ନୋଳିଆ ସାହିର ମହିଳା ଓ ଛୋଟ ଛୋଟ ପିଲାଙ୍କୁ କରିଥିଲେ ଟାର୍ଗେଟ୍

Key Points
ହେଲେ ସବୁ କିଛି ଭଣ୍ଡୁର ହୋଇଗଲା ।
ଗୋଟିଏ ଅଭିଯୋଗ ପୂରା କାର୍ଯ୍ୟକ୍ରମକୁ ବନ୍ଦ କରିଦେଲା ।
କୋଣାର୍କ ଚନ୍ଦ୍ରଭାଗା ନିକଟରେ ଅନୁଷ୍ଠିତ ହେବାକୁ ଥିଲା ୩ ଦିନିଆ ଯୀଶସ୍ ସୁରକ୍ଷା ସଭା । ଯାହାକୁ ବାତିଲ କରିବାକୁ ଜିଲ୍ଲା ପ୍ରଶାସନ ଦେଲା ନିର୍ଦ୍ଦେଶ । କାରଣ ଅଭିଯୋଗ ଥିଲା ଏଠାରେ ଯୀଶସ୍ ସୁରକ୍ଷା ସଭା ନାଁରେ ନୋଳିଆ ସାହିର କିଛି ଗରିବ ମହିଳାଙ୍କୁ ଓ ଛୋଟ ଛୋଟ ପିଲାଙ୍କୁ କରାଯିବ ଧର୍ମାନ୍ତରୀକରଣ । ଏନେଇ ଜାତୀୟ ମାନବାଧିକାର କମିଶନଙ୍କୁ ଚିଠି ଲେଖିଥିଲେ ନୋଳିଆ ସାହିର କିଛି ବାସୀନ୍ଦା।
ଆଉ ସେମାନଙ୍କ ଅଭିଯୋଗ ପାଇବା ପରେ ଉପଜିଲ୍ଲାପାଳ ରାଜକିଶୋର ଜେନା ସେହି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଦେଇଥିଲେ ନିର୍ଦ୍ଦେଶ । ସେ କହିଥିଲେ, ଅଭିଯୋଗ ଅନୁଯାୟୀ ତଦନ୍ତ କରାଯାଉଛି ରିପୋର୍ଟ ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ସେହି କାର୍ଯ୍ୟକ୍ରମ କେଉଁ ଅନୁଷ୍ଠାନ ଆୟୋଜନ କରୁଥିଲା, ସେମାନଙ୍କ ପଛରେ କାହାର ହାତ, ସେନେଇ କାଗଜପତ୍ର ଯାଞ୍ଚ କରାଯାଉଛି । ଯଦି ସେଥିରେ କିଛି ତ୍ରୁଟି ସାମ୍ନାକୁ ଆସେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହି ସଭା ଜୁଲାଇ 29,30,31 ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା । ଏଥିପାଇଁ ପୁରୀ ପେଣ୍ଠକଟା ଓ କୋଣାର୍କ ଚନ୍ଦ୍ରଭାଗା ଅଞ୍ଚଳରେ ବ୍ୟାପକ ପୋଷ୍ଟର ଲଗାଯାଇଥିଲା।