ଗାଁକୁ ଚାଲିକି ଯିବାକୁ ବି ରାସ୍ତା ନାହିଁ, ଚୂଆରୁ ପାଣି ଆଣିଲେ ରୋଷେଇ ହୁଏ !

ରାସ୍ତା ବିହୁନେ ନର୍କ ଯନ୍ତ୍ରଣା ଭୋଗୁଛି ଗିର୍ଲିମାଲ । ଜଙ୍ଗଲୀ ରାସ୍ତା ପାଲଟିଛି ମରଣଯନ୍ତା । ବର୍ଷ ପରେ ବର୍ଷ ବିତୁଛି ହେଲେ ହୋଇ ପାରୁନି ୧୨ କିଲୋମିଟର ରାସ୍ତା । ଗାଁକୁ ମୌଳିକ ସୁବିଧା ସାତସପନ ।
ପୀଢି ପରେ ପୀଢି ବିତିଲା । ପକ୍କା ରାସ୍ତା ଦେଖି ପାରିଲାନି ଆଖି । ଆଜ୍ଞା ଆମେ କହୁଛୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଂଚାୟତର ଗିର୍ଲିମାଲ ଗାଁକୁ ଯିବାକୁ ଥିବା ରାସ୍ତା । ପ୍ରାୟ ୨୫ ପରିବାରର ୨୦୦ରୁ ଉର୍ଦ୍ଧ୍ବ ଲୋକେ ବସବାସ କରନ୍ତି । ହେଲେ ରାସ୍ତା ନଥିବାରୁ ଏମାନଙ୍କ ଭରସା ଜଙ୍ଗଲ ରାସ୍ତା ଦେଇ ଯାଇଥିବା ଆବଡ଼ା ଖାବଡ଼ା ରାସ୍ତା ।
ଗାଁ ଲୋକଙ୍କ ସମସ୍ୟା କହିଲେ ନସରେ । ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ ଆସିପାରେନି, ପ୍ରସୂତି ହୁଅନ୍ତୁ କି ରୋଗୀ ଡାକ୍ତରଖାନା ନେବା ପାଇଁ ୧୨ କିଲୋମିଟର ଖଟିଆରେ ବୋହିବାକୁ ପଡ଼େ । ଯାତାୟତ ବେଳେ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଇ ମୃତ୍ୟୁ ମୁଖରେ ପଡନ୍ତି ଏଠାକାର ଲୋକେ । ବିଜୁଳି ଆଲୁଅ ସାତସପନ, ଗାଁରେ ଆଜି ପର୍ଯ୍ୟନ୍ତ ନଳକୁପ ଟିଏ ହେଇପାରିନି । ଜଙ୍ଗଲରେ ଥିବା ଝରଣା ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହୁଅନ୍ତି ।
ଗିର୍ଲିମାଲ ଉପରେ କେବେ ପଡ଼ିବ ପ୍ରଶାସନର ନଜର । କେବେ ଏଠାକାର ଲୋକ ଚାଖିବେ ମୌଳିକ ସୁବିଧାର ସ୍ବାଦ । ଆଦିବାସୀଙ୍କ ଗାଁ ଗିର୍ଲିମାଲକୁ ଦୃଷ୍ଟି ଦେଇ ତାଙ୍କ ସମସ୍ତ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ତେବେ ଏଠି ପ୍ରଶ୍ନ... ରାଜ୍ୟରେ ଗତ ୨୪ ବର୍ଷ ଧରି ଯେଉଁ ଦଳ ଶାସନ କରଥିଲା, ସେହି ଦଳକୁ କ'ଣ ଏହି ଗାଁ ଦେଖାଯାଇନଥିଲା । ସହରଠାରୁ ଏତେ ପାଖରେ ଥାଇ ମଧ୍ୟ କାହିଁକି ଏହି ଗାଁକୁ ଏମିତି ଅବହେଳା କରାଯାଇଥିଲା । କ'ଣ ଏମାନେ ଦୋଷ କରିଥିଲେ । କାହିଁକି ସରକାର ଏମାନଙ୍କ ପ୍ରତି ପାତରଅନ୍ତର ନୀତି ଆପଣାଇଥିଲା । ଏବେ ବିଜେପି ସରକାର ଏହି ଗାଁ ପ୍ରତି କେବେ ଶୂଭ ଦୃଷ୍ଟି ପକାଉଛି, ତା'ଉପରେ ସମସ୍ତଙ୍କ ନଜର । କାରଣ ନୂଆ ସରକାର ଆସିବା ପରେ ଗାଁ ଲୋକଙ୍କ ମନରେ ଆଶା ସଂଚାର ହୋଇଛି । ଗାଁ ଲୋକଙ୍କ ଆଶା, ଯଥାଶୀଘ୍ର ତାଙ୍କ ଗାଁକୁ ଭଲ ରାସ୍ତାଟିଏ ହେବ, ଲାଇନ୍ ଖୁଣ୍ଟ ଲାଗିବ ଘରେ ବଲ ଜଳିବ ।