ଶ୍ରୀମନ୍ଦିରକୁ ଗତ ତିନି ବର୍ଷରେ ମିଳିଛି ୧୧୬ କୋଟିରୁ ଅଧିକ ଟଙ୍କା ଦାନ

Key Points
ଶ୍ରୀମନ୍ଦିରରେ ବଢୁଛି ଭକ୍ତଙ୍କ ଦାନର ପରିମାଣ
ଗତ ତିନି ବର୍ଷରେ ମିଳିଛି ୧୧୬ କୋଟିରୁ ଅଧିକ ଟଙ୍କା
୧୨ କେଜି ସୁନା ସହ ୨୧୪ କେଜି ରୁପା ମିଳିଛି ଦାନ
ପୁରୀ ଶ୍ରୀମନ୍ଦିରକୁ ଦୈନିକ ଲକ୍ଷାଧିକ ଭକ୍ତଙ୍କ ଆଗମନ ହେଉଥିବାବେଳେ ପ୍ରତିଦିନ ହୁଣ୍ଡିରେ ଲକ୍ଷାଧିକ ଟଙ୍କା ଦାନ ଆକାରରେ ପଡୁଛି । ଖାଲି ଟଙ୍କା ନୁହେଁ ସୁନା ଏବଂ ରୁପା ମଧ୍ୟ ଦାନ ସୂତ୍ରରେ ମିଳୁଛି । ଆଇନ ମନ୍ତ୍ରୀଙ୍କ ତଥ୍ୟନୁସାରେ, ତିନି ବର୍ଷରେ ଦାନରେ ମିଳିଛି ଶହେ କୋଟିରୁ ଉର୍ଦ୍ଧ୍ବ ଟଙ୍କା । ୨୦୨୧-୨୨ ଆର୍ଥିକ ବର୍ଷରେ ୮ କୋଟି ୨୩ ଲକ୍ଷ, ୨୦୨୨-୨୩ ଆର୍ଥିକ ବର୍ଷରେ ୧୫କୋଟି ୪୬ ଲକ୍ଷ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ୧୬ କୋଟି ୯୨ ଲକ୍ଷ । ଏହିଭଳି ସମୁଦାୟ ୪୦ କୋଟି ୬୧ ଲକ୍ଷ ଟଙ୍କା ମିଳିଛି । ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ୫୯ କୋଟି ୭୯ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ସୂତ୍ରରୁ ୧୨ କୋଟି ୬୦ ଲକ୍ଷ ଟଙ୍କା ।
ଏହିଭଳି ଗତ ୩ ବର୍ଷରେ ସମୁଦାୟ ୧୧୬ କୋଟି ଦାନ ସୂତ୍ରରେ ମିଳିଛି । ତେବେ ଜଗନ୍ନାଥ ଭକ୍ତଙ୍କ ତୁଳନାରେ ଦାତାଙ୍କ ସଂଖ୍ୟା କମ୍ ଥିବାରୁ ଇ-ହୁଣ୍ଡି ଓ ଅନଲାଇନ୍ ଡୋନେସନ୍ ବ୍ୟବସ୍ଥା ପ୍ରଚଳନ ପାଇଁ ପ୍ରୟାସ ଆରମ୍ଭ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ସେହିପରି ୨୦୨୧-୨୨ରେ ୩ କେଜି ୫୦୯ ଗ୍ରାମ ୭୪୦ ମିଲିଗ୍ରାମ୍ ସୁନା ମିଳିଛି । ୨୦୨୨-୨୩ରେ ୩ କେଜି ୭୩୬ ଗ୍ରାମ ୮୯୪ ମିଲିଗ୍ରାମ୍ ଓ ୨୦୨୩-୨୪ରେ ୫ କେଜି ୩୭ ଗ୍ରାମ ସୁନା ମିଳିଛି । ପ୍ରାୟ ୩ କେଜି ସୁନାରେ ଶ୍ରୀପୟର ମରାମତି, କୃଷ୍ଣ ଓ ବାବନ ମୂର୍ତ୍ତିର୍ତି ତିଆରି, ଦେବୀ ସୁଭଦ୍ରାଙ୍କ କିରିଟି, ମା' ଲକ୍ଷ୍ମୀଙ୍କ ହାର ଆଦି ମରାମତି ହୋଇଛି । ସେହିପରି ଗତ ୩ ବର୍ଷରେ ୨୧୪ କେଜି ୧୨୯ ଗ୍ରାମ୍ ରୁପା ମିଳିଥିଲାବେଳେ ୧୪୭ କେଜି ୧୦୩ ଗ୍ରାମ ୮୧୧ ମିଲିଗ୍ରାମ ରୁପା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ବା ଖର୍ଚ୍ଚ ହୋଇଛି ।
ସେପଟେ ଭକ୍ତଙ୍କ ଦାନ ଅଳଙ୍କାରରେ ମହାପ୍ରଭୁଙ୍କ ପାଇଁ ନୂଆନୂଆ ସେଟ୍ ତିଆରି କରିବାକୁ ଦାବି କରିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ।ହୁଣ୍ଡିରେ ଦାନ ବଢୁଥିବାବେଳେ ମହାପ୍ରଭୁଙ୍କ ଆୟ ଆହୁରି ବଢାଇବା ପାଇଁ ଏବେ ଅନଲାଇନ୍ ଡୋନେସନ୍ ଉପରେ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱ ।