ଆଉ ରହିବନି ଟ୍ରାଫିକ ସମସ୍ୟା, ରେଳ ଫାଟକ ପାଖରେ ଅଟକିବନି ଗାଡ଼ି

ଖୁବଶୀଘ୍ର ଗଞ୍ଜାମର ଦୁଇ ମୁଖ୍ୟ ରେଳ ଫାଟକରେ ନିର୍ମାଣ ହେବ ଓଭରବ୍ରିଜ୍ । ଏନେଇ ରେଳ ବିଭାଗ ବୈଠକରେ ନିଷ୍ପତ୍ତି ହୋଇଥିବା କହିଛନ୍ତି ବ୍ରହ୍ମପୁର ସାଂସଦ । ଏବେ ପ୍ରତି ଦୁଇ ମିନିଟରେ ଟ୍ରେନ୍ ଆସିଲେ ସେଇ ରାସ୍ତା ଦେଇ ଯାଉଥିବା ଯାତ୍ରୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । କିନ୍ତୁ ଓଭରବ୍ରିଜ୍ ହେବା ପରେ ଆଉ ଏଭଳି ଟ୍ରାଫିକ୍ ସମସ୍ୟା ରହିବନି ବୋଲି କୁହାଯାଇଛି ।
ବ୍ରହ୍ମପୁର ଉପକଣ୍ଠ ପୋକୁଡ଼ିବନ୍ଧ ଛକ ଏବଂ ଆମ୍ବପୁଆ ନିକଟରେ ରହିଛି ଦୁଇ ରେଳ ଫାଟକ । ଯାହା ୫ଟି ବ୍ଲକ ବାସୀନ୍ଦାଙ୍କ ସହ ମା' ତାରାତାରିଣୀ ମନ୍ଦିର ଓ ବ୍ରହ୍ମପୁର-ପୁରୁଷୋତ୍ତମପୁରକୁ ମୁଖ୍ୟ ରାସ୍ତା । ଏଥିସହ ରେଳ ଫାଟକ ନିକଟରେ ଜଗନ୍ନାଥପୁର ଗୁଡ୍ସ ଗୋଦାମ, ଭାରତୀୟ ଖାଦ୍ୟ ନିଗମ, ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ, ସମ ହସ୍ପିଟାଲ ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି ।
ଏଭଳି ସ୍ଥଳେ ଦୁଇ ମିନିଟ୍କୁ ଥରେ ରେଳ ଫାଟକ ବନ୍ଦ ହୋଇଗଲେ ଶହ ଶହ ଗାଡ଼ି ଅଟକ ରହିଥାଏ । ଏଥପାଇଁ ଟ୍ରାଫିକ ସମସ୍ୟା ବି ଉପୁଜିଥାଏ । ଲୋକଙ୍କୁ ଗମନାଗମନକୁ ସୁବିଧା କରିବା ପାଇଁ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ଗତ ସରକାରରୁ ହୋଇ ଆସୁଥିବା ଦୀର୍ଘ ଦିନର ଦାବିରେ ପଡିବ ଯବନିକା । ଦୁଇ ରେଳ ଫାଟକରେ ନିର୍ମାଣ ହେବ ଦୁଇଟା ଓଭରବ୍ରିଜ୍ । ଏଥପାଇଁ ନିକଟରେ ଖୋର୍ଦ୍ଧା ଡିଭିଜନରେ ରେଳ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିବା କହିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ।
ତତ୍କାଳୀନ ବିଜେଡି ସରକାରରେ ବାରମ୍ବାର ଅଭିଯୋଗ ପରେ ୨୦୧୪ ମସିହାରେ ରେଳ ଓଭରବ୍ରିଜ୍ ନେଇ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ୨୦୧୯ ମସିହାରେ ମାଟି ପରୀକ୍ଷଣ ସହ ଠିକା ସଂସ୍ଥା ଏନେଇ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲା । କିନ୍ତୁ ଏହାପରେ ରେଳ ଓଭରବ୍ରିଜ କାମ ବନ୍ଦ ହୋଇଯାଇଥିଲା । ଲୋକଙ୍କ ବାରମ୍ବାର ଦାବି ପରେ ବି ଗୁରୁତ୍ବ ଦେଇନଥିଲା ଗତ ସରକାର। ଯାହାକି ବିଜେପି ସରକାର ଆସିବା ପରେ ଲୋକଙ ଅସୁବିଧାର ସମାଧାନ ପାଇଁ ଅଣ୍ଟା ଭିଡିଛି ।