ନବଦିନାତ୍ମକ ଯାତ୍ରା ଶେଷ , ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରୀନାଥ

Key Points
ଆଜି ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରୀନାଥ
ନବଦିନାତ୍ମକ ଯାତ୍ରା ଶେଷ କରି ରତ୍ନସିଂହାସନରେ ବିରାଜିତ ହେବେ ମହାପ୍ରଭୁ
ପତିତପାବନ ଯାତ୍ରାର ଶେଷ ଦିନକୁ ନୀଳାଦ୍ରୀବିଜେ କୁହଯାଏ
ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାବିଗ୍ରହ
ରତ୍ନବେଦୀରୁ ବାହୁଡି ଜନ୍ମବେଦୀରେ ଲୀଳାଖେଳା ସରିବା ପରେ ଆଜି ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରୀନାଥ । ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ରତ୍ନସିଂହାସନରେ ବିରାଜିତ ହେବେ କାଳିଆ ସାଆନ୍ତେ। ଆଜି ହେଉଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ , ଯାହାକୁ ନୀଳାଦ୍ରୀବିଜେ କୁହଯାଏ । ନୀଳାଦ୍ରି ବିଜେ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାବିଗ୍ରହ। ସେଥିପାଇଁ ସେବାୟତ ମାନଙ୍କ ସହ ସମନ୍ୱୟ ରକ୍ଷାକରି ନୀତିକାନ୍ତି ମଧ୍ୟ ଚୂଡାନ୍ତ ହୋଇଛି ।
ଆଜି ସକାଳୁ ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳଆଳତୀ, ମଇଲମ, ଅବକାଶ, ଗୋପାଳବଲ୍ହଭ, ସକାଳଧୂପ, ମଧ୍ୟାହ୍ନ ଧୂପ, ସଂଧ୍ୟା ଆଳତୀ ଓ ସଂଧ୍ୟାଧୂପ ଶେଷହେବା ପରେ ଚାରମାଳ ବନ୍ଧାଯାଇ ଆରମ୍ଭ ହେବ ମହାପ୍ରଭୁଙ୍କ ଗୋଟି ପହଣ୍ଡି । ଅପରାହ୍ନ 4 ଟାରେ ପହଣ୍ଡି ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଥିବା ବେଳେ ରାତି 10ଟାରେ ପହଣ୍ଡି ଶେଷ ହେବ ବୋଲି କୁହାଯାଇଛି ।