀ ଘରର ଢାଇଁ ଢାଇଁ ଶବ୍ଦ, ଉଜୁଡ଼ିଗଲାଣି କୁଟୀରଶିଳ୍ପ

କଂସା ବାସନର ଏନ୍ତୁଡ଼ିଶାଳ ଭାବେ ଏସିଆ ମହାଦେଶର ଜନବହୁଳ ଗ୍ରାମ ଭୁବନ ପରିଚିତ ଥିବା ବେଳେ ଆଉ ଶୁଭୁନି କଂସାରୀ ଶାଳର ଢାଇଁ ଢାଇଁ ଶବ୍ଦ । ଭୁବନର ପ୍ରବେଶ ପଥରେ ଆଉ ଦେଖିବାକୁ ମିଳୁନି କଂସାରୀ ଶାଳ ସହ କାରିଗର ମାନଙ୍କର କଂସା ବାସନ ତିଆରିର ଚମତ୍କାରୀ କୌଶଳ । କଂସାବାସନ ପରି କୁଟୀରଶିଳ୍ପକୁ ନେଇ ରାଜ୍ୟରେ ଭୁବନର ସ୍ୱତନ୍ତ୍ର ସ୍ଥାନ ଥିବାବେଳେ ସମୟାନୁକ୍ରମେ ଏହା ଲୋପ ପାଇବାକୁ ବସିଲାଣି ।

ଢେଙ୍କାନାଳ ଜିଲ୍ଲାର ଭୁବନ ଗାଁ । ଦିନେ ଏଠି ଦୁଇଶହରୁ ଅଧିକ କଂସାରୀ ଶାଳ ଥିଲା । ପ୍ରତ୍ୟେକ ଶାଳରେ ୫ରୁ ଅଧିକ କାରିଗର ମେଳି ହୋଇ କଂସାବାସନ ତିଆରି କରୁଥିଲେ । ୧୯୫୩ ମସିହା ଅଗଷ୍ଟ ୧ ତାରିଖରେ କଂସାବାସନ ସମବାୟ ସମିତି ଓ ପରେ ୧୯୭୫ ମସିହାରେ ନୂଆଭୁବନ କଂସାପିତ୍ତଳ ସୋସାଇଟ ଗଠନ ହୋଇଥିଲା । ପରେ ପରେ କଂସା ବାସନ ବିକ୍ରି କରିବାରେ ସୁଧାର ଆସିଥିଲା । ସୁଦୂର କୋଲକାତା ଓଡ଼ିଶାର ବାଳକାଟି, କଣ୍ଟିଲୋ, ଭଟ୍ଟିମୁଣ୍ଡା ଓ କବାଟବନ୍ଧ ଆଦି ସ୍ଥାନରୁ କଞ୍ଚାମାଲ ଆସୁଥିବା ବେଳେ, ସମବାୟ ସମିତି ଓ ସୋସାଇଟିରୁ ମଧ୍ୟ କିଛିଟା ମାତ୍ରାରେ କଞ୍ଚାମାଲ ମିଳି ଯିବାରୁ ଏହି ଶିଳ୍ପରେ କୌଣସି ସମସ୍ୟା ନଥିଲା । ହେଲେ ଧିରେ ଧିରେ ଏମାନଙ୍କ ସ୍ଥିତି ବଦଳି ଗଲା । ଏବେ କାରିଗରଙ୍କ ଢାଇଁ ଢାଇଁ ଶବ୍ଦ ଶୁଣାଯାଉନି କି ଆଗ ଭଳି କଂସା ବାସନ ତିଆରି ହେଉନି ।

୧୯୮୭ ମସିହା ଘରପୋଡ଼ି ପରେ ପାଖାପାଖି ୮୦ଟି କଂସାରୀ ଶାଳ ବନ୍ଦ ହେବା ସହ ଧିରେ ଧିରେ ଚାଇନା ପ୍ଲେଟ, ଫାଇବର ଓ ଷ୍ଟିଲ ଏହି ଶିଳ୍ପ ପାଇଁ ପ୍ରତିବନ୍ଧକ ପାଲଟିଲା । ସମବାୟ ସମିତି ଓ ସୋସାଇଟି ମଧ୍ୟ ସମୟାନୁକ୍ରମେ ବନ୍ଦ ହୋଇଗଲା । ଫଳରେ ନିଆଁ ସହିତ ଖେଳକରି ଅତି ଯତ୍ନରେ ପ୍ରସ୍ତୁତ କରୁଥିବା କଂସାବାସନ ଗୁଡିକୁ ବିକ୍ରି କରିବାରେ ସେମାନଙ୍କ ପାଇଁ ସମସ୍ୟା ଉପୁଜିଲା ।

ଧିରେ ଧିରେ କଞ୍ଚାମାଲର ଅଭାବ ବୋଝ ଉପରେ ଲଳିତା ବିଡ଼ା ସଦୃଶ ପାଲଟିଲା । ଭୁବନ ଅଞ୍ଚଳରେ ଦୁଇଶହରୁ ଉର୍ଦ୍ଧ ଶାଳରେ କଂସାବାସନ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବର୍ତ୍ତମାନ ୫/୬ ଟି ଶାଳରେ ଦୁଃଖ କଷ୍ଟରେ କାରିଗର ମାନେ କାମ କରୁଛନ୍ତି । ଭୁବନରେ କଂସାବାସନ ନିର୍ମାଣ କାର୍ଯ୍ୟ ବନ୍ଦ ହେବାକୁ ଯାଉଥିବା ବେଳେ, ସରକାରୀ ପ୍ରୋତ୍ସାହନ ମିଳିଲେ ଏହାକୁ ବୃଦ୍ଧି କରିହେବ ବୋଲି କାରିଗରମାନେ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The sound of Kansari House, the cottage craftsmanship has disappeared. | Argus News