ଚୋରି କରୁଥିଲା ହେଲେ ପ୍ରିନ୍ସପୁଲ ଭାଙ୍ଗୁନଥିଲା ଏହି ଚୋର !

ଧରାପଡ଼ିଲା ସଉକିଆ ଚୋର । ଯିଏ ନିରଞ୍ଜନଙ୍କ ଘରେ ବୁଲାଇଥିଲା କଳା କନା । ଆମେ ତାକୁ ଏଥିପାଇଁ ସଉକିଆ ଚୋର କହୁଛୁ, କାରଣ ସେ ଚୋର... କିନ୍ତୁ ପ୍ରିନ୍ସପୁଲ ବାଲା ଚୋର । ସେ ଚୋରି କରେ କିନ୍ତୁ ନିଜ ପ୍ରିନ୍ସପୁଲ ବାହାରକୁ ଯାଏ ନାହିଁ । କୁହାଯାଉଛି ଗରିବଙ୍କୁ ହଇରାଣ କରେ ନାହିଁ କି ଗରିବଙ୍କ ଘରେ ପଶି ଚୋରି କରେ ନାହିଁ । ଏମିତିକି ମଧ୍ୟବିତ୍ତ ଶ୍ରେଣୀର ସାଧାସିଧା ଲୋକ ରହୁଥିବା କଲୋନୀ ଭିତରେ ବି ପଶେ ନାହିଁ କି ଚୋରି କରେ ନାହିଁ । ସେ କେବଳ ସେଇମାନଙ୍କ ଘରେ ପଶେ, ଯେଉଁମାନଙ୍କ ଘର ହାଇଫାଇ ଏରିଆ ବା ଭିଆଇପି ଏରିଆରେ ଥାଏ।
ଅଜ୍ଞା ହଁ... ଆମେ କହୁଛୁ ସେଇ ଚୋର କଥା । ଯିଏ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି ଚୋରି କରିଥିଲା । ଆଉ ଧରାପଡ଼ିବା ପରେ ପୋଲିସର ପଚରାଉଚରା ବେଳେ ଏସବୁ କଥା ସାମ୍ନାକୁ ଆସିଛି । ନିରଞ୍ଜନଙ୍କ ଘରକୁ ମଧ୍ୟ ଠିକ୍ ଏଥିପାଇଁ ହିଁ ସେ ଟାର୍ଗେଟ କରିଥିଲା । କାରଣ ତାଙ୍କ ଘର ରାଜଧାନୀର ଭିଆଇପି ଅଞ୍ଚଳରେ ।
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ଚୋର ଏବେ ଗିରଫ ହୋଇଛି । ଚୋରକୁ ଆନ୍ଧ୍ରପ୍ରଦେଶ ବିଜୟୱାଡ଼ାରୁ ଗିରଫ କରିଛି କମିଶନରେଟ ପୋଲିସ । ଚୋର ନାଁ ଶକ୍ତି ରେଡ୍ଡୀ ଓରଫ ସ୍ପାଇଡର । ଚୋରକୁ ଧରିବାକୁ ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳରେ ରେଡ୍ କରିଥିଲା ପୋଲିସ । ଚୋରଠାରୁ ଜବତ ହୋଇଛି ଚୋରି ହୋଇଥିବା ଗହଣା, କାର୍ ଓ ମୋବାଇଲ ।
ଚୋରକୁ ଧରିବାକୁ ନାକେଦମ ହୋଇଥିଲା ପୋଲିସ । ସେଥିପାଇଁ ୪୦୦ରୁ ଅଧିକ CCTV ଯାଞ୍ଚ କରିଥିଲା । ଏହାସହ ୧୦ ହଜାର ଫୋନ୍ ଯାଞ୍ଚ ଓ ୫୦ ଲୋକଙ୍କ ବ୍ୟାକ୍ଗ୍ରାଉଣ୍ଡ ବି ଚେକ୍ କରାଯାଇଥିଲା । ଶକ୍ତି ରେଡ୍ଡୀ ଓରଫ ସ୍ପାଇଡର ହାଇ ପ୍ରୋଫାଇଲ୍ ଲୋକଙ୍କୁ ଟାର୍ଗେଟ କରେ । ଯେଉଁ ଘରେ ଗ୍ରିଲ ଥାଏ ସେଠି ଚୋରି କରେନି । ଯେଉଁଠି ନ ଥାଏ ସେଇଠି ଟାର୍ଗେଟ କରେ । ପ୍ରଥମେ ଗୁଗଲରେ ହାଇ ପ୍ରୋଫାଇଲ ଏରିଆ ଓ ବ୍ୟକ୍ତିଙ୍କୁ ସର୍ଚ୍ଚ କରେ । ପୂର୍ବରୁ ସେ ୨୦୨୩ରେ ARSS ମାଲିକଙ୍କ ଘରେ କଳାକନା ବୁଲାଇଥିଲା ।
