BJD / ହଠାତ୍ କାହିଁକି ଷ୍ଟାଣ୍ଡିଂ MLAଙ୍କ କଟିଲା ଟିକଟ ?

Key Points
ଅର୍ଗସ ବ୍ୟୁରୋ: ବିଜେଡିର ପିଛା ଛାଡୁନି ଟିକଟ ଟେନସନ୍ । ଗତକାଲି ପୁଣି ଥରେ ୨୭ ବିଧାୟକ ଓ ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜଣଙ୍କ ପରେ ଜଣେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ । ଯେଉଁଠି ଦେଖାଯାଇଛି କି, ୭ ଜଣ ବିଧାୟକଙ୍କ ଟିକେଟ କାଟିଥିବା ବେଳେ ଅନ୍ୟମାନଙ୍କୁ ରିପିଟ୍ କରାଯାଇଛି ।
ବିଜେଡି ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା ହେବା ପରେ ଜଣାପଡିଛି କି, ମାହାଙ୍ଗାରେ ପ୍ରତାପ ଜେନାଙ୍କ ବଦଳରେ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା ଏବଂ ମୟୂରଭଞ୍ଜ ମୋରଡ଼ାରେ ରାଜକିଶୋର ଦାସଙ୍କ ପରିବର୍ତ୍ତେ ପତ୍ନୀ ପ୍ରୀତିଲତା କାନୁନଗୋ ଟିକେଟ୍ ପାଇଛନ୍ତି । ଠିକ୍ ସେହିପରି ଟିକେଟ୍ କଟିଥିବା ଅନ୍ୟ ୫ ବିଧାୟକ ହେଲେ ସୋରର ପର୍ଶୁରାମ ଧଡ଼ା, ଆଠମଲ୍ଲିକର ରମେଶ ସାଏ, ଫୁଲବାଣୀର ଅଙ୍ଗଦ କହଁର, ତିର୍ତ୍ତୋଲର ବିଜୟ ଶଙ୍କର ଦାସ ଓ ପଟ୍ଟାଙ୍ଗୀର ପିତମ୍ ପାଢ଼ୀ । ଏହି ମାନଙ୍କ ଟିକେଟ କାଟିଛି ଦଳ । ତେବେ ଟିକେଟ କଟିଥିବାରୁ ଗତକାଲି ପର୍ଶୁରାମ ଧଡ଼ା ଦଳରୁ ଇସ୍ତଫା ଦେଇଛନ୍ତି ଆଉ କହିଛନ୍ତି ନିର୍ବାଚନ ଅଲବତ ଲଢିବି ।
ବିବାଦ ଯେମିତି ବିଜେଡି ସାଙ୍ଗ ହୋଇ ଚାଲିଛି । କାରଣ ଗତକାଲି ବିଜେଡି ଟିକଟ ଘୋଷଣା କରିବା ପରେ ପରେ ହିଁ ଦଳରୁ ଇସ୍ତଫା ପର୍ବ ଆରମ୍ଭ ହୋଇଯାଇଥିଲା । ଟିକଟ ଆଶାୟୀ ଥିବା ଅସନ୍ତୁଷ୍ଟ ନେତା ସଙ୍ଗେ ସଙ୍ଗେ ବିଜେଡି ସୁପ୍ରିମୋଙ୍କୁ ଦେଇଥିଲେ ଇସ୍ତଫା ପତ୍ର । ମୋଟ୍ ଉପରେ ଆମଦାନୀ ନେତାଙ୍କୁ ବିଜେଡି ଅଗ୍ରାଧିକାର ଦେଉଥିବାରୁ ଛାମୁଆ ନେତା ଏବେ ଅସନ୍ତୋଷ ଜାହିର କରୁଛନ୍ତି । ଏମିତିକି ଆଗାମୀ ନିର୍ବାଚନରେ ଏହି ଭୁଲ ଲାଗି ଦଳ ପରାଜୟ ସ୍ଵୀକାର କରିପାରେ ବୋଲି କହିବାକୁ ପଛାଉନାହାନ୍ତି ନେତା । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ।
📱 Get Argus News App
✨Related Topics
Explore more stories