ବୀରବାଦ୍ୟର କମ୍ପନ, ବୀର ଯବାନଙ୍କ ଗର୍ଜନ

ଅର୍ଗସ ବ୍ୟୁରୋ: ବୀରବାଦ୍ୟର କମ୍ପନ । ବୀର ଯବାନଙ୍କ ଗର୍ଜନ । ଡେୟାର ଡେଭିଲ୍ସ ଟିମର ରୋମାଞ୍ଚକର ପ୍ରଦର୍ଶନ । ସୁରକ୍ଷା ବାହିନୀଙ୍କ ଶୌର୍ଯ୍ୟ ସହ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାର ଅନନ୍ୟ ନିଦର୍ଶନ । ଗଣତନ୍ତ୍ରର ମହାପର୍ବରେ ଉତ୍ସବ ମୁଖର ଓଡ଼ିଶା । ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଦେଖିବାକୁ ମିଳିଛି ବୀରତ୍ବ ଓ ସାଂସ୍କୃତିକ ସଦଭାବନାର ଚିତ୍ର । ଲୋକାରଣ୍ୟ ହୋଇଥିଲା ଗାନ୍ଧିମାର୍ଗ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ ରାଜ୍ୟପାଳ । କମାଣ୍ଡାଣ୍ଟ ଭୋସଲେ ଶୁଭମ୍ ସଞ୍ଜୟଙ୍କ ନେତୃତ୍ୱରେ ଗାନ୍ଧିମାର୍ଗରେ ଚିତ୍ତାକର୍ଷକ ପରେଡ୍ ପ୍ରଦର୍ଶନ କଲେ 43ଟି କଣ୍ଟିଜେଣ୍ଟ । ସବୁଠୁ ଆକର୍ଷଣୀୟ ମହର୍ଷି ଡେୟାରଡେଭିଲସ୍ ଟିମ୍ ବାଇକ୍ ଷ୍ଟଣ୍ଟ । ସ୍କେଟିଂରେ କମାଲ କଲେ କୁନି କୁନି ପିଲା। ତା ସାଙ୍ଗକୁ ରାଜରାସ୍ତାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କଲେ 4ଟି ସଂଗଠନ। ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ନେଇ ପ୍ରସ୍ତୁତ ହୋଇଥିଲା 12ଟି ପ୍ରଜ୍ଞାପନ ମେଢ଼।
ସେପଟେ କଟକ ବିଡ଼ାନାସୀ ମିନି ଷ୍ଟାଡିୟମରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ । ପରେଡରେ ଅଂଶଗ୍ରହଣ କରିଥିଲେ ୫୨ଟି ଟ୍ରୁପ୍ ଓ ୨୦ରୁ ଅଧିକ ପ୍ରଜ୍ଞାପନ ମେଢ଼ । ସମ୍ବୋଧନରେ ମୁଖ୍ୟମନ୍ତ୍ରୀ କହିଲେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ଓ ବଡ଼ ଯୋଜନାର କଥା। ପ୍ରତିଶ୍ରୁତି ଦେଲେ ପୂରଣ ହେବ ରାଜ୍ୟବାସୀଙ୍କ ସବୁ ଆକାଂକ୍ଷା । ଗାଁ ଲୋକଙ୍କ ହାତରେ ରହିବ ବିକାଶର ଚାବିକାଠି ।
📱 Get Argus News App
✨ଖୋର୍ଦ୍ଧାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପୁରୀରେ ଉପମୁଖ୍ୟମନ୍ତ୍ରୀ କେ. ଭି ସିଂହଦେଓ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବା ସହ ପତାକା ଉତ୍ତୋଳନ କରିଛନ୍ତି । ଏଥିସହ ରାଜ୍ୟର ବିଭିନ୍ନ ବିଭାଗର ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲାସ୍ତରୀୟ ସମାରୋହରେ କରିଛନ୍ତି ପତାକା ଉତ୍ତୋଳନ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: