Puri Shrimandir / ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ଵର ବେଶ

Key Points
ତିନି ଠାକୁରଙ୍କୁ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବ
ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଶ୍ରୀଜୀଉଙ୍କୁ ସଜାଇବେ
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ଵର ବେଶ ବା ସୁନାବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ପୂର୍ଣ୍ଣିମାରେ ପାରମ୍ପରିକ ରୀତି ମତେ ଶ୍ରୀମନ୍ଦିର ରତ୍ନସିଂହାସନରେ ବିରାଜିତ ତିନି ଠାକୁରଙ୍କୁ ରାଜରାଜେଶ୍ୱର ବେଶରେ ସଜିତ କରାଯାଇଥାଏ । ଆଜି ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜାଇବେ ।
ଏହି ବେଶରେ ଠାକୁରମାନେ ଶ୍ରୀଭୁଜ, କିରୀଟ ସେବତୀମାଳି ଆଦି ରତ୍ନ ଅଳଙ୍କାର ଧାରଣ କରିଥାନ୍ତି । ତେବେ ଆଜି ପ୍ରଥମ ଭୋଗମଣ୍ଡପ ପରେ ଭକ୍ତମାନେ ଭିତରକାଠରୁ ମହାପ୍ରଭୁଙ୍କ ଦର୍ଶନ କରିବେ ।
ଏଥିସହ ପଢ଼ନ୍ତୁ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣର ଶୁଭ ଅବସର
ମହାପ୍ରଭୁ ପ୍ରତିବର୍ଷ ୫ ଥର ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । କାର୍ତ୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ହେଉଥିବା ସୁନାବେଶ ହେଉଛି ଐଶ୍ଚର୍ଯ୍ୟର ବେଶ । ଅତୀତରେ ଓଡ଼ିଆ ସାଧବ ପୁଅମାନେ ମହାପ୍ରଭୁଙ୍କୁ ସ୍ମରଣ କରି ବିଦେଶକୁ ବୋଇତ ମାଧ୍ୟମରେ ଯାଇ ବାଣିଜ୍ୟ କରି ବିପୁଳ ଧନ ରତ୍ନ ଆଣି ମହାପ୍ରଭୁଙ୍କୁ ସମର୍ପିତ କରୁଥିଲେ । ଏହାର ନିଦର୍ଶନ ସ୍ଵରୂପ ମହାପ୍ରଭୁ ମହଣ ମହଣ ସୁନାରେ ବିଭୂଷିତ ହୋଇ ଭକ୍ତଙ୍କୁ ସୁନାବେଶ ତଥା ରାଜାଧିରାଜ ବେଶରେ ଦର୍ଶନ ଦେଇଥାନ୍ତି ।
ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ପଞ୍ଜିକରଣରେ ବାହାର ରାଜ୍ୟରେ ଗଡୁଛି ସଂଖ୍ୟାଧିକ ଯାତ୍ରୀବାହୀ
ଆଜି କେବଳ ସିଂହଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଥିବା ବେଳେ, ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ ବ୍ୟବସ୍ଥା ହୋଇଛି । ସେପଟେ ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ବଗଲାଧର୍ମଶାଳା ନଗକଟରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିବା ବେଳେ ସେମାନଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ , ୩୦ ଜଣ ମାଜିଷ୍ଟ୍ରେଟ ଓ ସ୍ବେଚ୍ଛାସେବୀ ମୁତୟନ ହୋଇଛନ୍ତି ତା' ସହ ଆହୁରି ମଧ୍ୟ ୫ ଜଣ ଅତିରିକ୍ତ ଏସପି, ୧୬ ଡିଏସପି, ୩୫ ଇନ୍ସପେକ୍ଟର, ୧୩୮ ସବ ଇନସ୍ପେକ୍ଟର କିମ୍ବା ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର, ୨୪ ହାବିଲଦାର, ୧୪୭ କନଷ୍ଟେବଳ, ୩୩୪ ହୋମ ଗାର୍ଡ ଓ ୯୬ ସେକ୍ସନ ଫୋର୍ସ ନିୟୋଜିତ ହୋଇଛନ୍ତି । ବଡ଼ଦାଣ୍ଡ ମାର୍କେଟ ଛକରୁ ନୋ ଭେଇକିଲ୍ ଜୋନ କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories