Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଗମରେ ନା ମିଳୁଛି ପାଣି, ନା ଅଛି ରାସ୍ତା, ନା ମିଳୁଛି ଶିକ୍ଷା

Banajyotshna Ray
Browse all articles by Banajyotshna Ray
·1 year ago·3 min read
ଦୁର୍ଗମରେ ନା ମିଳୁଛି ପାଣି, ନା ଅଛି ରାସ୍ତା, ନା ମିଳୁଛି ଶିକ୍ଷା

ଜୀବନ ଜୀବିକାକୁ ତୁଚ୍ଛ କରି ସର୍ବସ୍ବ ଦେଲେ । ସ୍ବପ୍ନ ଭବିଷ୍ୟତକୁ ଜଳାଞ୍ଜଳି ଦେଇ ଭାବିଥିଲେ ସବୁ ସମସ୍ୟାର ସମାଧାନ ହୋଇଯିବ। ହେଲେ ଯାହା ଭାବିଲେ ଠିକ୍ ତାର ଓଲଟା ହେଲା। ଯାହା ପାଇଁ ନିଜର ସର୍ବସ୍ବ ହାରିଲେ ଆଜି ତାରି ପାଇଁ ସର୍ବହରା ହୋଇ ଘୁରିବୁଲୁଛନ୍ତି। ଇଏ ଇନ୍ଦ୍ରାବତୀ ବିସ୍ଥାପିତଙ୍କ ଜୀବନ କାହାଣୀ । ନା ଅଛି ରାସ୍ତା ନା ମିଳୁଛି ସ୍ୱାସ୍ଥ୍ୟସେବା । ମୌଳିକ ସୁବିଧା ପାଇଁ ଅହରହ ଲଢେଇ କରୁଛନ୍ତି ଏମାନେ। ହେଲେ କିଏ ଶୁଣୁଛି। ଡ୍ୟାମ ନିର୍ମାଣ ହେବାକୁ ଅନେକ ବର୍ଷ ବିତିଛି ସତ ହେଲେ ଏମାନଙ୍କ ସମସ୍ୟା ସରିନି। ଡ୍ୟାମ ପାଇଁ ଦୁର୍ଦ୍ଦିନରେ ବୁଡିଛନ୍ତି ହଜାର ହଜାର ବିସ୍ଥାପିତଙ୍କ ଜୀବନ। ଜଳବନ୍ଦୀ ହୋଇ ଜୀବନ ବିତାଉଛନ୍ତି ବୁଡି ଅଞ୍ଚଳବାସୀ । ମୌଳିକ ସୁବିଧାଠୁ ସାମାଜିକ ସୁରକ୍ଷା ଏଠାକାର ଗରିବ ଆଦିବାସୀଙ୍କ ପାଇଁ ଅପହଞ୍ଚ । ଜମିଦାର ବି ଜମି ହରାଇ ମୁଲିଆ। କ୍ଷତିପୂରଣ ପ୍ରଦାନରେ ପାତରଅନ୍ତର ଯୋଗୁ ଅଧିକାଂଶ ବିସ୍ଥାପିତ ପରିବାର ଏବେ ଦୁର୍ଦିନରେ।

ଇନ୍ଦ୍ରାବତୀ ଜଳ ଭଣ୍ଡାର । ଭାରତବର୍ଷର ସର୍ବବୃହତ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଭାବେ ପରିଚିତ । କଳାହାଣ୍ଡି ଜିଲ୍ଲାରେ ଜଳସେଚନ ଏବଂ ବିତ୍ୟୁତ ଉତ୍ପାଦନ ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାର ନିର୍ମାଣ ହୋଇଛି । ଏହା ହେବା ଦିନଠୁ ଦୁଃଖରେ ଦିନ କାଟୁଛନ୍ତି ବିସ୍ଥାପିତ । ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଜଳଭଣ୍ଡାର ବିସ୍ଥାପିତଙ୍କ ପାଇଁ ଦୁଃଖ ଆଣି ଦେଇଛି । ଡ୍ୟାମ ହେବା ଦିନୁ 42 ଖଣ୍ଡ ଗାଁ ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି । ସରକାରଙ୍କ ବିକାଶମୁଖୀ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ହୋଇଛନ୍ତି । ମୌଳିକ ଅଧିକାର ପାଇଁ ଅହରହ ଲଢେଇ କରୁଛନ୍ତି ଇନ୍ଦ୍ରାବତୀ ବିସ୍ଥାପିତ । ବୁଡି ଯାଇଛି ବୁଡି ଅଞ୍ଚଳବାସୀଙ୍କ ସ୍ବପ୍ନ ଓ ଭବିଷ୍ୟତ ।

୧୯୮୯ ମସିହାରୁ ୧୯୯୨ ମାସିହା ମଧ୍ୟରେ ହଜାର ୫୦୦ ପରିବାରର ୧୧ ହଜାର ଲୋକଙ୍କୁ ବିସ୍ଥାପିତ କରାଯାଇଥିଲା । ଜଳ ଭଣ୍ଡାର ପାଇଁ ଯେଉଁମାନେ ବିସ୍ଥାପିତ ହେଲେ ସେମାନେ ଆଜି ବି ଜଳବନ୍ଦୀଜୀଵନ ଜିଉଁଛନ୍ତି । ଇନ୍ଦ୍ରାବତୀ ଜଳଭଣ୍ଡାର ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ୪୪ ଗାଁ ଏବଂ କଳାହାଣ୍ଡି ଜିଲ୍ଲାର ୫୩ଗାଁ ବିସ୍ଥାପିତ ହେଲେ । କଳାହାଣ୍ଡି ଜିଲ୍ଲାର ୪୮ ଟି ଗାଁ ଜଳ ଭଣ୍ଡାରରେ ବୁଡି ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲାର ୧୦ ଟି ଗାଁ ଜଳଭଣ୍ଡାର ରେ ବୁଡି ରହିଲା । ୯ଟି ଗାଁ ଆଂଶିକ ଭାବରେ ଜଳମଗ୍ନ ହେଲା । ଇନ୍ଦ୍ରାବତୀ ଜଳଭଣ୍ଡାର ଯୋଗୁଁ ଜଳବନ୍ଦୀ ଘେରରେ ରହି ଭୌଗୋଳିକ ପରିସୀମା ରେ ନିଜର ପରିଚୟ ଖୋଜୁଛନ୍ତି ।

ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ଅନେକ ଲୋକ ନିଜ ଘରଦ୍ୱାରା, ଚାଷଜମି ହରାଇଲେ । ଶାଗମାଛ ମୁଲ୍ୟରେ ଏମାନଙ୍କ ସମ୍ପତ୍ତିର ମୂଲ୍ୟାୟନ କରି ବଞ୍ଚିବା ପାଇଁ ସହାୟତା ରାଶି ବଣ୍ଟନ ବ୍ୟବସ୍ଥାରେ ମଧ୍ୟ ପ୍ରତାରଣା କରାଯାଇଥିଲା । ଏବେବି ବଞ୍ଚିବାର ରାହା ଖୋଜୁଛନ୍ତି ।

ଉପାନ୍ତରେ ପ୍ରାକ ଶିକ୍ଷାର ବିକଳ ଚିତ୍ର। ଗାଁରେ ନାହିଁ ଅଙ୍ଗନବାଡି ଗୃହ। ଭଙ୍ଗା ଘରେ ଚାଲିଛି ପିଲାଙ୍କ ପାଠ ପଢ଼ା। ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ସାତବର୍ଷରୁ ଉର୍ଦ୍ଧ୍ବ ହେବ ଏଠାରେ ଗଢ଼ା ହେଉଛି କୁନି କୁନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। କେଉଁଠି ଛାତରୁ ଅତଡା ଖସୁଛିତ, କେଉଁଠି ଚଟାଣ ଫାଟି ଯାଇଛି। ଛାତର ଯୁଆଡେ ଚାହିଁବେ ଅତଡା ଖସି ରୋଡ ଦିଶୁଛି। ବର୍ଷେକି ଦୁଇ ବର୍ଷ ନୁହେଁ ୭ ବର୍ଷ ହେବ ଏଭଳି ଅସୁରକ୍ଷିତ ଅବସ୍ଥାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର।

ଏ ଚିତ୍ର ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ବଡଭାଲିଆ ପଞ୍ଚାୟତ ବଡ଼ଭାଲିଆ ଅଙ୍ଗନୱାଡ଼ି କେନ୍ଦ୍ରର । ଦେଖନ୍ତୁ ଏ ଛାତର ଚିତ୍ର। ଛାତିଥରା ପରିସ୍ଥିତି... କେତେବେଳେ ଅତଡ଼ା ଖସିଯାଇ ବଡ ଅଘଟଣ ଘଟିପାରେ କହିହେବନି। ଏଇ ଘର ଭିତରେ ବିଭିନ୍ନ ପ୍ରଶିକ୍ଷଣ ପାଇବାରୁ ବଞ୍ଚିତ ଛାତ୍ରଛାତ୍ରୀ। ରୋଷେଇ ଘର ଉପରେ ଥରେ ନଜର ପକାନ୍ତୁ କିଭଳି ବିପଦପୂର୍ଣ୍ଣ ଭାବେ ରୋଷେଇ ହେଉଛି। ଉପର ଛାତ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଭଙ୍ଗା ଏଜବେଷ୍ଟର ଘରେ ହେଉଛି ରୋଷେଇ।

ଏଇ ଅଙ୍ଗନବାଡି କେନ୍ଦ୍ରକୁ ପଠାଇବାକୁ ଭୟ କରୁଛନ୍ତି ଅବିଭାବକ। ଯେଉଁ ଶିଶୁ ଅଙ୍ଗନବାଡି କେନ୍ଦ୍ରକୁ ଆସୁଛନ୍ତି ସେମାନଙ୍କ ଅବିଭାବକ ବାହାରେ ଜଗୁଛନ୍ତି। ପ୍ରାଶାସନିକ ଅବହେଳା ଯୋଗୁଁ କୁନିକୁନି ଛାତ୍ରଛାତ୍ରୀଙ୍କ ଭବିଶ୍ୟତ ବିପଦରେ।

ଶୋଷ ମେଣ୍ଟାଇ ପାରୁନି ଗଭୀର ନଳକୂପର ପାଣି, ଭାଗରେ ପଡ଼ୁଛି ବାଲଟିଏ କି ଦୁଇ ବାଲ୍ଟି । ତାହା ପୁଣି ଦିନ 10ଟା ଯାଏଁ । ତାପରେ ନଳକୂପ ଦେଉଛି ଧୋକା। ଯେତେ ମାରିଲେ ବି ବାହାରୁନି ପାଣି। ଫଳରେ ପାଣି ପାଇଁ ଦୂର ଯାଗାକୁ ଯାଉଛନ୍ତି ଅଞ୍ଚଳବାସୀ। ଏ ଚିତ୍ର ହେଉଛି ଦେବଗଡ ରିଆମାଳ ବ୍ଲକ କଙ୍କଡଝରନ ଗାଁର। ଗାଁରେ 15ରୁ 20ଘର ଆଦିବାସୀ ପରିବାର ବସବାସ କରୁଛନ୍ତି। ମାତ୍ର ପାନୀୟ ଜଳ ଯୋଗାଣ ପାଇଁ ଏଇ ଗୋଟିଏ ନଳକୂପ ଭରସା। ଗାଁର ଘରେଘରେ ଲାଗିଛି ଷ୍ଟାଣ୍ଡପୋଣ୍ଟ, ମାତ୍ର ଆସୁନି ପାଣି। ଏଠି ପ୍ରକଳ୍ପ କେବଳ ଲୋକ ଦେଖାଣିଆ।

ଗାଆଁକୁ ଯିବାକୁ ହେଲେ 7କିଲୋମିଟ ପାହାଡିଆ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼ିଥାଏ। ତାହା ପୁଣି ଖାଲ ଖାମରେ ଭର୍ତ୍ତି ରାସ୍ତା ଦେଇ। ଏଇ ରାସ୍ତାରେ ଜଙ୍ଗଲି ଜୀବଜନ୍ତୁ ଭୟ ରହିଥିବା ବେଳେ ପ୍ରତି ପାଦେପାଦେ ରହିଛି ବିପଦ। ବର୍ଷା ଦିନତ ଦୂରର କଥା ଖରା ଦିନରେ ମଧ୍ୟ ଗାଁ କୁ ଆମ୍ବୁଲାନ୍ସ ଟିଏ କୌଣସି ପ୍ରକାର ପହଞ୍ଚି ପାରୁନି। ଏହି ରାସ୍ତା ପାଇଁ ପିଲାଙ୍କ ପାଠପଢା ମଧ୍ୟ ବନ୍ଦ ହୋଇଯାଇଛି। କଙ୍କଡଝରନର ଯୋଗ୍ୟ ହିତାଧୀକାରୀ ଆଜି ଯାଏଁ ଆବାସରେ ଘର ଖଣ୍ତେ ପାଇପାରୁନାହାନ୍ତି। ଆଜିବି ନୁଆଁଣିଆ ଚାଳମାଟି ଘରେ ଜୀବନ ବିତାଉଛନ୍ତି ପରିବାର ଲୋକ। ନିର୍ବାଚନ ସମୟରେ ଗାଁରେ ପଡିଥିଲା ନେତା ବାବୁଙ୍କ ପାଦ। ମାତ୍ର ନିର୍ବାଚନ ପରେ ସବୁ ଭୁଲିଗଲେ। ଆଜିବି ମୌଳିକ ସୁବିଧା ଅପେକ୍ଷାରେ ଅଞ୍ଚଳବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There is no water, no roads, no education in the durgam | Argus News