ଉପର ମୁହାଁ ପାରଦ, ଆଗକୁ ଆହୁରି ବଢ଼ିବ ତାତି

ଉପର ମୁହାଁ ପାରଦ । ଉପକୂଳରୁ ନେଇ ଉପାନ୍ତ ସବୁଠି ହେବ ଗ୍ରୀଷ୍ମପ୍ରବାହ । ଲଗାତାର ତିନି ଦିନ ମଧରେ 40 ଡ଼ିଗ୍ରୀ ପାର କରିଛି ରାଜ୍ୟର ଅଧିକାଂଶ ସହରର ତାପମାତ୍ରା। ଆଗକୁ ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହେବ। ପଶ୍ଚିମ ଓଡ଼ିଶା ତତଲା କଡେଇରେ ସିଝିବ। କିଛି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବ।
ସୋମବାର ସମ୍ବଲପୁର ଓ ଟିଟିଲାଗଡ଼ରେ ତାତି ୪୪ ଡିଗ୍ରୀ ଛୁଇଁଯିବ। ମଙ୍ଗଳବାର ଏହି ଦୁଇ ସ୍ଥାନରେ ତାତି ୪୫ ଡିଗ୍ରୀ ରହିପାରେ। ଉତ୍ତର ଓ ଉପକୂଳ ଓଡ଼ିଶାରେ ବି ଛଟପଟ କରିବ ତାତି ଓ ଗୁଳୁଗୁଳି। ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି। ସେପଟେ ବରିଷ୍ଠ କୃଷି ପାଣିପାଗ ବିଷାରଦ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଗକୁ ତାତି ଆହୁରି ବଢ଼ିବ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ କହୁଛି, ସୋମବାର ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ। ବଲାଙ୍ଗୀର, ଝାରସୁଗୁଡ଼ା,ଭବାନୀପାଟଣା, ସୁନ୍ଦରଗଡ଼ ଓ ଅନୁଗୁଳରେ ୪୩ ଡିଗ୍ରୀ, ନୂଆପଡ଼ା ଓ ବାରିପଦାରେ ୪୨, ବରଗଡ଼ ଓ ରାଉରକେଲାରେ ୪୧ ଡିଗ୍ରୀ ରହିପାରେ। ଆଭ୍ୟନ୍ତରୀଣ ଓଡ଼ିଶାକୁ ବି ଜଳାଇବ ଭୀଷଣ ତାତି । ଭୁବନେଶ୍ୱର ଓ ଢେଙ୍କାନାଳରେ ତାତି ୪୨ ଡିଗ୍ରୀ ଛୁଇଁପାରେ ।
୧୩ ତାରିଖରେ ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ ଓ ଅନୁଗୁଳରେ ତାତି ୪୪ ଡିଗ୍ରୀ ରହିପାରେ। ଭବାନୀପାଟଣା, ବାରିପଦା ଓ ନୂଆପଡ଼ାରେ ୪୩ ଡିଗ୍ରୀ ଛୁଇଁବ। ଉପକୂଳରେ ବି ୪୩ ଡିଗ୍ରୀ ପାଖାପାଖି ରହିବ। ନୟାଗଡ଼ରେ ୪୩ ଡିଗ୍ରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ଚାନ୍ଦବାଲି, ବାଲେଶ୍ୱରରେ ୪୨ ଛୁଇଁବ ।
୧୪ ତାରିଖରେ ପୂରା ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେବ। ପ୍ରାୟ ସବୁ ଜିଲ୍ଲାରେ ତାତି ୪୦ ଡିଗ୍ରୀ ଉପରେ ରହିବ। ପଶ୍ଚିମ, ଉତ୍ତର ଓ ଉପକୂଳ ଓଡ଼ିଶାରେ ଭୟଙ୍କର ତାତି ଓ ଗୁଳୁଗୁଳି ହେବ । ପ୍ରଫେସର ଡା. ପଶୁପାଳକ କହିଛନ୍ତି, ୧୬ ତାରିଖ ପରେ ତାତି ସାମାନ୍ୟ କମିପାରେ । ୨୨ ତାରିଖରୁ ତାତି ବହୁତ ବଢ଼ିଯିବ । ଏବେ ତୁଳନାରେ ଆହୁରି ପ୍ରଚଣ୍ଡ ତାତି ଅନୁଭୂତ ହେବ ବୋଲି ସେ କହିଛନ୍ତି ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୧୩ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ଖୋର୍ଦ୍ଧା, କଟକ, କଳାହାଣ୍ଡି ଓ ବାଲେଶ୍ୱରରେ ଗ୍ରୀଷ୍ମଲହରୀ ସ୍ଥିତି ରହିବ । ୧୪ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, କଟକ, ସୋନପୁର, କଳାହାଣ୍ଡି, ବାଲେଶ୍ୱର, ନୟାଗଡ଼ ଓ ଭଦ୍ରକରେ ଗ୍ରୀଷ୍ମଲହରୀ ବହିପାରେ । ୧୫ ତାରିଖରେ ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ଖୋର୍ଦ୍ଧା, କଟକ, ସୋନପୁର, କଳାହାଣ୍ଡି ଓ ନୟାଗଡ଼ରେ ଗ୍ରୀଷ୍ମପ୍ରବାହ ରହିବ।