Videos
|
Odisha

ଆଜି ପବିତ୍ର ଶ୍ରୀପଞ୍ଚମୀ – ଘରେ ଘରେ ପୂଜା ପାଇବେ ମା’ ବୀଣାପାଣି

Rashmita Mishra
Browse all articles by Rashmita Mishra
·1 year ago·2 min read
ଆଜି ପବିତ୍ର ଶ୍ରୀପଞ୍ଚମୀ – ଘରେ ଘରେ ପୂଜା ପାଇବେ ମା’ ବୀଣାପାଣି

ଅର୍ଗସ ବ୍ୟୁରୋ: ଆଜି ପବିତ୍ର ଶ୍ରୀପଞ୍ଚମୀ । ଜ୍ଞାନପ୍ରଦାୟିନୀ ମା’ ସରସ୍ବତୀଙ୍କୁ ଆରାଧନା କରିବାର ଦିନ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ବତୀ । ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ବତୀଙ୍କୁ ପୁରପଲ୍ଲୀରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟଗୁଡ଼ିକରେ ପୂଜାର୍ଚ୍ଚନା କରାଯାଏ । ହିନ୍ଦୁଧର୍ମରେ ସରସ୍ଵତୀଙ୍କୁ ଜ୍ଞାନର ଦେବୀ ବୋଲି ଅଭିହିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶରୂପ | ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ । ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍‌ଦେବୀ, ବାଣୀ, ଶାରଦା । ମା’ ସରସ୍ବତୀ, ମା’ ଲକ୍ଷ୍ମୀ ଓ ମା’ କାଳୀ ତିନୋଟି ସ୍ବରୂପ ଆଦ୍ୟାଶକ୍ତିଙ୍କର ।


ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି ପବିତ୍ର ଦିନଟିକୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ବିଦ୍ୟାର୍ଥୀମାନେ ଶ୍ରେଣୀଗୃହକୁ ରଙ୍ଗୀନ କାଗଜମାଳାରେ ସଜାଇ ମା’ଙ୍କୁ ଆରାଧନା କରିଥାନ୍ତି। ମା’ ସରସ୍ବତୀଙ୍କ ପୂଜାରେ ପଞ୍ଚାମୃତ, ଧଳା ଫୁଲ, ଚନ୍ଦନ, ଆଖୁ, ଖୁରୀ, ଧଳା ବସ୍ତ୍ର, ମୋତି, ରୂପା, ଧଳାମାଳି ଅଳଙ୍କାର ,ଅଦା, ଅଁଳା, ଘିଅ, ନଡ଼ିଆ, ବରକୋଳି ଆଦି ଅର୍ପଣ କରାଯାଏ । ମା’ଙ୍କ ପୂଜା ଅର୍ଚ୍ଚନା ଓ ପୁଷ୍ପାଞ୍ଜଳି ସରିବା ପର୍ଯ୍ୟନ୍ତ ବିଦ୍ୟାର୍ଥୀ ଉପବାସ ରହିଥାନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବସନ୍ତ ପଞ୍ଚମୀ ଦିନକୁ ଛୋଟ ପିଲାଙ୍କ ବିଦ୍ୟାରମ୍ଭ ପାଇଁ ଏକ ପବିତ୍ର ଦିନ ବୋଲି କୁହାଯାଏ। ଓଡ଼ିଶାର ଘରେଘରେ ପାରମ୍ପରିକ ଭାବେ ଏହି ନିଆରା ବିଧି ପାଳନ ହୁଏ। ଏହି ବିଦ୍ୟାରମ୍ଭ ଉତ୍ସବକୁ ଖଡ଼ି ଛୁଆଁ କୁହାଯାଏ। ସରସ୍ୱତୀ ହାତରେ ବୀଣା ଧରିଥିବାରୁ ତାଙ୍କର ଅନ୍ୟନାମ ବୀଣାପାଣି । ବିଦ୍ୟା ସରସ୍ବତୀଙ୍କର ସ୍ବରୂପ ଓ ଶକ୍ତି। ତାଙ୍କ କରୁଣା ବିନା ସାଧକ ଏକ୍ଷେତ୍ରରେ ସଫଳତା ପାଇ ନ ଥାନ୍ତି । ଖାଲି ସେତିକି ନୁହେଁ ସରସ୍ବତୀ କଣ୍ଠରେ ବିରାଜିଲେ ଜଣେ ଉତ୍ତମ ଗାୟକ ହୋଇପାରେ ବିଶ୍ବାସ ରହିଛି।


ଏହି ଦିନ ମା’ ଶୁକ୍ଳ ବସ୍ତ୍ର ପରିଧାନ କରି ରତ୍ନ ବିଭୂଷିତ କୁଣ୍ଡଳ ଧାରଣ କରି, ହସ୍ତରେ ବୀଣା ଓ ପୁସ୍ତକ ଧରି ପଦ୍ମାସନରେ ଶ୍ଵେତ ପଦ୍ମ ଉପରେ ବିରାଜମାନ ହୋଇଥାନ୍ତି। ମା’ଙ୍କ ଆଶୀର୍ବାଦ ପ୍ରାପ୍ତି ନିମିତ୍ତ ବିଦ୍ୟାର୍ଥୀ, ପୁସ୍ତକ ଓ କଲମ ମା’ଙ୍କ ନିକଟରେ ରଖ୍ ପୂଜା କରିଥାନ୍ତି। ସରସ୍ଵତୀ ହାତରେ ବୀଣା ଧରିଥିବାରୁ ତାଙ୍କର ଅନ୍ୟନାମ ବୀଣାପାଣି ବୋଲି ମଧ୍ୟ କୁହାଯାଇଥାଏ।