ଶୁଖିଗଲାଣି ଚିଲିକା : ଚିନ୍ତାରେ ମତ୍ସଜୀବୀ

ଅର୍ଗସ ବ୍ୟୁରୋ: ଚିଲିକା । ନାଁ ଶୁଣିବା ମାତ୍ରେ ମନରେ ଛନକା ପଶେ । ପିଲାବେଳୁ ଆମେ ସମସ୍ତେ ପଢିଛନ୍ତି କି ଅକାତ ପାଣି ସେ ଗଣ୍ଡରେ କାଳିଯାଈ ତା ନାଁ । ହେଲେ ସମୟକ୍ରମେ ବଦଳିଯାଇଛି ଚିଲିକାର ସ୍ଥିତି । ଯେଉଁ ଚିଲିକା କୂଳରେ ଶହଶହ ପରିବାର ମାଛ ମାରି ପରିବାର ପ୍ରତିପୋଷଣ କରୁଥିଲେ ଆଜି ସେଇଠି ଡଙ୍ଗା ଚାଲିବା ବି ସମ୍ଭବ ହେଉନାହିଁ । କାରଣ ପୋତି ହେବାକୁ ବସିଲାଣି ଚିଲିକା । ଆଉ ଏମିତି ସ୍ଥିତିରେ କେମିତି ମାଛ ମାରିବେ ? କେମିତି ପରିବାର ପୋଷିବେ ସେଇ ଚିନ୍ତାରେ ମତ୍ସଜୀବୀ ।
ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ଗ୍ରାମପଞ୍ଚାୟତ ଓ ବାଲିପାଟପୁର ଗ୍ରାମପଞ୍ଚାୟତ ଅଂଚଳ । ଚିଳିକା କୂଳରେ ଅବସ୍ଥିତ ଏଇ ଦୁଇଟି ଗ୍ରାମପଞ୍ଚାୟତର ଅଧିକାଂଶ ଲୋକ ମତ୍ସଜୀବୀ । ସକାଳେ ଚିଲିକାରୁ ମାଛ ମାରିଲେ ସଂଧ୍ୟାରେ ଘରେ ଚୁଲି ଜଳେ । ହେଲେ ଏବେ କିନ୍ତୁ ସେକାଳ ପଖାଳ ନାହିଁ । ପୂର୍ବରୁ ଚିଲିକାରେ ଅଧିକ ପାଣି ରହୁଥିଲା, ତେଣୁ ମାଛ ମାରିବାରେ ସୁବିଧା ହେଉଥିଲା । ହେଲେ ଏବେ ଚିଲିକା ଶୁଖିଯିବାରୁ ମାଛ ମାରିପାରୁନାହାନ୍ତି ଲୋକେ । ତେଣୁ ପେଟର ଭୋକ ପାଇଁ ଇଚ୍ଛା ନଥିଲେ ବି ଦାଦନ ଯିବାକୁ ସେମାନେ ବାଧ୍ୟ ହେଉଛନ୍ତି ।
ଅନେକ ଦିନ ହେଲାଣି ଚିଲିକାରୁ ବାହାରିଥିବା ନାଳ ଠିକ୍ରେ ଖୋଳାନଯିବାରୁ ପାଣି ବି ଶୁଖିଗଲାଣି । ତେଣୁ ନାଳରେ ରାଜଦଳ, ନଳଘାସ ଓ ପଟୁମାଟି ଯୋଗୁଁ ଡଙ୍ଗା ଯାତାୟତ କରିପାରୁନାହିଁ । ଫଳରେ ଯେଉଁଠି ୧ କିଲୋମିଟର ଯିବାକୁ ଡଙ୍ଗାକୁ ଗୋଟିଏ ଲିଟର ତେଲ ଦରକାର ପଡୁଥିଲା ସେଇଠି ଏବେ ୧୦ ଲିଟର ପୋଡୁଛି । ଅସୁବିଧାକୁ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ତତ୍କାଳୀନ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କୁ ବାରମ୍ବାର ଅବଗତ କରାଇଥିଲେ । ହେଲେ ପୂର୍ବ ସରକାର କର୍ଣ୍ଣପାତ କରିନଥିଲା କିନ୍ତୁ ସାଂସଦଙ୍କ ପ୍ରଚେଷ୍ଟାରେ ଅନୁଦାନ ଆସି ପଟୁମାଟି ସଫା ହୋଇଥିଲା । କିନ୍ତୁ ସଂପୂର୍ଣ୍ଣ କାମ ହୋଇପାରିନଥିଲା ।
📱 Get Argus News App
✨ରାଜ୍ୟରେ ସରକାର ବଦଲିବା ପରେ ଏବେ ମତ୍ସଜୀବୀଙ୍କ ଦାବି ପୂରଣ ହେବ ବୋଲି ସେମାନେ ଆଶା ରଖିଛନ୍ତି । ଏପଟେ, ବ୍ଲକ ଉପାଧ୍ୟକ୍ଷ କହିଛନ୍ତି, ଚିଲିକା ହେଉଛି ମତ୍ସଜୀବୀଙ୍କ ଲାଇଫ ଲାଇନ । ତେଣୁ ସେମାନଙ୍କ ଦାବି ସରକାରଙ୍କ ପାଖକୁ ପଠାଯିବ ।