ଜଙ୍ଗଲ ସାରା ଥିଲା ରକ୍ତ ଚନ୍ଦନ ଗଛ, ଏବେ ଖୋଜିଲେ ମିଳୁନି !

କାଠ ମାଫିଆଙ୍କ ଦୌରାତ୍ମ୍ୟ । ରାତା ରାତି ଗାୟବ କରି ଦେଉଛନ୍ତି କୋଟି କୋଟି ଟଙ୍କା ମୂଲ୍ୟର ରକ୍ତ ଚନ୍ଦନ ଗଛ । ଏମିତି ଗଛ କାଟି ଲଣ୍ଡା କରିଦେଲେଣି ଜଙ୍ଗଲ । ପାରଲା ମହାରାଜ ଗଛ ଲଗାଇଥିଲେ । ଆଉ କାଠ ମାଫିଆ ତାକୁ କାଟି ସଫା କରୁଛନ୍ତି ।
ଗଜପତିରେ ଲୋପ ପାଇବାକୁ ବସିଲାଣି ବିରଳ ରକ୍ତ ଚନ୍ଦନ କାଠ । ଦୁର୍ମୂଲ୍ୟ ଗଛ କାଟି ଜଙ୍ଗଲ ଲଣ୍ଡା କରିଦେଲେଣି କାଠ ମାଫିଆ । ୧୨ ହଜାର ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିଥିଲେ ପାରଳା ମହାରାଜ । ଏବେ ଆଉ ମାତ୍ର ୧୦୦୩ଟି ଗଛ ରହିଥିବା ବନବିଭାଗ ତଥ୍ୟ କହୁଛି । କୁହାଯାଉଛି ପୂର୍ବ ବିଜେଡି ସରକାରରେ ସୁରକ୍ଷା ଅଭାବରୁ ବଢିଛି ଚନ୍ଦନ କାଠ ତସ୍କରୀ ।
ଦିନ ଥିଲା 'ରକ୍ତ ଚନ୍ଦନ' ଗଛରେ ଭରପୂର ଥିଲା ଗଜପତି ଜିଲ୍ଲା । ଏବେ କିନ୍ତୁ କାଁ ଭାଁ ଗଛ ରହିଛି । ପୁରା ଜଙ୍ଗଲ କାଟି ସଫା କରିଦେଲେଣି ମାଫିଆ । ବହୁ ମୂଲ୍ୟ ରେଡ୍ ସ୍ୟାଣ୍ଡଲ୍ ବିଦେଶକୁ ଚାଲାଣ କରି କୋଟି କୋଟି ଟଙ୍କା କମାଇ ମାଲେମାଲ୍ ହେଉଛନ୍ତି ମାଫିଆ। ଜିଲ୍ଲାର ଗୋଷାଣି ବ୍ଳକର ଲାବାଣ୍ୟଗଡ ଏବଂ ଗୁମ୍ମା ବ୍ଲକର ନାମନଗଡ ଅଞ୍ଚଳରେ ବେଧଡ଼କ ଚାଲିଛି ଚନ୍ଦନ କାଠ ଚୋରି । ଦୁର୍ମୂଲ୍ୟ ଜଙ୍ଗଲକୁ ସୁରକ୍ଷା ଦେବାରେ ବିଫଳ ହେଉଛି ବନବିଭାଗ ।
ଔଷଧୀୟ ଗୁଣରେ ଭରପୁର ରକ୍ତ ଚନ୍ଦନ ଗଛର ସ୍ବତନ୍ତ୍ର ବଣ ସୃଷ୍ଟି କରିବା ଦିଗରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ବିଭିନ୍ନ ସ୍ଥାନରୁ ରକ୍ତ ଚନ୍ଦନ ଗଛ ସଂଗ୍ରହ କରି ପାରଳାଖେମୁଣ୍ଡି ନିକଟରେ ବଣ ସୃଷ୍ଟି କରିଥିଲେ ପାରଳାଖେମୁଣ୍ଡି ମହାରାଜା । ସମୟ କ୍ରମେ ଏହା ବନ ବିଭାଗ ଅଧୀନକୁ ଆସିଲା । ଏବେ ଏହା ପାରଳାଖେମୁଣ୍ଡି ବନଖଣ୍ଡ ଅଧିନସ୍ଥ ମହେନ୍ଦ୍ରଗିରି ଏବଂ ଦେବଗିରି ବନାଞ୍ଚଳ ଅଧୀନରେ ରହିଛି ।
ଏହି ଗଛର ଚାହିଦା ଜଣାପଡିବା ପରେ ୧୯୯୦ ବେଳକୁ ତସ୍କରୀ ଆରମ୍ଭ ହୋଇଥିଲା । ଗତ ୩୩ ବର୍ଷ ଧରି ଏହି ବଣରୁ ଗଛ ଚୋରି ହୋଇଚାଲିଛି । କୁହାଯାଉଛି ପ୍ରାୟ ୧୨ ହଜାର ଗଛ ଲଗାଇ ବଣ ସୃଷ୍ଟି କରିଥିଲେ ପାରଳା ମହାରାଜ । ସେଥିମଧ୍ୟରୁ ଏବେ ମାତ୍ର ୧୦୦୩ଟି ଗଛ ହିଁ ରହିଥିବା ବନ ବିଭାଗ ତଥ୍ୟରୁ ସ୍ପଷ୍ଟ ହୋଇଛି ।