ଅଣଲେଉଟା ରଥରେ ଚଢି ମାଉସୀ ଘର ଯିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ

ଆଜି ପବିତ୍ର ଅଶୋକାଷ୍ଟମୀ। ଏଥିପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର। ଅନୁଷ୍ଠିତ ହେବ ମହାପ୍ରଭୁ ଲଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଅଣଲେଉଟା ରଥରେ ଚଢି ମାଉସୀ ଘର ଯିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ। ଦିନ ୩ ଟାରେ ରଥଟଣା ଆରମ୍ଭ ହେବ। ୪ ଦିନ ପରେ ବାହୁଡା଼ ଯାତ୍ରା ମଧ୍ୟ ଅନୁଷ୍ଠିତ ହେବ। ଏହା ସହ 6 ଦିନ ଧରି ଲିଙ୍ଗରାଜ ଫେଷ୍ଟିଭାଲ ପାଳନ ହେବ। ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ୧୧ ରାଜ୍ୟର ୩୬ ଟି ଗ୍ରୁପ ଓ ୮୦୦ରୁ ଉର୍ଦ୍ଧ କଳାକାରଙ୍କ ଦ୍ଵାରା ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ପ୍ରତିଦିନ ସନ୍ଧ୍ୟା ୭ଟା ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ଦିନ ୬ ଟି ଗ୍ରୁପ କାର୍ଯ୍ୟକ୍ରମ ପରିବେଷଣ କରିବେ। ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି ।
ଅପରାହ୍ଣ ସାଢ଼େ ୩ଟାରେ ରଥ ଟଣା ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି । ଭୋର୍ ୫ଟାରେ ଠାକୁରଙ୍କ ଆଳତି ଅବକାଶ ନୀତି ସମ୍ପନ୍ନ ହୋଇଛି । ସାଢ଼େ ୫ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣମେଲା ଦର୍ଶନ ଦେଇଛନ୍ତି । ଅନ୍ୟାନ୍ୟ ପୂଜାନୀତି ବିଧିମତେ ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବ । ସାଢ଼େ ୧୨ଟାରୁ ସାଢ଼େ ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବେ । ରଥ ବିଜେସ୍ଥଳୀରେ ଠାକୁରଙ୍କ ପୂଜାର୍ଚ୍ଚନା ନୀତି କାର୍ଯ୍ୟ ଦୁଇ ଘଣ୍ଟା ମଧ୍ୟରେ ସାରି ରଥ ଟଣା ପ୍ରସ୍ତୁତି ଆରମ୍ଭ ହେବ । ଚାର ଖୋଲା ହୋଇ ସାଢ଼େ ୩ଟାରେ ରଥ ମାଉସୀମା’ ଅଭିମୁଖେ ଗଡ଼ିବ । ରାମେଶ୍ୱର ମନ୍ଦିରରେ ରଥ ଲାଗିବା ପରେ ଠାକୁର ବିଜେ କରି ସାଢ଼େ ୭ଟାରେ ଅନ୍ୟାନ୍ୟ ନୀତି କରାଯିବ ।
ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅବସରରେ ମରିଚି କୁଣ୍ଡରୁ ପବିତ୍ର ଜଳ ସଂଗ୍ରହ କରାଯାଇଛି । ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ମରିଚି କୁଣ୍ଡ ପାଣି ନିଲାମ କରାଯାଇଛି । ଏହି ଜଳକୁ ଗ୍ରହଣ କରିବା ସହ ସ୍ନାନ କଲେ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି କାହିଁ କେଉଁ ଆବାହମାନ କାଳରୁ ଶ୍ରଦ୍ଧାଳୁଙ୍କ ମନରେ ବିଶ୍ୱାସ ରହିଛି । ନିଲାମ ଜଳକୁ ଗ୍ରହଣ କରିବା ପାଇଁ ନିଷ୍ଠାର ସହ ବହୁ ପରିବାର ଅପେକ୍ଷା କରିଥିବା ବେଳେ ରାତି ବାରଟା ସମୟରୁ ଏହି ନିଲାମ ପ୍ରଣାଳୀ ଆରମ୍ଭ ହୋଇଥିଲା । ପ୍ରକ୍ରିୟା ଅନୁସାରେ ତିନୋଟି ଡାକ ହୋଇଥିଲା । ପ୍ରଥମ ଘଡା ପାଣି ନିଲାମ ପାଇଁ ୨୦ହଜାର ୧୦୦ ଟଙ୍କା ସରକାରୀ ଡାକ ରହିଥିବା ବେଳେ ୨୧ହଜାର ଟଙ୍କାରେ ନିଲାମ ଶେଷ ହୋଇଥିଲା । କଟକ ଦାମୋଦରପୁରର ଜିତେନ୍ଦ୍ର ମହାରଣା ଓ ଜ୍ୟୋତ୍ସ୍ନା ମହାରଣା ମରିଚି କୁଣ୍ଡର ପବିତ୍ର ଜଳକୁ ସଂଗ୍ରହ କରିଛନ୍ତି ।
