ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ଗୁପ୍ତ କୋଠରୀ କି ଗୁପ୍ତ ସୁଡଙ୍ଗ

ଅର୍ଗସ ବ୍ୟୁରୋ: ରତ୍ନଭଣ୍ଡାରର ସୁଡଙ୍ଗ ଓ ଗୁପ୍ତ କୋଠରୀ ଉପରୁ ହଟିଛି ପରଦା । ପ୍ରାଥମିକ ଆଲୋଚନାରୁ କୌଣସି ଗୁପ୍ତ କୋଠରୀ ବା ଗୁପ୍ତ ସୁଡଙ୍ଗ ନଥିବା ପ୍ରାୟତଃ ଜଣାପଡିଛି ବୋଲି ଆଇନମନ୍ତ୍ରୀ କହିବା ପରେ ଏହା ଉପରେ ଏବେ ପୂର୍ଣ୍ନଚ୍ଛେଦ ପଡିଛି । ତେବେ ଜିପିଆର୍ ସର୍ଭେରେ ରତ୍ନ ଭଣ୍ଡାର ରେ ଫାଟ ରହିଥିବା ସ୍ପଷ୍ଟ ହୋଇଥିବାରୁ କାର୍ତ୍ତିକ ମାସ ପରେ ଏକମାସ ଧରି ଏଏସଆଇ ରତ୍ନଭଣ୍ଡାର ମରାମତି କରିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ସେହିପରି ମରାମତି ପରେ ନୂଆବର୍ଷରୁ ରତ୍ନଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ । 1978 ମସିହା ରତ୍ନଗଣତି ତାଲିକା ଅନୁସାରେ ମେଳକ କରାଯାଇ 7 ଦିନ ଭିତରେ ରିପୋର୍ଟ ପ୍ରକାଶ ପାଇବ ବୋଲି ମଧ୍ୟ କହିଛନ୍ତି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।
ସରକାରଙ୍କ ଏଭଳି ପଦକ୍ଷେପ ଓ ତତ୍ପରତାକୁ ଭକ୍ତ, ସେଵାୟତ ଓ ବୁଦ୍ଧିଜୀବୀ ମାନେ ବେଶ୍ ସ୍ବାଗତ କରିଛନ୍ତି । ସେପଟେ ପୂର୍ବରୁ ପରିଚାଳନା କମିଟିର ଅନୁରୋଧ ପରେ ବି ରତ୍ନଭଣ୍ଡାରକୁ ଅଣଦେଖା କରାଯାଉଥିବା କହି ତତ୍କାଳୀନ ବିଜେଡି ସରକାର ଉପରେ ବର୍ଷିଛନ୍ତି ପୂର୍ବତନ ପରିଚାଳନା କମିଟିର ସଦସ୍ୟ ମାଧବ ମହାପାତ୍ର ।
ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟସ୍ ମୁତାବକ ପ୍ରତ୍ୟକ ତିନିବର୍ଷରେ ଥରେ ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାର ଗଣତିମଣତି କରିବାର ନିୟମ ରହିଛି । ମାତ୍ର 24 ବର୍ଷର ସ୍ଥିର ସରକାର ସ୍ବତେ 8 ଥର କଣ ଗୋଟିଏ ଥର ବି ରତ୍ନ ଭଣ୍ଡାର ଖୋଲିନଥିଲେ ତତ୍କାଳୀନ ବିଜେଡି ସରକାର । ଏପରିକି ନାଟକୀୟ ଢଙ୍ଗରେ ଚାବି ହଜିବା ପ୍ରସଙ୍ଗ ସାମ୍ନାକୁ ଆଣି ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ ସବୁ ଦିନ ଲାଗି ବନ୍ଦ କରି ଦେବାକୁ କରିଥିଲେ ଯୋଜନା । ବସିଥିବା କମିଶନ ରିପୋର୍ଟକୁ ବି କରି ନଥିଲେ ସାର୍ବଜନିନ । ତେବେ ବର୍ତ୍ତମାନର ବିଜେପି ସରକାର ଆସିବାର ପ୍ରଥମ ଦିନରୁ ଜଗନ୍ନାଥଙ୍କ ଚାରି ଦ୍ବାର ଖୋଲା ହେଉ କି 500 କୋଟିର ସ୍ବତନ୍ତ୍ର କର୍ପସ ଫଣ୍ଡ ଗଠନ କି ରତ୍ନ ଭଣ୍ଡାର ଖୋଲି ଗଣତି-ମଣତି ଓ ମରାମତି କରିବାର ନିଷ୍ପତ୍ତି ନେଇ ଜଗନ୍ନାଥ ସଂସ୍କୃତିର ରକ୍ଷା ପାଇଁ ପାଦ ବଢାଇଥିବା ଚର୍ଚ୍ଚା ହେଉଛି ।