Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏଥର ରଥଯାତ୍ରାରେ ଦେଢ଼ଗୁଣା ଅଧିକ ଭକ୍ତଙ୍କ ସମାଗମ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଏଥର ରଥଯାତ୍ରାରେ ଦେଢ଼ଗୁଣା ଅଧିକ ଭକ୍ତଙ୍କ ସମାଗମ

Key Points

ନିର୍ବିଘ୍ନରେ ଅନୁଷ୍ଠିତ ହୋଇଛି ବିଶ୍ୱନିୟନ୍ତାଙ୍କ ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ।

ନନ୍ଦିଘୋଷ ଅଳ୍ପ ଗଡ଼ିଲା ପରେ ବନ୍ଦ କରାଗଲା ରଥଟଣା ।


ପୁରୀରେ ଆଜି ପାଇଁ ରଥ ଟଣା ଶେଷ ହେଲା । ଆସନ୍ତାକାଲି ସକାଳ ୯ଟା ୩୦ରେ ପୁଣି ଆରମ୍ଭ ହେବ ରଥଟଣା। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ରଥଟଣା ସ୍ଥଗିତ ରଖାଯାଇଛି। ବଳଭଦ୍ରଙ୍କ ତାଳଧ୍ୱଜ ବଳଗଣ୍ଡି ଠାରେ ଅଟକି ଥିବା ବେଳେ ମରିଚିକୋଟରେ ସୁଭଦ୍ରାଙ୍କ ଦର୍ପଦଳନ ପହଞ୍ଚିଛି।

ଆସନ୍ତାକାଲି ପୁଣି ଥରେ ମହାପ୍ରଭୁଙ୍କ ରଥ ଗଡ଼ିବ। ଆଜି ସଂଧ୍ୟା ୭ଟା ୪୫ ମିନିଟରେ ଗଡ଼ିଲା ନନ୍ଦିଘୋଷ ରଥ । ଅଳ୍ପ ଗଡ଼ିଲା ପରେ ବନ୍ଦ କରାଗଲା ରଥଟଣା । ରଥ ଟଣାରେ ବିଳମ୍ବ ନେଇ ଆଇନ ମନ୍ତ୍ରୀ କହିଛନ୍ତି, ଅପରାହ୍ନ ୪ଟା ସୁଦ୍ଧା ସମସ୍ତ ରୀତିନୀତି ସମ୍ପନ୍ନ ହୋଇଥିଲା । କିନ୍ତୁ ପ୍ରଭୁ ବଳଭଦ୍ରଙ୍କ ରଥ ଟଣାବେଳେ ମୋଡ ଯୋଗୁଁ ସମୟ ଲାଗିଲା ।

ଆନୁକୂଳ ପାଗ ଯୋଗୁଁ ଭକ୍ତଙ୍କ ସମାଗମ ଗତବର୍ଷଠାରୁ ଦେଢ଼ଗୁଣ ଅଧିକ ହୋଇଥିଲା । ଶ୍ରୀଗୁଣ୍ଡିଚା ଦିନ ରଥ ଟଣା ବିଧି ଦୃଷ୍ଟିରୁ ନନ୍ଦିଘୋଷ ରଥ ଅଳ୍ପବାଟ ଟଣା ହୋଇଛି । ପୂର୍ବରୁ ମଧ୍ୟ ସୂର୍ଯ୍ୟାସ୍ତ ପରେ ଲାଇଟ୍ ଲଗାଯାଇ ରଥଟଣା ହୋଇଛି । ଆସନ୍ତାକାଲି ନନ୍ଦିଘୋଷ ରଥ ଟାଣିବାର ସୁଯୋଗ ପାଇବେ ଭକ୍ତ । ଏବର୍ଷର ରଥଟଣା ଅଘଟଣ ଶୂନ୍ୟ ରହିଛି ବୋଲି କହିଛନ୍ତି ଆଇନମନ୍ତ୍ରୀ । ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ସବୁ କିଛି ମହାପ୍ରଭୁଙ୍କ ଇଚ୍ଛାରେ ଚାଲିଛି । ଆସନ୍ତାକାଲି ପୁଣି ରଥ ଟଣା ହେବ ।

ତେବେ ନିର୍ବିଘ୍ନରେ ଅନୁଷ୍ଠିତ ହୋଇଛି ବିଶ୍ୱନିୟନ୍ତାଙ୍କ ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଅନୁକୁଳ ପାଗ ଏଥର ରଥଯାତ୍ରାକୁ ଆସିଥିବା ଭକ୍ତଙ୍କ ପାଇଁ ଥିଲା ବଡ଼ ଆଶ୍ବସ୍ତି । ନିର୍ଦ୍ଧାରିତ ସମୟରେ ରଥଟଣା ଆରମ୍ଭ ହୋଇଥିଲେ ବି କୌଣସି ରଥ ଆଜି ଶରଧା ବାଲିରେ ପହଞ୍ଚିପାରିଲାନି । କାରଣ ଥିଲା ବଡ଼ ଠାକୁରଙ୍କ ରଥର ମନ୍ଥର ଗତି। ଅତି ଧୀରେ ଧୀରେ ଆଗକୁ ଗଡ଼ିଥିଲା ତାଳଧ୍ୱଜ ।

ଗୋଟିଏ ସମୟରେ ମାତ୍ର ୫୦ ମିଟର ଗଡ଼ି, ବାଗେଡ଼ିଆ ଧର୍ମଶାଳା ସମ୍ମୁଖରେ ପ୍ରାୟ ୨୦ ମିନିଟ୍ କାଳ ଅଟକି ଯାଇଥିଲା ତାଳଧ୍ବଜ । ୧୬ ଥର ରଥକୁ ଟାଣିବାକୁ ପ୍ରୟାସ ସତ୍ତ୍ବେ ଆଗକୁ ଇଞ୍ଚେମାତ୍ର ହଲି ନଥିଲା ବଳଭଦ୍ରଙ୍କ ରଥ । ପରେ ଅତି ଧୀରେ ଧୀରେ ଆଗକୁ ବଢ଼ିଥିଲା ପ୍ରଥମ ରଥ । ଯେଉଁଥିପାଇଁ ଦେବୀ ସୁଭଦ୍ରା ଓ ମହାପ୍ରଭୁଙ୍କ ରଥ ଟଣା ବିଳମ୍ବିତ ହୋଇଥିଲା । ଅପରାହ୍ନ ପ୍ରାୟ ସାଢେ ୫ଟା ପାଖାପାଖି ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଥିଲା । ଏସବୁ ସତ୍ତ୍ବେ ବଡ଼ଦାଣ୍ଡରେ ରଥାଋଢ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରି ଧନ୍ୟ ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଯୋଗୁଁ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା ସମସ୍ତ ନୀତିକାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
This time, more than double the number of devotees gathered for the Puri Rath Yatra. | Argus News