ପଖାଳର ଅନେକ ଔଷଧୀୟ ଗୁଣ, ସାଧା ଭାତ ବଦଳରେ ଏହାକୁ ଖାଇଲେ ରହିବେ ସତେଜ !

Key Points
ପଖାଳ ଏବେ ଓଡ଼ିଶାରେ ନୁହେଁ, ବିଦେଶରେ ବି ପରିଚିତ ।
ବଡ଼ ବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟରେ ମଧ୍ୟ ପଖାଳ ବିକ୍ରି ହେଲାଣି ।
ଓଡ଼ିଆଙ୍କର ପ୍ରିୟ ପଖାଳ। କେବେ ଦିନେ ଗାଁର ଖାଦ୍ୟ ବୋଲି କୁହାଯାଥିବା ଏହି ପଖାଳ ଏବେ ସହରୀ ଲୋକଙ୍କର ବି ମନ କିଣି ନେଇଛି। ଆମ ପାରମ୍ପରିକ ଖାଦ୍ୟ ଯେମିତି ସ୍ବାଦିଷ୍ଟ ସେମିତି ସ୍ବାସ୍ଥ୍ୟ ଉପଯୋଗୀ। ଆମ ପଖାଳ ଏବେ ଆଉ ଓଡ଼ିଶାରେ ସୀମିତି ନାହିଁ, ଏବେ ଏହା ବିଦେଶରେ ମଧ୍ୟ ଖୁବ୍ ପସନ୍ଦ ଯୋଗ୍ୟ ଖାଦ୍ୟ ହେଲାଣି । ବଡ଼ ବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟରେ ମଧ୍ୟ ପଖାଳ ବିକ୍ରି ହେଲାଣି । ସେମାନେ ନିଜ ମେନ୍ୟୁ କାର୍ଡରେ ପଖାଳ ବା ଫରମେଣ୍ଟେଡ୍ ରାଇସ୍ ବୋଲି ଲେଖିଲେଣି ।
ପଖାଳ ସାଧାରଣତଃ.. ଭାତ ରାନ୍ଧିବା ପରେ ଗୋଟିଏ ରାତି ପାଣି ପୁରାଇ ରଖିଲେ ତାହା ପଖାଳ ହୁଏ । ବିଶେଷକରି ମାଟିପାତ୍ରରେ ଯଦି ଭାତକୁ ପାଣି ପୁରାଇ ରଖାଯାଏ, ତେବେ ଏହାର ସ୍ୱାଦ ଦ୍ୱିଗୁଣିତ ହୁଏ । ମାଷ୍ଟର ସେଫ୍ ଇଣ୍ଡିଆ ସିଜିନ୍ ୬ର ବିଜେତା ଅବିନାଶ ନାଏକ, କହନ୍ତି ପଖାଳ ଓ ତୋରାଣୀ ତାଙ୍କୁ ଖୁବ୍ ପସନ୍ଦ । ସାଧା ଭାତ ଓ ବ୍ରେଡ୍ ଅପେକ୍ଷା ପଖାଳ ଭାତ ଶରୀର ପାଇଁ ଖୁବ୍ ଉପଯୋଗୀ ।
ଭଜା ଜିରାଗୁଣ୍ଡ, ଲୁଣ ଭୁର୍ସୁଙ୍ଗପତ୍ର ଓ ଧନିଆ ପତ୍ର, ଆମ୍ବକଷିଅଦା ଏଥିରେ ଉପଯୋଗକରି ଖାଇଲେ ଭଲଲାଗେ। ସଜପଖାଳରେ ଭୁର୍ସୁଙ୍ଗ, ଧନିଆ ପତ୍ର ସହ ଜିରା ଛୁଙ୍କ କରାଯାଇ ଜିରାପଖାଳ ପ୍ରସ୍ତୁତ କରାଯାଇଥାଏ। ରନ୍ଧାଭାତରେ ଆମ୍ବକଷିଅଦା, ଭଜାଜିରା, ଗୋଲମରିଚଗୁଣ୍ଡ, କଳାଲୁଣ, ଦହି ଓ ପାଣି ମିଶାଇ ସୁଗନ୍ଧି ପଖାଳ ପ୍ରସ୍ତୁତ କରାଯାଇଥାଏ। ଆବଶ୍ୟକ ସ୍ଥଳେ କିଛି ମାତ୍ର ଲେମ୍ବୁ କିମ୍ବା କମଳାପତ୍ର ଏଥିରେ ମିଶାଇଲେ ତାହାର ବାସ୍ନା ମହକିଥାଏ, ଖାଇବାକୁ ସୁସ୍ବାଦ ଲାଗେ। ସୁଗନ୍ଧି ପଖାଳରେ କଳାଜିରା, ତେଜପତ୍ର, ଅଳ୍ପଚିନି, କମଳାଲେମ୍ବୁର କିଛିପାଖୁଡ଼ାକୁ ବ୍ୟବହାର କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ପଖାଳର କିଛି ବିଶେଷ ଗୁଣ...
ପଖାଳ ହେଉଛି ଭାତରେ ପାଣି ମିଶାଇ ତିଆରି କରାଯାଉଥିବା ଏକ ଓଡ଼ିଆ ଖାଦ୍ୟ । ଏହା ଜଗନ୍ନାଥ ମନ୍ଦିରରେ ତିଆରି ଛପନ ଭୋଗ ଭିତରୁ ଏକ । ପଖାଳ ଖରା ଦିନରେ ଓଡ଼ିଆ ଘରମାନଙ୍କରେ ଦେହରୁ ତାତି କମାଇବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ଖିଆଯାଇଥାଏ । ଭାତକୁ ପାଣିରେ ପଖାଳି ତିଆରି କରାଯାଉଥିବାରୁ ଏହାକୁ ପଖାଳ କୁହାଯାଏ । ଏହାର ପାଣିକୁ ତୋରାଣି କୁହାଯାଏ । ସାଧାରଣତଃ ଖରାବେଳେ ବା ଉପରଓଳି ପଖାଳ ଖିଆଯାଏ । ପଖାଳର ଲୋକାଦୃତି ଓ ପ୍ରସାର ଉଦ୍ଦେଶ୍ୟରେ ମାର୍ଚ୍ଚ ମାସ ୨୦ ତାରିଖକୁ ପଖାଳ ଦିବସ ଭାବେ ନାମିତ କରାଯାଇଛି ।
ପଖାଳ ସହ କ'ଣ ଖିଆଯାଇଥାଏ ?
ପଖାଳ ସହ ବଡ଼ିଚୁରା ଓ ଭଜା ତଥା ଧନିଆ, ନଡ଼ିଆ, ପୋଦିନା, ଆମ୍ବ, କରମଙ୍ଗା, ତେନ୍ତୁଳି, ଆମ୍ବୁଲ ଆଦିରେ ତିଆରି ଚଟଣି ଖିଆଯାଇଥାଏ । ରସୁଣ, ଲଙ୍କା ଓ ପଞ୍ଚୁ ଫୁଟଣରେ ଛୁଙ୍କ ଦେଇ ପ୍ରସ୍ତୁତ କରାଯାଇଥିବା ସୁନୁସୁନିଆ, ଲେଉଟିଆ, କୋଶଳା, ମଦରଙ୍ଗା, ଖଡ଼ା, ସଜନା, କଳମ ଆଦି ଶାଗ ମଧ୍ୟ ଖିଆଯାଇଥାଏ । ବିଭିନ୍ନ ପ୍ରକାରର ପତର ପୋଡ଼ା, ମାଛ, କଙ୍କଡ଼ା ଛେଚା, ବିଶେଷ କରି ରସୁଣ ବା ପିଆଜ ଯୁକ୍ତ ଭେଣ୍ଡି, ଜହ୍ନି, ସାରୁ ଚକଟା, ବଡ଼ିଚୁରା ସହିତ ପଖାଳ ଖିଆଯାଏ । ପଖାଳକୁ ବିଭିନ୍ନ ପ୍ରକାରର ଆଚାର ସହିତ ମଧ୍ୟ ଖିଆ ଯାଇଥାଏ । ଆମ୍ବ ସମୟରେ ଆମ୍ବ କଷିକୁ ଛିଡ଼ାଇଦେଲେ ତା’ ଡେମ୍ଫରୁ ଯେଉଁ ନସି ବା ନସା ବାହାରେ ତାହା ପଖାଳ ଭାତରେ ବ୍ୟବହାର କରାଯାଏ ।
ପଖାଳର ଔଷଧୀୟ ଗୁଣ
📱 Get Argus News App
✨ଖରାଦିନେ ଅଂଶୁଘାତରୁ ମୁକ୍ତି ପାଇଁ ପଖାଳ ଖାଇବା ଓ ତୋରାଣି ପିଇବା ପାଇଁ ଡ଼ାକ୍ତର ପରାମର୍ଶ ଦେଇଥାନ୍ତି। ଏ ସମ୍ପର୍କରେ ଆୟୁର୍ବେଦିକ ଡାକ୍ତର ବାସୁଦେବ ପ୍ରଧାନ କୁହନ୍ତି,‘ପଖାଳର ଅନେକ ଔଷଧୀୟ ଗୁଣ ରହିଛି। ନିଦ୍ରାହୀନତା ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ପଖାଳ ମହୋଷଧି ପରି କାମକରେ। ଖରାଦିନେ ଶରୀରରୁ ଜଳୀୟଅଂଶ କମିଯାଉଥିବାରୁ ପଖାଳ ତୋରାଣି ପିଇବାକୁ ପରାମର୍ଶ ଦିଆଯାଏ। କାରଣ ଏହା କ୍ଳାନ୍ତି ନିବାରକ, ଶକ୍ତି ବର୍ଦ୍ଧକ ଓ ଅର୍ସରୋଗ ନିବାରକ। ପଖାଳ କୋଷ୍ଠକାଠିନ୍ୟ ଦୂରକରେ ଓ ଏହାଦ୍ୱାରା ବାତ ପିତ୍ତ ଦୂରହୁଏ।
ପଖାଳକୁ ସକାଳେ ଖାଇଲେ ଶରୀରର ମେଦ ବୃଦ୍ଧି ହୁଏ ନାହିଁ। ପୁଣି ରକ୍ତଚାପ ସ୍ବାଭାବିକ ରହେ। ହଜମ ଶକ୍ତି ବଢ଼ାଏ। ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖେ। ପାକସ୍ଥଳୀ ସୁସ୍ଥ ରଖେ। ଢିଙ୍କିକୁଟା ଅକାଣ୍ଡିଆ ଚାଉଳରୁ ପ୍ରସ୍ତୁତ ପଖାଳ ଦେହପାଇଁ ସବୁଠୁ ଭଲ। କଂସାବେଲାରେ ପଖାଳଭାତ, ପେଜ ସହିତ ପାଣି ମିଶାଇ ଖାଇଲେ ତାହା ଅଧିକ ପୁଷ୍ଟିକର ହୋଇଥାଏ। ପଖାଳରେ ଲୌହ, ସୋଡିୟମ, କ୍ୟାଲ୍ସିୟମ, ଲାକଟିକ ଏସିଡ୍ ଥାଏ। । ମାତ୍ର ପଖାଳରେ ବିପଦ ହେଲା ମଲାଭାତ, ଏଥିରେ ଆଲଫାଟକସିନ୍ ଜାତୀୟ ବିଷ ରହିଥାଏ। ଭାତ ରାନ୍ଧିବା ପୂର୍ବରୁ ଚାଉଳରୁ ଏହାକୁ ବାହାର କରିବା ଉଚିତ।
ପଖାଳ ପିତ୍ତ ନାଶକ । ଚାଇଁ ପଖାଳ ଖାଇ ତା ତୋରାଣି ମୁନ୍ଦେ ପିଇଦେଲେ କୋଷ୍ଠ କାଠିନ୍ୟ, ଅଗ୍ନୀମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟବ୍ୟଥା ଆଦି ନିବାରିତ ହୋଇଥାଏ । ବାଧିକି ଥିବା ଲୋକର ପଥ୍ୟ ଭାବେ ଏହା ବ୍ୟବହାର କରାଯାଇଥାଏ । ହାଣ୍ଡି କାଞ୍ଜିଦ୍ୱାରା ପେଟ ଥଣ୍ଡା ରହେ । ପିତ୍ତ ରୋଗ, ଡାଇରିଆ ଇତ୍ୟାଦିରେ ପଖାଳ ତୋରାଣି ଅତ୍ୟନ୍ତ ପ୍ରଶମନକାରୀ ଓ ଉପକାରୀ ହୋଇଥାଏ । ଏହା ଦେହକୁ ହାଇଡ୍ରେଟ୍ ରଖିଥାଏ । କଫ ପ୍ରଧାନ ରୋଗରେ ବାସି ପଖାଳ ଦେବା ଉଚିତ ନୁହେଁ ।
ଆସାମ କୃଷି ବିଶ୍ୱବିଦ୍ୟାଳୟର ମଧୁମିତା ବରୁଆ ଓ ଗୁଣଜିତ ଗୋସ୍ୱାମୀଙ୍କଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁସାରେ ୧୦୦ଗ୍ରାମ ଭାତରେ ମାତ୍ର ୩.୪ମିଲି ଗ୍ରାମ ଲୌହ ରହିଥାଏ । କିନ୍ତୁ ୧୨ଘଣ୍ଟା ପଖାଳ ହେଲା ପରେ ଲୌହ ପରିମାଣ ୭୩.୯୧ମିଲି ଗ୍ରାମକୁ ବଢ଼ି ଯାଇଥାଏ । ସେହିପରି ସୋଡ଼ିଅମ ୪୭୫ ମିଲି ଗ୍ରାମରୁ କମି ୩୦୩ମିଲି ଗ୍ରାମ, ପୋଟାସିଅମ ୮୩୯ମିଲି ଗ୍ରାମ ଓ କ୍ୟାଲ୍ସିଅମ ୨୧ମିଲି ଗ୍ରାମରୁ ବଢ଼ି ୮୫୦ମିଲି ଗ୍ରାମ ହୋଇ ଯାଇଥାଏ । ସାଧା ଭାତରେ ଥିବା ଫାଇଟିକ ଏସିଡ ଓ ଓଲିଗୋସାକାରାଇଡ଼ସ୍ ଯୋଗୁ ଏହାକୁ ହଜମ କରିବାରେ ଅସୁବିଧା ହୋଇଥାଏ କିନ୍ତୁ ପଖଳାଯିବା ପରେ ଏ ଅସୁବିଧା ଦୂର ହୋଇ, ହଜମ କ୍ରିୟା ସହଜ ହୋଇଥାଏ ।
ପଖାଳ ଶବ୍ଦର ଅର୍ଥ ?
ପଖାଳ ଓଡ଼ିଆ ଶବ୍ଦ "ପଖାଳିବା/ପଖାଳିତ"ରୁ ଆସିଛି ଯାହାର ଅର୍ଥ ଧୋଇବା । ଭାତକୁ ଧୋଇ ସେଥିରେ ପାଣି ମିଶାଇ ତିଆରି କରାଯାଉଥିବାରୁ ଏହାର ନାମ ଏମିତି ହୋଇଛି । ସଂସ୍କୃତରେ ଧୋଇବାକୁ ପ୍ରକ୍ଷାଳନ କୁହାଯାଇଥାଏ । ଭାତକୁ ଜଳରେ ଧୋଇଦେଲେ ତାହା ପଖାଳ ହୋଇଯାଏ । ଅର୍ଜୁନ ଦାସଙ୍କ କବିତା ସଙ୍କଳନ କଳ୍ପଲତା (୧୫୨୦-୧୫୩୦)ରେ ପଖାଳ ଶବ୍ଦଟି ବହୁବାର ବ୍ୟବହୃତ ହୋଇଛି।
କେଉଁଠି ଏହା ପ୍ରଚଳିତ ?
ପଖାଳ ଓଡ଼ିଶା ବ୍ୟତୀତ ଆସାମ, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼, ଆନ୍ଧ୍ର ପ୍ରଦେଶରେ ମଧ୍ୟ ପ୍ରଚଳିତ । ଆସାମରେ ଏହାକୁ "ପୋଇତା ଭାତ", ପଶ୍ଚିମ ବଙ୍ଗରେ "ପନ୍ତ ଭାତ", ଝାଡ଼ଖଣ୍ଡ ଓ ବିହାରରେ "ମାରା ଭାତ" ଓ ଛତିଶଗଡ଼ରେ ପଖାଳ ବା "ବୋରେ ଭାତ" କହନ୍ତି । ତାମିଲନାଡୁରେ ଏହା ବକାଳ ବାତ ନାମରେ ଜଣା । ସେଠାରେ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ଏବେ ମଧ୍ୟ ପରଷା ଯାଏ ।