ଭିଏସ୍ଏସ୍ ନଗର ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଡାକ୍ତର

ଭୁବନେଶ୍ୱର: ବଡ଼ ଡାକ୍ତରଖାନାକୁ ଯିବାକୁ ପଡ଼ିବନି । ୱାର୍ଡରେ ଖୋଲା ଯାଇଥିବା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ସହଜରେ ଚିକିତ୍ସା ପାଇପାରିବେ ସଧାରଣ ଲୋକ । ହେଲେ ଭିଏସ୍ଏସ୍ ନଗର ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନାହାନ୍ତି ଡାକ୍ତର । ଫାର୍ମାସିଷ୍ଟ ରୋଗୀଙ୍କୁ ଲେଖୁଛନ୍ତି ଔଷଧ । ଗତ ଡିସେମ୍ବର ମାସରୁ ଏଭଳି ଅଚଳାବସ୍ଥା ଦେଖୁବାକୁ ମିଳୁଛି ଭିଏସ୍ଏସ୍ ନଗର ସ୍ବାସ୍ଥ୍ୟକେନ୍ଦ୍ରରେ । ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ସ୍ଥାନୀୟ ଅଞ୍ଚଳୟ ପ୍ରାୟ ୨୦ ହଜାର ଲୋକ ନିର୍ଭର କରନ୍ତି । ପ୍ରତିଦିନ ୧୫୦ରୁ ୨୦୦ ରୋଗୀ ଏଠାକୁ ଆସୁଥିଲେ । କିନ୍ତୁ ଡାକ୍ତର ନଥିବାରୁ ରୋଗୀଙ୍କ ସଂଖ୍ୟା କମି କମି ଯାଉଛି ।ଭିଏସ୍ଏସ୍ ନଗରରେ ୨୦୧୯ ମାର୍ଚ୍ଚରେ ପ୍ରତିଷ୍ଠା ହୋଇଥିଲା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ।
ଏଠାରେ ଜଣେ ଡାକ୍ତର ନିୟମିତ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରୁଥିଲେ । ତାଙ୍କ ସହ ଆଟେଣ୍ଡାଣ୍ଟ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ହେଲେ ଗତ ଡିସେମ୍ବରରୁ ଏଠାରେ ଡାକ୍ତର ନାହାନ୍ତି । ଫାର୍ମାସିଷ୍ଟ ପ୍ରେସ୍କ୍ରିପସନ୍ ଲେଖିବା ସହ ରୋଗୀ ଦେଖି ଔଷଧ ଦେଉଛନ୍ତି । ମାତ୍ର ତାଙ୍କ ସେବା ଉପରେ ଭରସା କରିପାରୁ ନାହାନ୍ତି ରୋଗୀ । ଡାକ୍ତର ଙ୍କୁ ଖୋଜି ମେଡିକାଲରୁ ଫେରୁଛନ୍ତି । ଅନ୍ୟପଟେ ସବୁଠୁ ବଡ଼କଥା ହେଉଛି ଯେ ସୈନିକ ସ୍କୁଲ ଟିଟିଏସରେ ଅଳିଆ ପ୍ରଭାବରେ ସ୍ଥାନୀୟ ଲୋକଙ୍କୁ ଅନେକ ପ୍ରକାରର ରୋଗ ହେଉଥିବା ଅଭିଯୋଗ ହେଉଛି । ଡାକ୍ତର ନିଯୁକ୍ତି ପାଇଁ ଭିଏସଏସ ନଗର ଉନ୍ନୟନ ପରିଷଦ ବିଏମ୍ସି କମିସନରଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।ଏଥିସହ ତୁରନ୍ତ ଏଠାରେ ବରିଷ୍ଠ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ଦେଖିବାକୁ ବାକି ରହିଲା କେବେ ଏହାର ସମାଧାନ ହେଉଛି ଏବଂ ଭିଏସଏସ ନଗର ସ୍ବାସ୍ଥ୍ୟ କେନ୍ଦ୍ର ଙ୍କୁ ମିଳୁଛି ଉପଯୁକ୍ତ ଡାକ୍ତର।
ଅଧିକ ଦେଖନ୍ତୁ :