ମହାନଦୀରେ ଆଉ ରହିବନି ଜଳ ସଙ୍କଟ

Key Points
- ମହାନଦୀରେ ବ୍ୟାରେଜ କରିବେ କହି ଠକିଦେଲେ ନବୀନ ସରକାର
- ଏବେ ତାହା କାମରେ କରି ଦେଖାଇବାକୁ ଯାଉଛି ବିଜେପି ସରକାର
- ବ୍ୟାରେଜ ନେଇ ବିଧାନସଭାରେ ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା
- ମହାନଦୀରେ ନୂଆ ବ୍ୟାରେଜ୍ ନିର୍ମାଣ ପାଇଁ ଚୂଡ଼ାନ୍ତ ହୋଇଛି ଯୋଜନା
- ପ୍ରକଳ୍ପ ପାଇଁ ଯୋରସୋରରେ ଚାଲିଛି ସର୍ବେକ୍ଷଣ ଓ ଅନୁସନ୍ଧାନ
- କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହ ତଥ୍ୟ ବି ହୋଇଛି ଆଦାନ ପ୍ରଦାନ
ଅର୍ଗସ ବ୍ୟୁରୋ: ମହାନଦୀରେ ଆଉ ରହିବନି ଜଳ ସଂକଟ। ବର୍ଷରେ ୮ ମାସ ଆଉ ଶୁଖିଲା ପଡ଼ିବନିନଦୀ ଶଯ୍ୟା। ଛତିଗଡ଼ ଯେତେ ରୋକିଲେ ବି ତଳ ମୁଣ୍ଡରେ ହେବନି ପାଣିର ଅଭାବ। ୨୪ ବର୍ଷ ଶାସନରେ ଯାାହ କରିପାରିଲେନି ବିଜେଡି ସରକାର। ତାହା କରିଦେଖାଇବାକୁ ଯାଉଛନ୍ତି ବିଜେପି ସରକାର। ମହାନଦୀ ଓ ତାର ଉପନଦୀ ଗୁଡ଼ିକରେ ବ୍ୟାରେଜ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏଥିରୁ କେତେକ ପ୍ରକଳ୍ପ ପାଇଁ ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟ ଚାଲୁରହିଥିବା ବେଳେ ଆଉ କିଛି ପ୍ରକଳ୍ପର ବୈଷୟିକ ଅନୁମୋଦନ ପାଇଁ କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହ ତଥ୍ୟ ଆଦାନ ପ୍ରଦାନ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏପରିକି କିଛି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ମୁଖ୍ୟ ଯନ୍ତ୍ରୀଙ୍କୁ ହସ୍ତାନ୍ତର କରାଯାଇସାରିଛି। ବିଧାନସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।
ହୀରାକୂଦ ଉପରମୁଣ୍ଡରେ ଛତିଶଗଡ଼ ବହୁ ଡ୍ୟାମ ଓ ବ୍ୟାରେଜ ନିର୍ମାଣ କରି ମହାନଦୀର ପାଣିକୁ ଅଟକାଇବା ଯୋଗୁଁ ଖରାଦିନେ ସଂପୂର୍ଣ୍ଣ ଶୁଖିଲା ପଡ଼ୁଛି ମହାନଦୀ ଶଯ୍ୟା। ତେବେ ଓଡ଼ିଶାରେ ହୀରାକୂଦ ବ୍ୟତୀତ କୌଣସି ଡ୍ୟାମ ନଥିବାରୁ ବର୍ଷାଦିନେ 52 ପ୍ରତିଶତ ପାଣି ବଙ୍ଗୋପସାଗରକୁ ବୋହିଆଉଛି। ଖରାଦିନ ପାଇଁ ଏହି ପାଣି ଗଚ୍ଛିତ କରିରଖିବା ଲାଗି 2018ରେ ହୀରାକୂଦ ତଳମୁଣ୍ଡରେ 7ଟି ବ୍ୟାରେଜ ନିର୍ମାଣ ଲାଗି ଘୋଷଣା କରିଥିଲେ ବିଜେଡି ସରକାର। ମହାନଦୀର ଗୋଧନେଶ୍ବର, ଦେଓଙ୍ଗା, କପାସିରା, ଖଇରମାଳ, ସୁବଳୟା, ମଣିଭଦ୍ରା, ମୁଣ୍ଡଳୀ ଆଦି 7 ଟି ସ୍ଥାନରେ ବ୍ୟାରେଜ ନିର୍ମାଣ କରିବାକୁ ବିଜେଡି ସରକାର ଘୋଷଣା କରିଥିଲେ।
କିନ୍ତୁ 6 ବର୍ଷ ଭିତରେ ବ୍ୟାରେଜ ନିର୍ମାଣ ପାଇଁ ମାଟି ଗାଣ୍ଡୁଏ ବି ପଡ଼ିଲା ନାହିଁ। ଅନ୍ୟପକ୍ଷରେ ମହାନଦୀକୁ ମା କହି ଖୁବ୍ ରାଜନୀତି କରିଥିଲା ବିଜେଡି। ତତକାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଛତିଶଗଡ଼ ସହ ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ କରିବାକୁ ବିଜେଡି ସରକାରଙ୍କୁ ବାରମ୍ବାର ପ୍ରସ୍ତାବ ଦେଇଥିଲେ ବି । ନବୀନ ସରକାର ତାହାକୁ ପ୍ରତ୍ୟାଖାନ କରିଥିଲେ। ଆଉ ଏବେ ସରକାରରୁ ବିଦା ହେବା ପରେ ବିଜେଡି କହୁଛି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯାଉ।
ଏବେ ପ୍ରଶ୍ନ ଉଠୁଛି ସରକାରକୁ ଆସିବାର ୬ ମାସ ଭିତରେ ଯଦି ବିଜେପି ସରକାର ମହାନଦୀରେ ବ୍ୟାରେଜ୍ ନିର୍ମାଣ ପାଇଁ ପଦକ୍ଷେପ ନେଇପାରୁଛନ୍ତି। 24 ବର୍ଷର ବିଜେଡି ସରକାର କାହା ସ୍ବାର୍ଥରେ ବ୍ୟାରେଜ ନିର୍ମାଣ ଘୋଷଣା କରି ହାତବାନ୍ଧି ବସିଥିଲେ ? ମହାନଦୀକୁ ମା ସମ୍ବୋଧନ ଥିଲା କି ବିଜେଡିର ଛଳନା ? ଏବେ ଧରାପଡ଼ିଯାଇଛି ବିଜୁ ଜନତା ଦଳର ମହାନଦୀକୁ ନେଇ ଦୋମୁହାଁ ଚରିତ୍ର ।