Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଉ କିଛି ସମୟ ପରେ ପୁଣି ଆରମ୍ଭ ହେବ ୩ ରଥ ଟଣା

Rashmita Mishra
Browse all articles by Rashmita Mishra
·1 year ago·2 min read
ଆଉ କିଛି ସମୟ ପରେ ପୁଣି ଆରମ୍ଭ ହେବ ୩ ରଥ ଟଣା

Key Points

ଆରମ୍ଭ ହେଲା ଲୀଳାମୟ ଠାକୁରଙ୍କ ନବଦିନାତ୍ମକ ଯାତ୍ରା
ରଥାରୁଢ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରି ଭକ୍ତ ହେଲେ ଭାବବିହ୍ବଳ
ଶରଧାବାଲିରେ ପହଞ୍ଚିପାରିଲାନି ଗୋଟିଏ ବି ରଥ
ତଳଧ୍ବଜ ରଥର ମୋଡରେ ସମସ୍ୟା ଯୋଗୁଁ ହେଲା ବିଳମ୍ବ
ବିଧିଦୃଷ୍ଟିରୁ ଟିକିଏ ବାଟ ଟଣାହେଲା ମହାପ୍ରଭୁଙ୍କ ନନ୍ଦିଘୋଷ
ଶନିବାର ସକାଳେ ସାଢେ ୯ଟାରେ ପୁଣି ହେବ ୩ ରଥ ଟଣା
ପୂର୍ବ ବର୍ଷ ଠାରୁ ଭକ୍ତଙ୍କ ସମାଗମ ଏଥର ବଢିଗଲା ଦେଢଗଣା

ନିର୍ବିଘ୍ନରେ ଅନୁଷ୍ଠିତ ହୋଇଛି ବିଶ୍ବନିୟନ୍ତାଙ୍କ ଚଳିତ ବର୍ଷର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଅନୁକୁଳ ପାଗ ଯୋଗୁଁ ଏଥର ରଥଯାତ୍ରାକୁ ଆସିଥିବା ଭକ୍ତଙ୍କ ସଂଖ୍ୟା ଗତ ବର୍ଷ ତୁଳନାରେ ଦେଢଗୁଣା ବଢିଯାଇଥିଲା। ରଥଯାତ୍ରାର ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ଶେଷ ହୋଇ ଅପରାହ୍ନ ୪ଟାରେ ଆରମ୍ଭ ହୋଇଥିଲା ରଥଟଣା। ତେବେ
ତାଳଧ୍ବଜ ରଥ ଟଣା ସମୟରେ ମୋଡରେ ସମସ୍ୟା ଯୋଗୁଁ ବିଳମ୍ବିତ ହୋଇଥିଲା ରଥଟଣା। ଯେଉଁଥିପାଇଁ ଦେବୀ ସୁଭଦ୍ରାଙ୍କ ରଥ ଟଣା ଆରମ୍ଭ ହେବାବେଳକୁ ସନ୍ଧ୍ୟା୬ଟା ପାଖାପାଖି ହୋଇଯାଇଥିଲା। ଆଉ ନନ୍ଦିଘୋଷ ରଥ ଟଣା ହେଲା ବେଳକୁ ସନ୍ଧ୍ୟା ୭ଟା ୪୬ ହୋଇସାରିଥିଲା। ଯେହେତୁ ରଥଯାତ୍ରା ଦିନ ହିଁ ତିନରଥ ଟଣାହେବାର ବିଧି ରହିଛି ତେଣୁ ଟିକିଏ ବାଟ ଟଣାହେବା ପରେ ଅଟକିଯାଇଥିଲା ମହାପ୍ରଭୁଙ୍କ ନନ୍ଦିଘୋଷ। ଏହା ମହାପ୍ରଭୁଙ୍କର ଇଚ୍ଛା ଏବଂ କୌଣସି ପରମ୍ପରା ଭଙ୍ଗ ହୋଇନାହିଁ ବୋଲି କହିଛନ୍ତି ଆଇନମନ୍ତ୍ରୀ।

ଶରଧାବାଲିରେ କୌଣସି ରଥ ପହଞ୍ଚିପାରିନାହିଁ। ସେଥିପାଇଁ ଶନିବାର ସକାଳ ସାଢେ ୯ଟାରେ ପୁଣି ଆରମ୍ଭ ହେବରଥଟଣା। ତେଣୁ ଯେଉଁମାନେ ନନ୍ଦିଘୋଷ ଟାଣିବାରୁ ବଞ୍ଚିିତ ହୋଇଛନ୍ତି ସେମାନଙ୍କୁ ଶନିବାର ସୁଯୋଗ ମିଳିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ବଡ଼ଦାଣ୍ଡରେ ରଥାଋଢ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରି ଧନ୍ୟ ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଯୋଗୁଁ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା ସମସ୍ତ ନୀତିକାନ୍ତି। ସ୍ଥିରିକୃତ ନୀତିନିର୍ଘଣ୍ଟ ଅନୁଯାୟୀ ସକାଳ ୭.୧୫ରେ ମଙ୍ଗଳ ଆଳତି ପରେ ନିର୍ଦ୍ଧାରତ ସମୟ ଅନୁସାରେ ମଇଲମ ଓ ତଡ଼ପଲାଗି, ଅବକାଶ, ସୂର୍ଯ୍ୟ ପୂଜା, ଗୋପାଳବଲ୍ଲଭ ଓ ସକାଳ ଧୂପ ଆଦି ନୀତି ସମ୍ପନ୍ନ ହୋଇଥିଲା।


ସକାଳ ୧୦ଟା ୧୫ରେ ଆରମ୍ଭ ହୋଇଥିଲା ପହଣ୍ଡି। ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ଓ ପରେ ବଡ଼ ବାଡ଼ ସାମନ୍ତ ପ୍ରଭୁ ବଳଭଦ୍ର ରଥକୁ ବିଜେ କରିଥିଲେ। ଏହାପରେ ଦେବୀ ସୁଭଦ୍ରାଙ୍କୁ ପହଣ୍ଡିରେ ଦର୍ପଦଳନ ରଥକୁ ଆଣାଯାଇଥିଲା । ଆଉ ଶେଷରେ ଟାହିଆ ହଲାଇ ସିଂହଦ୍ବାର ଦେଇ ବାହାରକୁ ଆସିଥିଲେ କାଳିଆ ସାଆନ୍ତ । ସାଢେ ୧୨ ସୁଦ୍ଧା ଶେଷ ହୋଇଥିଲା ଚତୁର୍ଦ୍ଧା ମୂରତିଙ୍କ ପହଣ୍ଡି ବିଜେ। ଏହାପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରଥକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ଶ୍ରୀନଅରରୁ ତାମଜାନରେ ରଥନିକଟକୁ ଆସିଥିଲେ ଗଜପତି ମହାରାଜା। ତିନିରଥରେ ଛେରାପହଁରା ସରିବା ପରେ ଅପରାହ୍ନ 4ଟା 8 ରେ ଆରମ୍ଭ ହୋଇଥିଲା ରଥଟଣା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-three-carriage-ride-will-start-again-after-some-time | Argus News