୨୬ ଲକ୍ଷ ଲୋକଙ୍କ ପାଇଁ ଅଛନ୍ତି ମାତ୍ର ୨୬୫ ଜଣ ଡାକ୍ତର

Key Points
କଟକ ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର
୨୬ ଲକ୍ଷ ଲୋକଙ୍କ ପାଇଁ ଅଛନ୍ତି ମାତ୍ର ୨୬୫ ଜଣ ଡାକ୍ତର
ଜିଲ୍ଲାରେ ସ୍ୱାସ୍ଥ୍ୟବସ୍ଥାର ହତ୍ୟା କରିଦେଇଗଲା ୨୪ ବର୍ଷର ବିଜେଡି ସରକାର
କଟକ: ସବୁଠି ସ୍ବାସ୍ଥ୍ୟବସ୍ଥାର ନଗ୍ନ ଚିତ୍ର । ଗତ ୨୪ ବର୍ଷର ସ୍ଥିର ସରକାର ଡାକ୍ତରଖାନା ପାଇଁ କୋଠା ତ କରିଦେଲେ, ହେଲେ ଡାକ୍ତର ନିଯୁକ୍ତି କରିବାକୁ ଭୁଲିଗଲେ । କେଉଁଠି ରୋଗୀଙ୍କ ପାଇଁ ଡାକ୍ତର ନାହାନ୍ତି ତ ଆଉ କେଉଁଠି ସ୍ବାସ୍ଥ୍ୟ ଉପକରଣ ନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସବୁଠି ରହିଛି ସମସ୍ୟା । ଆଠଗଡ଼ ଅଞ୍ଚଳରେ ସାମାନ୍ୟ ଝାଡ଼ାବାନ୍ତି ପାଇଁ ବି ରୋଗୀଙ୍କୁ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଏ । ଆଉ ଗୁରୁତର ରୋଗ ହେଲେ ଭଗବାନ ଭରସାରେ ରୁହନ୍ତି ଲୋକେ ।
ଆଠଗଡ଼ ପରି ବାଙ୍କୀରେ ବି ସମାନ ସ୍ଥିତି । ଏଠି ବି ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ଡାକ୍ତର ନାହାନ୍ତି । ରୋଗୀଙ୍କୁ ମିଳିପାରୁନି ଉଚିତ୍ ସ୍ବାସ୍ଥ୍ୟସେବା । ସାଲେପୁର, ବଡ଼ମ୍ବା ଅଞ୍ଚଳରେ ବି ସ୍ବାସ୍ଥ୍ୟସେବାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି । କଟକ ଜିଲ୍ଲା ପ୍ରଶାସନ ତରଫରୁ ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଲାର ଜନସଂଖ୍ୟା ୨୬ ଲକ୍ଷରୁ ଅଧିକ । ଜିଲ୍ଲାରେ ୧୪ ଟି ବ୍ଲକ ଥିବାବେଳେ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ଯେଉଁଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି । ସୂଚନା ମୁତାବକ- ଜିଲ୍ଲାରେ ମୋଟ ୭୫୩ଟି ଡାକ୍ତର ପଦବୀ ଥିବାବେଳେ ଖାଲି ପଡ଼ିଛି ୪୮୮ ।
📱 Get Argus News App
✨ଉଭୟ ପୁରୁଷ ଓ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ପଦବୀ ସଂଖ୍ୟା ୬୭୦ ଥିବାବେଳେ, ଖାଲି ପଡ଼ିଛି ୮୨ ପଦବୀ । ନର୍ସିଂ ଅଫିସର ପଦବୀ ସଂଖ୍ୟା ୬୬୪ ଥିବା ବେଳେ ଖାଲି ପଡ଼ିଛି ୧୧୧ । ଲ୍ୟାବ ଟେକ୍ନିସିଆନ ପଦବୀ ସଂଖ୍ୟା ୪୯ ଥିବାବେଳେ ଖାଲି ପଡ଼ିଛି ୧୨ଟି । ନୂତନ ସରକାର କଟକ ଜିଲ୍ଲାର ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆଣିବେ ବୋଲି ଆଶା କରିଛନ୍ତି କଟକ ଜିଲ୍ଲାବାସୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: