ଆଉ ଦକ୍ଷୀଣା ପବନ ବହୁନି କି ଜାଲରେ ମାଛ ପଡ଼ୁନି !

ସମୁଦ୍ରରେ କମି ଯାଉଛି ମାଛ ସଂଖ୍ୟା । ବାଲେଶ୍ୱର ବଳରାମଗଡି ମାଛଧରା କେନ୍ଦ୍ରରେ ପୂର୍ବାପେକ୍ଷା ଦୁଇ ଗୁଣରୁ କମ୍ ଆସୁଛି ମାଛ । ଖାଁ ଖାଁ ଗୋଦାମ । ଯେଉଁଠି ସକାଳୁ ସକାଳୁ ପାଦ ପକାଇବାକୁ ଜାଗା ମିଳେନି । ଆଜି ସେ ଜାଗା ଖାଁ ଖାଁ । ଦିନେ ଛୋଟ ବଡ଼ ମାଛର ପାହାଡ଼ ଜମୁଥିଲା । ହେଲେ ଏବେ ମାଛର ମରୁଡ଼ି । ଶାନ୍ତ ପଡିଛି ପରିବେଶ ।
ଆମେ କହୁଛୁ ବାଲେଶ୍ବର ଜିଲ୍ଲା ବଳରାମଗଡ଼ି କଥା । ଏଠି ଏବେ ମାଛର ଅଭାବ ବଢାଇଛି ବ୍ୟବସାୟୀଙ୍କ ଚିନ୍ତା । ଆଗରୁ ଟ୍ରଲର୍ ସମୁଦ୍ର ଗର୍ଭକୁ ଗଲେ ଅତିକମରେ ୩୦୦ରୁ ୪୦୦ ଜାଲି ମାଛ ଆଣୁଥିଲା । ବର୍ତ୍ତମାନ ୬୦ରୁ ୭୦ ଜାଲି ଧରି ଫେରିବାକୁ ବାଧ୍ୟ ହେଉଛନ୍ତି । ଅଧିକାଂଶ ସମୟରେ ଟ୍ରଲର୍ ଖାଲି ହାତରେ ଫେରୁଥିବା ବେଳେ ଅଧାରୁ ଅଧିକ ଟ୍ରଲର୍ ପଡି ରହି ଖତ ଖାଇବାକୁ ବସିଲାଣି । ଏପରିକି ବଳରାମଗଡିର ନିଲାମ ଡକାଯାଉଥିବା ଗୋଦାମରେ ତାଲା ଝୁଲୁଛି । ମାଛର ଅଭାବ ପାଇଁ ପରିବେଶ ପ୍ରଦୂଷଣକୁ ଦାୟୀ କରିଛନ୍ତି ମତ୍ସ୍ୟ ବ୍ୟବସାୟୀ ।
ମତ୍ସ୍ୟଜୀବୀଙ୍କ କହିବାନୁସାରେ, ଦକ୍ଷିଣା ପବନ ହେଲେ ମାଛ ଅଧିକ ଜାଲରେ ପଡିଥାଏ । କୂଳକୁ ମାଛ ଭାସି ଆସିଥାନ୍ତି । ହେଲେ ଏବେ ଉତ୍ତର ପଶ୍ଚିମ ପବନ ବୋହୁଛି ଫଳରେ ନିକଟରେ ମାଛ ରହୁନାହାନ୍ତି । ଅସନ୍ତୁଳିତ ପରିବେଶ ପାଇଁ ଓଲଟା ଜଳବାୟୁ ଦେଖିବାକୁ ମିଳିଛି । ସେପଟେ ଜିଲ୍ଲା ଅତିରିକ୍ତ ମତ୍ସ୍ୟ ଅଧିକାରୀ କହିଛନ୍ତି, ଜଳବାୟୁ ପ୍ରଭାବ ସହ ସୀମିତ ଅଞ୍ଚଳରେ ଏକାଧିକ ଟ୍ରଲର୍ ବୃଦ୍ଧି ସୃଷ୍ଟି କରୁଛି ମାଛର ଅଭାବ ।

