ପାଣି କାଦୁଅ ଭରା ରାସ୍ତା ସୃଷ୍ଟି କରୁଛି ପୋଖରୀର ଭ୍ରମ

Key Points
ଗାଁକୁ ନାହିଁ ପକ୍କା ରାସ୍ତା । ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି । ସୁନ୍ଦରଗଡ଼ କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପାଣି କାଦୁଅ ଭରା ରାସ୍ତା ସୃଷ୍ଠି କରୁଛି ପୋଖରୀର ଭ୍ରମ ।
ଦେଶ ସ୍ୱାଧୀନକୁ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଗାଁକୁ ନାହିଁ ପକ୍କା ରାସ୍ତା । ଭୋଟ୍ ପାଖେଇଲେ ପ୍ରତିଶ୍ରୁତିର ପାହାଡ଼, ଭୋଟ୍ ସରିଗଲେ କିଏ କାହାର ଭଳି ପରିସ୍ଥିତି । ପକ୍କା ରାସ୍ତା ନଥିବାରୁ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ସୁନ୍ଦରଗଡ଼ କୁଆଁରମୁଣ୍ଡା ବ୍ଳକ ଜଲଙ୍ଗବିରା ପଞ୍ଚାୟତର ନଦୀ ଟୋଲା ବସ୍ତି ବାସିନ୍ଦା । ଜଲଙ୍ଗବିରା ଠାରୁ ନଦୀ ଟୋଲା ବସ୍ତିକୁ ସଂଯୋଗ କରୁଥିବା ଏହି ରାସ୍ତା ବର୍ଷା ଦିନେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ୁଛି ।
ରାସ୍ତାରେ ଆଣ୍ଠୁଏ ଲେଖାଏ କାଦୁଅ ଓ ପାଣି ଜମି ଥିବା ବେଳେ ଗ୍ରାମବାସୀଙ୍କୁ ୟାତାୟାତ କରିବା ପାଇଁ ବହୁ ଅସୁବିଧା ଭୋଗୁଛନ୍ତି । ଗାଁକୁ ଆମ୍ବୁଲାନ୍ସ ଯାଇପାରୁନଥିବା ବେଳେ ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଖଟରେ ବୁହା ହେଉଥିବା କହିଛନ୍ତି ଗ୍ରାମବାସୀ । ସେହିପରି ସ୍କୁଲ ଯାଉଥିବା କୁନି କୁନି ପିଲା ଏହି କାଦୁଅ ପଚ ପଚ ରାସ୍ତା ଦେଇ ବିଦ୍ୟାଳୟକୁ ଯାଇଥାନ୍ତି ।
ସାମାନ୍ୟ ବର୍ଷା ହେଲେ ରାସ୍ତା କାଦୁଅ ହେବା ସହ ବଡ ବଡ ଖାଲ ସୃଷ୍ଟି ହୋଇଥାଏ I ଏହି ଗାଁରେ ୨୫ରୁ ଊର୍ଦ୍ଧ୍ବ ପରିବାର ବସବାସ କରିଥାନ୍ତି । ସମସ୍ୟା ନେଇ ବ୍ଲକ ଅଧିକାରୀଙ୍କୁ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ l ସେପଟେ କୁଆଁରମୁଣ୍ଡା ବ୍ଲକ ବିଡିଓ କହିଛନ୍ତି, ସମସ୍ୟା ତାଙ୍କ ନଜରରେ ରହିଛି । ବହୁ ଶୀଘ୍ର ସମସ୍ୟାର ସମାଧାନ କରାଯିବ l ତେବେ ଦେଖିବାକୁ ବାକି, କେବେ ନଦୀ ଟୋଲ ବାସୀଙ୍କ ସମସ୍ୟା ଦୂର ହୋଉଛି ।