Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶକ୍ତି କରିଡରରେ ଯୋଡ଼ିହେବେ ରାଜ୍ୟର ପ୍ରସିଦ୍ଧ ଶକ୍ତିପୀଠ

Rashmita Mishra
Browse all articles by Rashmita Mishra
·1 year ago·2 min read
ଶକ୍ତି କରିଡରରେ ଯୋଡ଼ିହେବେ ରାଜ୍ୟର ପ୍ରସିଦ୍ଧ ଶକ୍ତିପୀଠ

ଓଡ଼ିଶାରେ ହେବ ଶକ୍ତି କରିଡ଼ର । ରାଜ୍ୟରେ ରହିଥିବା ସମସ୍ତ ଶକ୍ତି ପୀଠକୁ ଯୋଡାଯିବ । ମା' ତାରାତାରିଣୀ, ମା' ବିରଜା, ମା' ଉଗ୍ରତାରା, ମା' ଭଗବତୀ, ମା' ମଙ୍ଗଳା, ମା' କାଳିଜାଇ, ମା' ଭୈରବୀଙ୍କୁ ଯୋଡ଼ି ତିଆରି ହେବ ଏହି ଶକ୍ତି କରିଡ଼ର । ଚୈତ୍ର ମାସର ଶେଷ ମଙ୍ଗଳବାରରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ଦର୍ଶନ କରି ଏହି ସୂଚନା ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଜିଲ୍ଲାସ୍ତରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ମା' ତାରାତାରିଣୀ ପୀଠର ଉନ୍ନତି ପାଇଁ ୮ କୋଟି ଟଙ୍କା, ତପ୍ତପାଣିର ବିକାଶ ପାଇଁ ୧୧ କୋଟି ଟଙ୍କା ସହ ମା' ନାରାୟଣୀଙ୍କ ପୀଠର ଉନ୍ନତି ନିମନ୍ତେ ମଧ୍ୟ ଟଙ୍କା ପ୍ରଦାନ କରାଯାଇଛି। ସେହିକ୍ରମରେ ଜିଲ୍ଲାରେ ରହିଥିବା ସମସ୍ତ ପୀଠର ଉନ୍ନତି ନେଇ ଚଳିତ ବର୍ଷ ୬୦ କୋଟିରୁ ଅଧିକ ଟଙ୍କା ପର୍ଯ୍ୟଟନ ବିଭାଗ ଏହି ଜିଲ୍ଲାକୁ ପ୍ରଦାନ କରିଛନ୍ତି । ଏହାବ୍ୟତୀତ ଶକ୍ତି କରିଡ଼ର ପାଇଁ ପର୍ଯ୍ୟଟନ ବିଭାଗ ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ଏହି ଶକ୍ତି କରିଡ଼ରର ବିକାଶ କରିବେ ।


ଚୈତ୍ର ମାସର ଶେଷ ମଙ୍ଗଳବାରରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ଦର୍ଶନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ମା' ତାରାତାରିଣୀଙ୍କ ପୀଠରେ ପହଞ୍ଚିଥିଲେ। ଉପ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ବିଧାୟକମାନେ ସ୍ବାଗତ କରିଥିଲେ। ଚୈତ୍ର ମାସର ଶେଷ ମଙ୍ଗଳବାରରେ ମା'ଙ୍କୁ ଦୁର୍ଗାଙ୍କ ରୂପରେ ଦେଖି ଖୁସି ପ୍ରକାଶ କରିଥିଲେ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ ।

ଏହି ଶକ୍ତି କରିଡର କାର୍ଯ୍ୟକାରୀ ହେଲେ ରାଜ୍ୟରେ ପର୍ଯ୍ୟଟନର ବିକାଶ ହେବା ସହ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇ ପାରିବ। ଅନେକ ଲୋକ ମଧ୍ୟ ରୋଜଗାର କରିବାର ସୁଯୋଗ ସୃଷ୍ଟି ହୋଇ ପାରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-states-famous-shakti-peethas-can-be-connected-through-the-shakti-corridor | Argus News