Odisha Assembly / 'କେବଳ ସୁଭଦ୍ରା ପାଇଁ ୧୩ କୋଟି ୮ ଲକ୍ଷ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର'

Key Points
ସେଥିମଧ୍ୟରୁ ୯୭ ଲକ୍ଷ ୫୧ ହଜାର ୪୭୯ ଜଣ ମହିଳା ସୁଭଦ୍ରା ଟଙ୍କା ପାଇଛନ୍ତି ।
ସୁଭଦ୍ରାକୁ ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । କହିଲେ ସୁଭଦ୍ରା ପାଇଁ ୧୩ କୋଟି ୮ ଲକ୍ଷ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ସୁଭଦ୍ରା ପୋର୍ଟାଲର ମେଣ୍ଟେନାନ୍ସ, ହଷ୍ଟିଙ୍ଗ ଏବଂ ଡାଟା ସୁରକ୍ଷା ପାଇଁ ଖର୍ଚ୍ଚ ହୋଇଛି ଅର୍ଥ । ସୁଭଦ୍ରା ପୋର୍ଟାଲ, ମେଣ୍ଟାନାନ୍ସ, ଡେଭଲପମେଣ୍ଟ ଓ ସୁରକ୍ଷା ପାଇଁ ୧ କୋଟି ୫୪ ଲକ୍ଷ ୭୮ ହଜାର ଖର୍ଚ୍ଚ କରିଛି ବିଭାଗ । କ୍ଲାଉଡ୍ ହୋଷ୍ଟିଂ ପାଇଁ ଖର୍ଚ୍ଚ ହୋଇଛି ୧୨ କୋଟି ୨୮ ଲକ୍ଷ ୧୫ ହଜାର ଟଙ୍କା ।
ଗୃହରେ ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ସେହିପରି ଫିଲ୍ଡ ଇନକ୍ବାରୀ ପରେ ସୁଭଦ୍ରା ଯୋଜନାରେ ଯୋଡ଼ି ହେଲେଣି ୧୭ ଲକ୍ଷରୁ ଅଧିକ ମହିଳା । ୧୭ ଲକ୍ଷ ୮୩ ହଜାର ୨୫୧ ମହିଳା ସୁଭଦ୍ରାରେ ଯୋଡ଼ି ହୋଇଥିବା ଗୃହରେ ତଥ୍ୟ ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ବର୍ତ୍ତମାନ ୧ କୋଟି ୩ ଲକ୍ଷ ୮୯ ହଜାର ୮୦୧ ମହିଳା ପ୍ରଥମ/ଦ୍ୱିତୀୟ କିସ୍ତି ପାଇଛନ୍ତି । ସେଥିମଧ୍ୟରୁ ୯୭ ଲକ୍ଷ ୫୧ ହଜାର ୪୭୯ ଜଣ ମହିଳା ସୁଭଦ୍ରା ଟଙ୍କା ପାଇଛନ୍ତି ।
ଅନ୍ୟପଟେ ପ୍ରଭାତୀ ପରିଡ଼ା ଆହୁରି କହିଛନ୍ତି, ଏବେ ବି ରାଜ୍ୟରେ ୨୦ ହଜାର ୧୫୦ ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ଵ ଗୃହ। ୭ ହଜାର ୩୮୯ ଅଙ୍ଗନବାଡ଼ି କେନ୍ଦ୍ରର ଗୃହ ନିର୍ମାଣାଧୀନ ରହିଛି । ରାଜ୍ୟରେ ମୋଟ ୭୪ ହଜାର ୨୨୪ ଅଙ୍ଗନବାଡ଼ି ରହିଛି । ୫୪ ହଜାର ୭୪ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ଵ ଗୃହ ଅଛି । ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଗୃହରେ ସୂଚନା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଣେ ୩୮୯୦ ଅଙ୍ଗନବାଡ଼ି ଭଡ଼ା ଘରେ ଚାଲିଛି ।
ରାଜ୍ୟରେ ଅଙ୍ଗନବାଡ଼ିଗୁଡ଼ିକର ଶତ ପ୍ରତିଶତ ନିଜସ୍ବ ଗୃହ କରାଯିବା ଲାଗି ସରକାର ପ୍ରଚେଷ୍ଟା ଚଳାଇଛନ୍ତି । ଯେଉଁ ୧୫ ଲକ୍ଷ ଟଙ୍କାରେ ଅଙ୍ଗନବାଡ଼ିର ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା ରହିଥିଲା, ସେଥିରେ ନୂଆ ଅର୍ଥବ୍ୟବସ୍ଥା କରାଯାଇଛି । ୧୮-୦୨ -୨୦୨୫ରେ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଜାରି ପତ୍ର ଅନୁଯାୟୀ, ଏଥିଲାଗି ୩୨ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି । ଏଣୁ ଏନେଇ କେହି ବିଧାୟକ ଚିନ୍ତିତ ହେବାର ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି ।
ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସକ୍ଷମ ଅଙ୍ଗନବାଡ଼ିରେ ଏଲଇଡି, ଆରଓ ମେସିନ୍ ବିଦ୍ୟୁତ୍ ବ୍ୟବସ୍ଥା କରାଯାଉଛି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ସମସ୍ତ କାର୍ଯ୍ୟ ସଂପାଦିତ ହେଉଛି। ବଜେଟରେ ବ୍ୟବସ୍ଥା ନଥାଇ ସରକାର କିପରି ଅଙ୍ଗନବାଡ଼ି କାମ କରିବେ ବୋଲି ବିଜେଡି ବିଧାୟକ ଅଶ୍ବିନୀ ପାତ୍ର ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ବଜେଟରେ ବ୍ୟବସ୍ଥା ନଥାଇ କାମ କରିବା ସରକାର ଇଏ ନୁହେଁ । ଅତିରିକ୍ତ ବଜେଟରେ ସମସ୍ତ ବନ୍ଦୋବସ୍ତ କରାଯାଇଛି।
📱 Get Argus News App
✨Related Topics
Explore more stories